ଅନୁଗୁଳ, ୧୨/୧୧ : ଯୌତୁକ ଲୋଭରେ ନିର୍ଦ୍ଦୟ ହେଉଛନ୍ତି ଶାଶୂଘର ଲୋକ । ସୈତାନ୍ ସାଜୁଛି ସ୍ୱାମୀ । ବାହାଘରର ଦିନ କେଇଟା ନ ଯାଉଣୁ ଆରମ୍ଭ ହେଉଛି ନିର୍ଯାତନା । କେଉଁଠି ଯୌତୁକ ନିର୍ଯାତନା ସହି ନପାରି ନବବଧୂ ଆତ୍ମହତ୍ୟା କରୁଛି ତ ଆଉ କେଉଁଠି ହତ୍ୟା କରି ଆତ୍ମହତ୍ୟାର ରୂପ ଦେଉଛନ୍ତି ଶାଶୂଘର ଲୋକେ । ଯୌତୁକ ଭଳି କୁତ୍ସିତ ପ୍ରଥାକୁ ଲୋକ ଜାବୁଡ଼ି ଧରିଥିବା ବେଳେ ଅନୁଗୁଳ ଜିଲ୍ଲାରେ ଯୌତୁକ ଜନିତ ନିର୍ଯାତନା ଉଦବେଗଜନକ ଭାବେ ବଢ଼ିଚାଲିଛି । ଗତ ଦେଢ଼ ବର୍ଷ ମଧ୍ୟରେ ଜିଲ୍ଲାରେ ଯୌତୁକ ଜନିତ ନିର୍ଯାତନା ମାମଲା ୨୫୦ ଟପିଥିବା ବେଳେ ଯୌତୁକ ଜୁଇରେ ଜଳିଲେଣି ୧୫ରୁ ଅଧିକ ମହିଳା ।

ପୁଲିସ୍ ତଥ୍ୟ ମୁତାବକ, ୨୦୨୪ ଜୁନରୁ ଜୁଲାଇ ୨୦୨୫ ମଧ୍ୟରେ ୧୯୨ଟି ଯୌତୁକ ନିର୍ଯାତନା ମାମଲା ଜିଲ୍ଲାର ବିଭିନ୍ନ ଥାନାରେ ରୁଜୁ ହୋଇଛି । ଶାଶୂଘର ଲୋକଙ୍କ ନିର୍ଯାତନା ଅସହ୍ୟ ହେବାରୁ ନବବିବାହିତା ବୋହୂ ଥାନାରେ ପହଞ୍ଚିଛନ୍ତି । ଗତ ୪ ମାସର ପରିସଂଖ୍ୟାନକୁ ମିଶାଇଲେ ଏହି ମାମଲା ସଂଖ୍ୟା ୨୫୦ ଟପିବ ବୋଲି କୁହାଯାଉଛି । ସେହିପରି ଗତବର୍ଷ ଜୁନରୁ ଚଳିତ ବର୍ଷ ଜୁଲାଇ ମଧ୍ୟରେ ୧୦ ଜଣ ମହିଳା ଯୌତୁକ ଜୁଇରେ ଜଳିଛନ୍ତି । ଏମାନଙ୍କ ମଧ୍ୟରୁ ୭ ଜଣ ନିର୍ଯାତନା ସହିନପାରି ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଛନ୍ତି । ଅପରପକ୍ଷରେ ୩ ଜଣ ମହିଳାଙ୍କୁ ଶାଶୂଘର ଲୋକ ହତ୍ୟା କରିଥିବା ପୁଲିସର ତଥ୍ୟ କହୁଛି । ସଚେତନତାର ଅଭାବ ଓ ଯୌତୁକ ଲୋଭ ଏହି ଯୌତୁକ ନିର୍ଯାତନାକୁ ଜନ୍ମ ଦେଉଛି ।

ଶିମିଳିପଡ଼ା ଅଞ୍ଚଳର ମିନାକ୍ଷୀ ଭଞ୍ଜ ରାଜକିଶୋରପଡ଼ାର ସିଦ୍ଧାନ୍ତ ସାହୁଙ୍କୁ ପ୍ରେମ ବିବାହ କରିଥିଲେ । ଉଭୟ ତୁରଙ୍ଗଠାରେ ଭଡ଼ାଘରେ ରହୁଥିବା ବେଳେ କିଛି ଦିନ ପରେ ତାଙ୍କ ଜୀବନରେ ପଶିଥିଲା ଯୌତୁକ ଝଡ଼ । ପରିବାର ଲୋକଙ୍କ କଥାରେ ପଡ଼ି ସିଦ୍ଧାନ୍ତ ଯୌତୁକ ଆଣିବାକୁ ବାଧ୍ୟ କରାଇଥିଲେ । ଉଭୟଙ୍କ ମଧ୍ୟରେ ବିବାଦ ହୋଇଥିଲା । ବିବାଦ ଏତେ ଉଗ୍ର ନେଇଥିଲା ଯେ, ଗତ ମାସ ୨୨ ତାରିଖରେ ସିଦ୍ଧାନ୍ତ ସୈତାନ୍ ସାଜିଥିଲା । ଯାହାକୁ ଭଲ ପାଇ ବିବାହ କରିଥିଲା, ତା’ର ତଣ୍ଟି କାଟି ହତ୍ୟା କରିଥିଲା । ମୃତ ମୀନାକ୍ଷୀଙ୍କ ମା’ଙ୍କ ଯୌତୁକ ପାଇଁ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଥିବା ବେଳେ ପୁଲିସ୍ ଅଭିଯୁକ୍ତ ସିଦ୍ଧାନ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । କେବଳ ଏହି ଗୋଟିଏ ଘଟଣା ନୁହଁ, ଜିଲ୍ଲାରେ ନିୟମିତ ଏମିତି ଯୌତୁକ ପାଇଁ ଜୀବନ ଯାଉଛି । ଯୌତୁକ ନିର୍ଯାତନା ଅସହ୍ୟ ହେବାରୁ ଅନେକ ମହିଳା ଶାଶୂଘର ତଡ଼ା ଖାଇ ବାପ ଘରେ ମୁଣ୍ଡ ଗୁଞ୍ଜିଥିବା ଦେଖିବାକୁ ମିଳୁଛି ।

ଏ ସଂକ୍ରାନ୍ତରେ ବରିଷ୍ଠ ଆଇନଜୀବୀ ରବୀନ୍ଦ୍ର ପଟ୍ଟନାୟକ କହିଛନ୍ତି, ଯୌତୁକ ପାଇଁ ମହିଳାଙ୍କ ଜୀବନ ଯିବା ଦୁଃଖର ବିଷୟ । ଅନ୍ୟ ଜିଲ୍ଲାମାନଙ୍କ ତୁଳନାରେ ଅନୁଗୁଳରେ ଯୌତୁକ ନିର୍ଯାତନା ହାର୍ କମ୍ । ଅନେକ କ୍ଷେତ୍ରରେ ଅନ୍ୟ କାରଣରୁ ମୃତ୍ୟୁ ହେଉଥିଲେ ମଧ୍ୟ ଯୌତୁକଜନିକ ମୃତ୍ୟୁର ରୂପ ଦିଆଯାଉଛି । ପ୍ରକୃତ ଯୌତୁକଜନିତ ମାମଲାଠୁ ଏହି ମିଛ ମାମଲା ଢେର୍ ଅଧିକ । ଯଦ୍ୱାରା ନିର୍ଦୋଷ, ଏମିତିକି ସମ୍ପୃକ୍ତି ନଥିଲେ ସୁଦ୍ଧା ଟାଣି ଓଟାରି ପରିବାର ଲୋକଙ୍କୁ ଯୋଡ଼ି ଦିଆଯାଉଛି । ଏ କ୍ଷେତ୍ରରେ ଆଇନର ସଦୁପଯୋଗ ହେବା ଉଚିତ୍ ବୋଲି ସେ ପ୍ରକାଶ କରିଛନ୍ତି ।