ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି ଯେ,ଆମେରିକା ସେନା କାରିବିଆନ ସାଗରରେ ଡ୍ରଗ୍ସ ନେଇ ଯାଉଥିବା ଜାହାଜ ଉପରେ ଆକ୍ରମଣ କରି ବୁଡ଼ାଇ ଦେଇଛନ୍ତି। ଏହି ସମୟରେ ଦୁଇଜଣ ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଥିଲା ଏବଂ ଅନ୍ୟ ଦୁଇଜଣଙ୍କୁ ଜୀବନ୍ତ ଧରାଯାଇଥିଲା ଏବଂ ସେମାନଙ୍କୁ ସେମାନଙ୍କ ଦେଶ, ଇକ୍ୱେଡର ଏବଂ କଲମ୍ବିଆକୁ ଫେରାଇ ଦିଆଯାଇଥିଲା। ଟ୍ରମ୍ପ ଏବେ କଲମ୍ବିଆ ରାଷ୍ଟ୍ରପତି ଗୁସ୍ତାଭୋ ପେଟ୍ରୋଙ୍କ ଉପରେ ଡ୍ରଗ୍ସକୁ ପ୍ରୋତ୍ସାହନ ଦେବାର ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଯେ କଲମ୍ବିଆ ଆଉ ଆମେରିକାର ଶୁଳ୍କ ରିହାତି ପାଇବ ନାହିଁ।
ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ସୋସିଆଲ ଟ୍ରୁଥ୍ ରେ ପୋଷ୍ଟ କରି କହିଛନ୍ତି ଯେ, "କଲମ୍ବିଆ ରାଷ୍ଟ୍ରପତି ଗୁସ୍ତାଭୋ ପେଟ୍ରୋ ବେଆଇନ ଡ୍ରଗ୍ସ ଚାଲାଣର ନେତା। ସେ ପୂରା କଲମ୍ବିଆରେ ବଡ଼ ଏବଂ ଛୋଟ କ୍ଷେତରେ ବଡ଼ ପରିମାଣର ଡ୍ରଗ୍ସ ଉତ୍ପାଦନକୁ ଜୋରଦାର ପ୍ରୋତ୍ସାହନ ଦେଉଛନ୍ତି। ଏହା ଏବେ କଲମ୍ବିଆର ସବୁଠାରୁ ବଡ଼ ବ୍ୟବସାୟ ପାଲଟିଛି।"
ଟ୍ରମ୍ପ କହିଛନ୍ତି,"ଗୁସ୍ତାଭୋ ପେଟ୍ରୋ ଏହାକୁ ବନ୍ଦ କରିବା ପାଇଁ କିଛି କରୁନାହାଁନ୍ତି,ଯେତେବେଳେ କି ସେ ଆମେରିକାରୁ ବିପୁଳ ପରିମାଣର ଦେୟ ଏବଂ ଶୁଳ୍କ ରିହାତି ପାଉଛନ୍ତି। ଏବେ କଲମ୍ବିଆକୁ ଆଉ କୌଣସି ପ୍ରକାରର ରିହାତି ଦିଆଯିବ ନାହିଁ। ଏହି ଡ୍ରଗ୍ସ ଉତ୍ପାଦନର ଉଦ୍ଦେଶ୍ୟ ହେଉଛି ଏହାକୁ ଆମେରିକାକୁ ବହୁ ପରିମାଣରେ ବିକ୍ରୟ କରିବା, ଯାହା ମୃତ୍ୟୁ, ବିନାଶ ଏବଂ ଧ୍ୱଂସ ଘଟାଇବା।"
ଟ୍ରମ୍ପ୍ ଚେତାବନୀ ଦେଇ କହିଛନ୍ତି କି,"ଗୁସ୍ତାଭୋ ପେଟ୍ରୋ ଜଣେ କମଜୋର୍ ଏବଂ ଅତ୍ୟନ୍ତ ଅଲୋକପ୍ରିୟ ନେତା ଯିଏ ନିଜର ଅଯୌକ୍ତିକ ମତାମତ ପ୍ରକାଶ କରନ୍ତି। ତାଙ୍କୁ ଏହି ମୃତ୍ୟୁର ଖେଳ ଖେଳିବା ବନ୍ଦ କରିବାକୁ ପଡିବ, ନଚେତ୍ ଆମେରିକା ତାଙ୍କ ପାଇଁ ତାର ଦ୍ୱାର ବନ୍ଦ କରିଦେବ।"