ନୂଆଦିଲ୍ଲୀ,୨୦/୦୨; ଯୁଦ୍ଧ ଦ୍ୱାରଦେଶରେ ପହଞ୍ଚିଛନ୍ତି ଆମେରିକା-ଇରାନ । ଏଥିଲାଗି ଆମେରିକା ୨୦୦୩ ପରଠାରୁ ମଧ୍ୟପ୍ରାଚ୍ୟରେ ସବୁଠୁ ବଡ଼ ବାୟୁସେନା ଏବଂ ନୌସେନା ମୁତୟନ କରିଛି । ଠୁଳ ହେଲାଣି ଆମେରିକା ଯୁଦ୍ଧପୋତ । ଇରାନକୁ ଧୀରେ ଧୀରେ ଘେରା ବନ୍ଦୀ କଲାଣି ଆମେରିକା । ଆମେରିକା ସେନାକୁ କେବଳ ଟ୍ରମ୍ପଙ୍କ ସିଗନାଲକୁ ଅପେକ୍ଷା । କୌଣସି ମୂହୁର୍ତ୍ତରେ ହୋଇପାରେ ଯୁଦ୍ଧ । ଇରାନ ବିରୋଧରେ ଟ୍ରମ୍ପଙ୍କ 'ଟୁ ଫେଜ୍ ପ୍ଲାନ୍' ରହିଛି । ପ୍ରଥମେ ଏୟାରଷ୍ଟ୍ରାଇକ୍ ନମାନିଲେ ହେବ ବଡ଼ ଆକ୍ସନ । ତେବେ ଇରାନକୁ ଆଉ ଏକ ସୁଯୋଗ ଦେବାକୁ ଯାଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏହି ମଧ୍ୟପ୍ରାଚ୍ୟ ଦେଶକୁ ୧୦ ଦିନ ମହଲତ ଦେଇଛନ୍ତି ।

ଇରାନ ଉପରେ ସମ୍ଭାବ୍ୟ ଆକ୍ରମଣକୁ ନେଇ ଟ୍ରମ୍ପ୍ ଗୁରୁବାର ବରିଷ୍ଠ ଅଧିକାରୀ ଏବଂ ଶୀର୍ଷ ପରାମର୍ଶଦାତାଙ୍କ ସହ ଏକ ଜରୁରି ବୈଠକ କରିଥିଲେ । ବୈଠକ ପରେ ଟ୍ରମ୍ପ୍ ଘୋଷଣା କରିଛନ୍ତି, ଆସନ୍ତା ୧୦ ଦିନ ବେଶ୍ ମହତ୍ତ୍ୱପୂର୍ଣ୍ଣ । ଏହି ସମୟ ମଧ୍ୟରେ ଆମେରିକା-ଇରାନ ମଧ୍ୟରେ ପରମାଣୁ ବୁଝାମଣା ହୋଇପାରେ । ଆସନ୍ତା ୨୨ ତାରିଖ ଭିତରେ ଯେ କୌଣସି ସମୟରେ ଆମେରିକା ଇରାନ ଉପରେ ଆକ୍ରମଣ କରିପାରେ ବୋଲି ଆମେରିକୀୟ ଗଣମାଧ୍ୟମ ରିପୋର୍ଟ ପ୍ରକାଶ ପାଇବା ଭିତରେ ଟ୍ରମ୍ପ୍ ଏହି ନିଷ୍ପତ୍ତି ନେଇଛନ୍ତି । ରିପୋର୍ଟ ଅନୁସାରେ, ଆମେରିକା ସେନା ଟ୍ରମ୍ପ୍ଙ୍କ ଚୂଡ଼ାନ୍ତ ନିଷ୍ପତ୍ତିକୁ ଅପେକ୍ଷା କରିଛି । ଟ୍ରମ୍ପ୍ ଆଦେଶ ଦେବା କ୍ଷଣି ଆମେରିକା ସେନା ଇରାନରେ ସାମରିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଦେବ ।

ଇରାନ ବିରୋଧରେ ବଡ଼ ସୈନ୍ୟ ଅଭିଯାନ ଲାଗି ଆମେରିକା ସବୁ ପ୍ରସ୍ତୁତି କରିସାରିଛି । ଏହି କ୍ଷେତ୍ରରେ ଆମେରିକୀୟ ଯୁଦ୍ଧଜାହାଜ, ଫାଇଟର ଜେଟ୍, ରିଫୁଏଲିଂ ଏୟାରକ୍ରାଫ୍ଟ, ମିସାଇଲ ଭର୍ତ୍ତି ଡେଷ୍ଟ୍ରୟର, ଟମ୍ହକ୍ କ୍ରୁଜ୍ ମିସାଇଲ ଥିବା ବୁଡ଼ାଜାହାଜ ମୁତୟନ ଦ୍ରୁତଗତିରେ ବଢ଼ୁଛି । ମଧ୍ୟପ୍ରାଚ୍ୟରେ ଆମେରିକୀୟ ନୌସେନାର ମଜଭୁତ ଉପସ୍ଥିତି ବି ସମ୍ଭାବିତ ସାମରିକ ଅଭିଯାନର ଗମ୍ଭୀରତାକୁ ଦର୍ଶାଉଛି । ଇରାନ ଆଖପାଖରେ ଆମେରିକୀୟ ଯୁଦ୍ଧଜାହାଜ, ବୁଡ଼ାଜାହାଜ ଉପସ୍ଥିତ ରହିଛି । ଯଦି ଏହି ଯୁଦ୍ଧ ହୁଏ ତେବେ ତାହା କେବଳ ଆମେରିକା-ଇରାନ ସମ୍ପର୍କରେ ନିର୍ଣ୍ଣାୟକ ମୋଡ଼ ନେବନି ବରଂ ସମ୍ପୂର୍ଣ୍ଣ ମଧ୍ୟପ୍ରାଚ୍ୟରେ ବ୍ୟାପକ ଯୁଦ୍ଧର ଆରମ୍ଭ ହୋଇପାରେ । ଏଥିଯୋଗୁ ଆଞ୍ଚଳିକ ଏବଂ ବୈଶ୍ୱିକ ସୁରକ୍ଷା ଉପରେ ଗମ୍ଭୀର ପ୍ରଭାବ ପଡ଼ିପାରେ ।

ଟ୍ରମ୍ପଙ୍କ 'ଟୁ ଫେଜ୍ ପ୍ଲାନ୍'- ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ଚରମ ସ୍ଥିତିରେ ପହଞ୍ଚିଛି । ରିପୋର୍ଟ ଅନୁସାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ପରମାଣୁ କାର୍ଯ୍ୟକଳାପକୁ ଠପ କରିବାକୁ ଭୟଙ୍କର 'ଟୁ ଫେଜ୍ ପ୍ଲାନ୍' କରିଛନ୍ତି । ଏହି ଯୋଜନା କେବଳ ଇରାନକୁ ପରମାଣୁ ଚୁକ୍ତି କରିବାକୁ ବାଧ୍ୟ କରିବା ପାଇଁ ନୁହେଁ ବରଂ ଯଦି ଏହା ହୁଏ ତେବେ ତେହେରାନରେ ଶାସନ ପରିବର୍ତ୍ତନ ହୋଇପାରେ । ପ୍ରଥମେ ଇରାନକୁ ପରମାଣୁ ଚୁକ୍ତି କରିବାକୁ ବାଧ୍ୟ କରିବାକୁ ଏୟାରଷ୍ଟ୍ରାଇକ୍ ହେବ । ଖାମେନେଇ ନମାନିଲେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବଡ଼ ସାମରିକ ଆକ୍ସନ ନେବ ଆମେରିକା ।

ଏହା ବି ପଢନ୍ତୁ...ଭାରତରେ ତିଆରି ହେବ ଫ୍ରାନ୍ସ ରାଫେଲ; ବାଟ ଛାଡିଲେ ରାଷ୍ଟ୍ରପତି ମାକ୍ରନ, ଦୁଇଦେଶ ମଧ୍ୟରେ ବଡ଼ ଚୁକ୍ତି

ଅପରପକ୍ଷେ ଇରାନ ଉପରେ ଆକ୍ରମଣ ଲାଗି ବ୍ରିଟେନ ଏହାର ସେନା ଘାଟି ଡିଏଗୋ ଗାର୍ସିଆ ଏବଂ ଆର୍ଏଏଫ୍ ଫେୟାରଫର୍ଡକୁ ଆମେରିକା ବ୍ୟବହାର କରିବା ଲାଗି ଦେବାକୁ ମନା କରିଛି । ଏଠାରେ ଆମେରିକାର ହେଭି ବମ୍ବର ବା ଭାରୀ ବୋମାବର୍ଷୀ ବିମାନ ରହିଛି । ଏହି ସେନା ଘାଟିକୁ ଆମେରିକା ଇରାନ ବିରୋଧରେ ବ୍ୟବହାର ଲାଗି ରଣନୀତି ବନାଇଥିବା ରିପୋର୍ଟ ପ୍ରକାଶ ପାଇଛି । ସେପଟେ ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ପରମାଣୁ ବୁଝାମଣା ଭିତରେ ବାଲିଷ୍ଟିକ୍ ମିସାଇଲ ପ୍ରୋଜେକ୍ଟ ସବୁଠୁ ବଡ଼ ବିବାଦ ହୋଇ ଉଭା ହୋଇଛି । ଇରାନ ଏହା ଉପରେ ଆଦୌ ବୁଝାମଣା କରିବାକୁ ଚାହୁଁନି । ଇରାନ ଅନୁସାରେ ବାଲିଷ୍ଟିକ୍ ମିସାଇଲ ଇରାନ ପ୍ରତିରକ୍ଷା ପ୍ରୋଗ୍ରାମ ପାଇଁ ବେଶ୍ ଜରୁରି । ତେଣୁ ଏହା ଉପରେ ରୋକ ଲଗାଯାଇପାରିବନି ।