ନୂଆଦିଲ୍ଲୀ,୨୦/୦୨; ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସମଗ୍ର ବିଶ୍ୱ ସମ୍ମୁଖରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କୁ ଜୁନିୟର ପରି ବ୍ୟବହାର କରିଛନ୍ତି । ତାଙ୍କୁ ନିଜର ପ୍ରଶଂସା କରି ଠିଆ ହେବାକୁ ନିର୍ଦ୍ଦେଶ ଦେଇଥିଲେ । ଶାନ୍ତି ବୋର୍ଡର ପ୍ରଥମ ବୈଠକରେ ଟ୍ରମ୍ପ ଭାଷଣ ଦେଉଥିଲେ । ସେଠାରେ ଗତବର୍ଷ ଭାରତ-ପାକିସ୍ତାନ ସାମରିକ ଉତ୍ତେଜନା ସମୟରେ ଦୁଇ ଦେଶ ମଧ୍ୟରେ ମଧ୍ୟସ୍ଥତା କରିଥିବା ମିଥ୍ୟାକୁ ଦୋହରାଇଥିଲେ । ସେ ଦାବି କରିଥିଲେ ଯେ, ଯଦି ଉଭୟ ପରମାଣୁ ଅସ୍ତ୍ରଶସ୍ତ୍ର ପଡ଼ୋଶୀ ଯୁଦ୍ଧ ବନ୍ଦ ନ କରନ୍ତି ତେବେ ସେ ଉଭୟଙ୍କ ଉପରେ ୨୦୦ ପ୍ରତିଶତ ଶୁଳ୍କ ଲଗାଇବାକୁ ଧମକ ଦେଇଥିଲେ । ଏହା ସହିତ ସେ ପାକିସ୍ତାନ ପିଏମଙ୍କୁ ଛିଡ଼ା ହେବାକୁ ଆଦେଶ ଦେଇଥିଲେ । ଶେହବାଜ ମଧ୍ୟ ମୁଣ୍ଡ ନୁଆଁଇ ଛିଡା ହୋଇଥିଲେ । ସୋସିଆଲ ମିଡିଆରେ ଯାହାର ଭିଡିଓ ଭାଇରାଲ ହେଉଛି ।
କ'ଣ କହିଲେ ଟ୍ରମ୍ପ ? ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ, ଅନ୍ୟ ଦେଶର ନେତାଙ୍କ ସହିତ ଶାନ୍ତି ବୋର୍ଡରେ ଯୋଗ ଦେଇଥିଲେ । ସେଠାରେ ସେ ଅସହଜ ଅନୁଭବ କରିଛନ୍ତି । ଘୋର ବେଜିତର ସମ୍ମୁଖୀନ ହୋଇଛନ୍ତି । ଡୋନାଲ୍ଡ ଟ୍ରମ୍ପ ଭାରତ-ପାକିସ୍ତାନ ଯୁଦ୍ଧ ବନ୍ଦ କରିଥିବା ନେଇ ଉଲ୍ଲେଖ କରି କରି ଶେହବାଜଙ୍କୁ ଛିଡ଼ା ହେବାକୁ କହିଥିଲେ । ଟ୍ରମ୍ପ କହିଥିଲେ, "ପାକିସ୍ତାନ ଏବଂ ଭାରତ ଏକ ବଡ଼ ପ୍ରସଙ୍ଗ ଥିଲା । ମୁଁ ଭାବୁଛି ଆପଣ (ଶେହବାଜ) ଛିଡ଼ା ହେବା ଉଚିତ । ଦୟାକରି ଛିଡ଼ା ହୁଅନ୍ତୁ ।'' ଟ୍ରମ୍ପଙ୍କ କଥାକୁ ଅକ୍ଷରେ ଅକ୍ଷରେ ପାଳନ କରିଥିଲେ ଶେହବାଜ ଓ ତାଙ୍କ କଥା ରଖି ମୁଣ୍ଡ ନୁଆଁଇ ଛିଡା ହୋଇଥିଲେ ।
ଟ୍ରମ୍ପ ଆହୁରି କହିଛନ୍ତି, "ଉଭୟ ଯୁଦ୍ଧ କରିବାକୁ ଚାହୁଁଥିଲେ। କିନ୍ତୁ ଯେତେବେଳେ ଟଙ୍କା କଥା ଆସିଲା ସେମାନେ ଅଟକି ଗଲେ । କାରଣ ମୁଁ ଦୁଇ ଦେଶ ଉପରେ ଟାରିଫ୍ ଲଗାଇବାକୁ ଚେତାବନୀ ଦେଇଥିଲି । ଯୁଦ୍ଧରେ ୧୧ ଟି ଜେଟ୍ ଖସାଇ ଦିଆଯାଇଥିଲା । ସେଗୁଡିକ ବହୁତ ମହଙ୍ଗା ଜେଟ୍ ।" ଟ୍ରମ୍ପ ପୂର୍ବରୁ ଦାବି କରିଥିଲେ ଯେ ସଂଘର୍ଷରେ ୭ଟି ଜେଟ୍ ଖସାଇ ଦିଆଯାଇଥିଲା ।
କଣ କହିଲେ ଶେହବାଜ ? ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ତେଲ ମାରିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ । ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ରୋକିବାକୁ ନେଇ ଟ୍ରମ୍ପ କରିଥିବା ଦାବିକୁ ଶେହବାଜ ସମର୍ଥନ କରିଛନ୍ତି । ଟ୍ରମ୍ପଙ୍କୁ ତେଲ ମାରି ସେ କହିଛନ୍ତି, ''ଆପଣ ସାଉଥ ଏସିଆର ରକ୍ଷକ । ଆପଣଙ୍କ ପରି କେହି ନାହାନ୍ତି । ଡୋନାଲ୍ଡ ଟ୍ରମ୍ପ ଶାନ୍ତିଦୂତ । ସାଉଥ ଏସିଆକୁ ଉଦ୍ଧାର କରିବାରେ ତାଙ୍କ ହାତ ରହିଛି ।
ଟ୍ରମ୍ପଙ୍କ ମିଥ୍ୟା ଦାବି ଏବଂ ଭାରତର ମତ- ଟ୍ରମ୍ପ୍ ହ୍ୱାଇଟ୍ ହାଉସରେ ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ବର୍ଷରେ ୮ଟି ଯୁଦ୍ଧ ବନ୍ଦ କରିଥିବା ବାରମ୍ବାର ଦାବି କରି ଆସୁଛନ୍ତି । ସେ ଭାରତ-ପାକିସ୍ତାନ ବିବାଦ ବନ୍ଦ କରିବାର ଶ୍ରେୟ ମଧ୍ୟ ୮୦ ରୁ ଅଧିକ ଥର ଦାବି କରିଛନ୍ତି । ମଇ ୧୦, ୨୦୨୫ରେ, ସେ ସୋସିଆଲ ମିଡିଆରେ କହିଥିଲେ ଯେ, ଆମେରିକା ମଧ୍ୟସ୍ଥତାରେ ଆଲୋଚନା ପରେ, ଦୁଇ ପଡ଼ୋଶୀ ଦେଶ ଏକ "ତୁରନ୍ତ ଏବଂ ସମ୍ପୂର୍ଣ୍ଣ" ଯୁଦ୍ଧବିରତି ପାଇଁ ରାଜି ହୋଇଥିଲେ । ଭାରତ କହିଛି ଯେ, ପାକିସ୍ତାନ ସହିତ ଶତ୍ରୁତା ବନ୍ଦ କରିବା ପାଇଁ ଚୁକ୍ତିନାମା ଦୁଇ ସେନାର ସାମରିକ ଅଭିଯାନ ମହାନିର୍ଦ୍ଦେଶକ (DGMO)ଙ୍କ ମଧ୍ୟରେ ସିଧାସଳଖ ଆଲୋଚନା ମାଧ୍ୟମରେ ହୋଇଥିଲା, ତୃତୀୟ ପକ୍ଷ ମଧ୍ୟସ୍ଥତା ମାଧ୍ୟମରେ ନୁହେଁ ।
ଏହା ବି ପଢନ୍ତୁ...ଇରାନ ବିରୋଧରେ ଟ୍ରମ୍ପଙ୍କ 'ଟୁ ଫେଜ୍ ପ୍ଲାନ୍' ! ଖାମେନେଇଙ୍କ ହାତରେ ୧୦ ଦିନ, ପ୍ରଥମେ ଏୟାରଷ୍ଟ୍ରାଇକ୍ ନମାନିଲେ...