ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ଇରାନ ଯୁଦ୍ଧ ସମାପ୍ତ କରିବା ବିଷୟରେ ଏକ ପ୍ରମୁଖ ସଙ୍କେତ ଦେଇଛନ୍ତି । ପ୍ରଥମେ ସୋସିଆଲ ମିଡିଆରେ ଏବଂ ପରେ ସାମ୍ବାଦିକଙ୍କ ସହ ଆଲୋଚନାରେ। ସେ ଦାବି କରିଛନ୍ତି ଯେ, ଇରାନ ନେତୃତ୍ୱ ତାଙ୍କ ସହିତ ଯୋଗାଯୋଗ କରିଛନ୍ତି ଏବଂ ଏକ ବଡ଼ ଚୁକ୍ତି ପାଇଁ ପ୍ରସ୍ତୁତ ଅଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ, ଏହି ଚୁକ୍ତି ଅନୁଯାୟୀ, ଇରାନ କେବେବି ପରମାଣୁ ଅସ୍ତ୍ର ବିକଶିତ କରିବ ନାହିଁ ଏବଂ ପରମାଣୁ ସମୃଦ୍ଧିକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ରାଜି ହୋଇଛି। ସେ କହିଛନ୍ତି ଯେ, ଯଦି ଆଗାମୀ ପାଞ୍ଚ ଦିନ ମଧ୍ୟରେ ଏକ ଚୁକ୍ତି ହୁଏ, ତେବେ ଏହା ଠିକ୍ ଅଛି, ନଚେତ୍ ଇରାନ ଉପରେ ବୋମାମାଡ଼ ଜାରି ରହିବ...

ଏକ ଭଲ ଚୁକ୍ତି ହେବା ସମ୍ଭାବନା...

ଟ୍ରମ୍ପ ସାମ୍ବାଦିକ ମାନଙ୍କୁ କହିଛନ୍ତି, "ମୁଁ ସେମାନଙ୍କୁ ଫୋନ୍ କରିନାହିଁ, ମୁଁ ସେମାନଙ୍କ ଠାରୁ ଏକ ଫୋନ୍ ପାଇଥିଲି । ସେମାନେ ଏକ ଚୁକ୍ତି ଚାହାଁନ୍ତି, ଏବଂ ଆମେ ଏଥି ପାଇଁ ପ୍ରସ୍ତୁତ। ଏକ ଭଲ ଚୁକ୍ତି ହେବା ଦିଗରେ ରହିଛି । ଏହା ଯୁଦ୍ଧ ଏବଂ ପରମାଣୁ ଅସ୍ତ୍ରର ବିପଦକୁ ଦୂର କରିବ।"

ଇରାନୀ ନେତାଙ୍କ ସହ ଆଲୋଚନା...

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି ଯେ, ଆମେରିକାର ପ୍ରତିନିଧି ମାନେ ଜଣେ "ସମ୍ମାନିତ" ଇରାନୀ ନେତାଙ୍କ ସହ ଆଲୋଚନା କରୁଛନ୍ତି। ଟ୍ରମ୍ପ ସୋମବାର ସାମ୍ବାଦିକ ମାନଙ୍କୁ କହିଥିଲେ ଯେ ପଶ୍ଚିମ ଏସିଆ ପାଇଁ ତାଙ୍କର ସ୍ୱତନ୍ତ୍ର ପ୍ରତିନିଧି ଷ୍ଟିଭ୍ ୱିଟକଫ ଏବଂ ଟ୍ରମ୍ପଙ୍କ ଜ୍ୱାଇଁ ଜାରେଡ୍ କୁଶନର ରବିବାର ସନ୍ଧ୍ୟାରେ କଥା ହୋଇଥିଲେ। ଟ୍ରମ୍ପ କୌଣସି ଅଧିକାରୀ କିମ୍ବା ତେହେରାନର ପ୍ରତିନିଧିତ୍ୱ କରୁଥିବା ଅଧିକାରୀଙ୍କ ନାମ ନେଇ ନଥିଲେ।

ଟ୍ରମ୍ପ ମୋଜତାବା ଖାମେନେଇଙ୍କ ବିଷୟରେ କ’ଣ କହିଥିଲେ?

ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନିଙ୍କ ପୁଅ ମୋଜତାବା ଖାମେନେଇଙ୍କ ଅନୁପସ୍ଥିତି ବିଷୟରେ ଉଲ୍ଲେଖ କରି ଟ୍ରମ୍ପ କହିଥିଲେ, "ଆମେ ଜାଣିନାହୁଁ ଯେ ସେ ଜୀବିତ ଅଛନ୍ତି କି ନାହିଁ। ତାଙ୍କ ସହ କେହି କଥା ହୋଇନାହାଁନ୍ତି। ମୋଜତାବା ନିଖୋଜ ଅଛନ୍ତି। ସେଠାରେ କିଛି ବଡ଼ ଘଟଣା ଘଟୁଛି, ଏବଂ ଏକ ଶାସନ ପରିବର୍ତ୍ତନ ହୋଇସାରିଛି।"

ଚୁକ୍ତି ଚୂଡ଼ାନ୍ତ ହେବା ମାତ୍ରେ ତୈଳ ମୂଲ୍ୟ ହ୍ରାସ ପାଇବ...

ଡୋନାଲ୍ଡ ଟ୍ରମ୍ପ କହିଥିଲେ ଯେ ଚୁକ୍ତି ଚୂଡ଼ାନ୍ତ ହେବା ମାତ୍ରେ ତୈଳ ମୂଲ୍ୟ ଦ୍ରୁତ ଗତିରେ ହ୍ରାସ ପାଇବ। "ମୁଁ ଚାହେଁ ଯେ ବ୍ୟବସ୍ଥାରେ ଯଥାସମ୍ଭବ ତେଲ ଆସୁ।" ଟ୍ରମ୍ପ ଆହୁରି କହିଛନ୍ତି ଯେ ଯଦି ଆଲୋଚନା ସଫଳ ହୁଏ, ତେବେ ଇସ୍ରାଏଲ ମଧ୍ୟ ଶାନ୍ତି ଚୁକ୍ତିରେ ଖୁସି ହେବ। ତଥାପି, ଟ୍ରମ୍ପ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ସେ ଏହି ସମୟରେ କିଛି ଗ୍ୟାରେଣ୍ଟି ଦେଉନାହାଁନ୍ତି। ସେ କହିଥିଲେ, "ଆଗାମୀ ପାଞ୍ଚ ଦିନ ମଧ୍ୟରେ ଆଲୋଚନା କିପରି ହୁଏ ତାହା ଆମେ ଦେଖିବୁ। ଯଦି ସବୁକିଛି ଠିକ୍ ରହେ, ତେବେ ଆମେ ଏହି ବିବାଦର ସମାଧାନ କରିବୁ। ନଚେତ୍, ଆମେ ପୂର୍ଣ୍ଣ ବଳର ସହିତ ବୋମା ମାଡ଼ ଜାରି ରଖିବୁ ।