ସମ୍ପତ୍ତି ପାଇଁ ଡବଲ୍ ମର୍ଡର

ଜୟପୁର,୯ା୩(ବ୍ୟୁରୋ): ସମ୍ପତ୍ତିର ଲୋଭ ଏମିତି ଯେ, ନିଜ ବାପା-ମା’ଙ୍କୁ ବି ପୁଅ-ବୋହୂ ହତ୍ୟା କରିବାକୁ ପଛେଇଲେନି । ଟାଙ୍ଗିଆରେ ଅତି ନିର୍ମମ ଭାବେ ହାଣି ମାରିଦେଲେ ବୋଲି ପୁଲିସ କହୁଛି । କୋରାପୁଟ ଜିଲ୍ଲା ଜୟପୁର ସହରରେ ଘଟିଛି ଏପରି ଅମାନବୀୟ କାଣ୍ଡ । ସମ୍ପତ୍ତି ପାଇଁ ଜଣେ ଅବସରପ୍ରାପ୍ତ ପୁଲିସ୍ ଅଧିକାରୀ ଓ ତାଙ୍କ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ଏଭଳି ନୃଶଂସ ଘଟଣା ଘଟିଛି ସ୍ଥାନୀୟ ଜୟନଗର ଅଞ୍ଚଳରେ । ପ୍ରାଣ ହରାଇଥିବା ଦମ୍ପତି ହେଲେ ମହମ୍ମଦ କରିମୁର ରେହମାନ୍(୮୦) ଓ ତାଙ୍କ ସ୍ତ୍ରୀ ହାଫିଜା ବିବି(୭୬) । ଅତିରିକ୍ତ ଏସ୍ପି ଉତ୍କଳରଞ୍ଜନ ଦାସଙ୍କ ସମେତ ଜୟପୁର ଏସ୍ଡିପିଓ ସାଗରିକା ନାଥ, ବୋରିଗୁମ୍ମା ଏସ୍ଡିପିଓ ହରେକୃଷ୍ଣ ମାଝି, ଟାଉନ୍ଥାନା ଆଇଆଇସି ବାଲେଶ୍ୱର ଗିଦ୍ଧି ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତନାଘନା କରିଛନ୍ତି । ଏମିତିକି ସାଇଣ୍ଟିଫିକ୍ ଟିମ୍ ଏବଂ ସନ୍ଧାନୀ କୁକୁର ସହାୟତାରେ ଚାଲିଛି ତଦନ୍ତ । ଏଭଳି ଅମାନବୀୟ ଘଟଣା ପଛରେ ପୁଅ-ବୋହୂଙ୍କ ହାତ ଥିବା ସନ୍ଦେହ କରି ପୁଲିସ୍ ସେମାନଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି । ପୁଲିସ୍ର ପ୍ରାଥମିକ ତଦନ୍ତରୁ ଯାହା ଜଣାପଡ଼ିିଛି, ସମ୍ପତ୍ତି ପାଇଁ ହିଁ ବୃଦ୍ଧ ଦମ୍ପତିଙ୍କୁ ହତ୍ୟା କରାଯାଇଛି ।
ଜୟନଗର ଛକ ନିକଟରେ ରହୁଥିଲେ ରେହମାନ ଓ ତାଙ୍କ ସ୍ତ୍ରୀ ହାଫିଜା । ସେମାନଙ୍କର ଗୋଟିଏ ଝିଅ ବାହା ହୋଇ ସାରିଛି । ପୁଅ-ବୋହୂ ପାଖରେ ରହୁନଥିଲେ ମଧ୍ୟ ଅନେକ ସମୟରେ ଯିବା ଆସିବା କରନ୍ତି । କରିମୁର୍ ରେହମାନଙ୍କ ପୁଅ ଏମ୍.କେ. ଲତିଫୁର ରେହମାନ(୪୨)ଙ୍କ ସୂଚନା ଅନୁଯାୟୀ, ଆଜି ସକାଳେ ସେ ଘରକୁ ଆସିଥିଲେ । ବାହାରପଟୁ ଥାଇ ବାପାମାଆଙ୍କୁ ଡାକିଥିଲେ । କିନ୍ତୁ କେହିହେଲେ ଶୁଣି ନଥିଲେ । ପରେ ଘର ପଛପଟକୁ ଯାଇଥିଲେ । ପଛପଟ କବାଟ ଖୋଲା ଥିବା ଦେଖିବାକୁ ପାଇଥିଲେ । ସେ ପାଖ ଲୋକ ଏବଂ ଜଣେ ସାଙ୍ଗକୁ ଡାକିଥିଲେ । ପରେ ପୂର୍ବତନ କାଉନ୍ସିଲର ଆରତୀ ମିଶ୍ରଙ୍କ ସ୍ୱାମୀ ମନୋଜ ମିଶ୍ରଙ୍କୁ ଜଣାଇଥିଲେ । ମନୋଜଙ୍କଠାରୁ ଖବରପାଇ ପହଞ୍ଚିଥିଲା ଟାଉନ୍ ପୁଲିସ୍ । ଏସ୍ଡିପିଓ ସାଗରିକା, ଟାଉନ୍ଥାନା ଆଇଆଇସି ବାଲେଶ୍ୱର ଗିଦ୍ଧି ଏବଂ ଏସ୍ଆଇ ଶିବଶଙ୍କର ସାହୁ ପ୍ରମୁଖ ପହଞ୍ଚି ଆରମ୍ଭ କରିଥିଲେ ତଦନ୍ତ ।
ଘର ଭିତରେ ଖଟ ଉପରେ ପଡ଼ିିଥିଲା କରିମୁର୍ ରେହମାନଙ୍କ ରକ୍ତ ଜୁଡୁବୁଡୁ ମୃତଦେହ । ତାଙ୍କ ମୁଣ୍ଡ ଓ ଦେହର ବିଭିନ୍ନ ଅଂଶକୁ ହାଣି ଦିଆଯାଇଥିଲା । ସେହିପରି ସ୍ତ୍ରୀ ହାଫିଜାଙ୍କୁ ମଧ୍ୟ ନିର୍ମମ ଭାବେ ଟାଙ୍ଗିଆରେ ହଣା ଯାଇଥିବା ଦେଖିବାକୁ ମିଳିଥିଲା । ରକ୍ତରେ ଭିଜିଯାଇଥିଲା ଘରର ବିଭିନ୍ନ ସ୍ଥାନ । ସ୍ଥାନୀୟ ଲୋକଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, କରିମୁର୍ ରେହମାନ ଥିଲେ ଜଣେ ଅବସରପ୍ରାପ୍ତ ପୁଲିସ୍ ସବ୍ଇନ୍ସପେକ୍ଟର । ପାରାବେଡ଼ା ଅଞ୍ଚଳରେ ତାଙ୍କର ଆଉ ଏକ ଘର ଥିଲା । କିଛି ଦିନ ତଳେ କରିମୁର୍ ଏହାକୁ ୪୦ ଲକ୍ଷ ଟଙ୍କାରେ ବିକିବା ଲାଗି କୁଆଡ଼େ ଯୋଜନା କରିଥିଲେ । ଆଉ ଯଦି ବିକ୍ରି ନହୁଏ, ତା’ହେଲେ ଝିଅ ନାଁରେ ୱିଲ୍ନାମା କରିବାକୁ ଚାହୁଁଥିଲେ । ଏହାକୁ ନେଇ ଦେଖାଦେଇଥିଲା ବିବାଦ । ଆଉ ଏହାକୁ କେନ୍ଦ୍ରକରି ହତ୍ୟାକାଣ୍ଡ ଘଟିଥାଇ ପାରେ ବୋଲି ସନ୍ଦେହ କରୁଛନ୍ତି ପଡୋଶୀ ଏବଂ ପୁଲିସ୍ ।
ଅତିରିକ୍ତ ଏସ୍ପି ଶ୍ରୀ ଦାସ କହିଛନ୍ତି, ଏହା ଏକ ଅତ୍ୟନ୍ତ ସମ୍ବେଦନଶୀଳ ଘଟଣା । ତେଣୁ ଏହାର ତଦନ୍ତ ଲାଗି ଗଢାଯାଇଛି ଦୁଇଟି ଟିମ୍ । ଜୟପୁର ଏସ୍ଡିପିଓ ସାଗରିକାଙ୍କ ନେତୃତ୍ୱରେ ଗୋଟିଏ ଟିମ୍ ଏବଂ ବୋରିଗୁମ୍ମା ଏସ୍ଡିପିଓ ଶ୍ରୀ ମାଝିଙ୍କ ନେତୃତ୍ୱରେ ଅନ୍ୟ ଏକ ଟିମ୍ ଘଟଣାର ତଦନ୍ତ କରୁଛି । ଏଥିସହ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁରର ସହାୟତା ନିଆଯାଇଛି । ଘଟଣାସ୍ଥଳରୁ ପୁଲିସ୍ ଜବତ କରିଛି ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆ, ଗୋଟିଏ ମୋବାଇଲ୍ ଏବଂ ଟର୍ଚ୍ଚ ଲାଇଟ୍ । ରାତି ପ୍ରାୟ ୮ଟା ପର୍ଯ୍ୟନ୍ତ ପୁଲିସ ଦମ୍ପତିଙ୍କ ମୃତ ଦେହ ଜବତ କରିନଥିଲା । ଝିଅ ଆସିବା ପରେ ମୃତଦେହ ଜବତ କରାଯିବ ବୋଲି ସୂଚନା ମିଳିଛି । ହତ୍ୟାକାଣ୍ଡ ସଂପର୍କରେ ମୁସଲିମ୍ ସଂପ୍ରଦାୟ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି । ପୁଲିସ୍ ୩୦୨ ଦଫାରେ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଛି । ମାମଲାର ତଦନ୍ତକାରୀ ଅଧିକାରୀ ଅଛନ୍ତି ଆଇଆଇସି ବାଲେଶ୍ୱର ଗିଦ୍ଧି ।