ଅନୁଷ୍ଠାନ ନିର୍ମାତା ଭାବରେ ଡକ୍ଟର ଆମ୍ବେଦକରଙ୍କ  ଭୂମିକା ସମ୍ପର୍କରେ ବିଶେଷ ଭାବରେ ଉଲ୍ଲେଖ  କରାଯିବାର ପ୍ରୟାଜନ ରହିଛି । ଆଧୁନିକ ଭାରତର  ଅନେକ ଅନୁଷ୍ଠାନ ଯଥା ଭାରତୀୟ ରିଜର୍ଭ  ବ୍ୟାଙ୍କ ଏବଂ କେନ୍ଦ୍ରୀୟ ଜଳ ଆୟୋଗର ଉତ୍ପତ୍ତି  ବାବାସାହେବଙ୍କ ଦୂରଦୃଷ୍ଟିସମ୍ପନ୍ନ ଚିନ୍ତାଧାରା  ପ୍ରସୂତ । ପରିଣାମତଃ, ତାହା ପରବର୍ତ୍ତୀ ସମୟରେ  ଭାରତୀୟ ରିଜର୍ଭ ବ୍ୟାଙ୍କ ସୃଷ୍ଟିର ମୂଳ ଆଧାର  ପାଲଟିଥିଲା ଯାହାକି ଦେଶର କେନ୍ଦ୍ରିୟ ବ୍ୟାଙ୍କର  ଭୂମିକା ନିର୍ବାହ କରିଆସୁଛି ।

ଭାରତର ଅନ୍ୟତମ ମହାନ୍‌ ଦୂରଦ୍ରଷ୍ଟା ଡକ୍ଟର ବି.  ଆର. ଆମ୍ବେଦକରଙ୍କର ଆଜି ୧୩୫ତମ ଜୟନ୍ତୀ ।  ଡକ୍ଟର ଆମ୍ବେଦକରଙ୍କ କର୍ମ ଓ ଚିନ୍ତନକୁ ଅଣଦେଖା କରିବା  ସକାଶେ ଅନୁଚିତ ଭାବରେ ପ୍ରୟାସ କରାଯାଇ ଆସିଥିଲା ।  ତାଙ୍କ ଅବଦାନ ପ୍ରତି ହୋଇଥିବା ଏହି ବିରାଟ ଅନ୍ୟାୟ ଫଳରେ  ଆମ୍ବେଦକରଙ୍କୁ କେବଳ ଜଣେ ଦଳିତ ନେତା ଭାବରେ ଚିତ୍ରିତ  କରାଯାଇଥିଲା । ସେ କେବଳ ଦଳିତ ଏବଂ ଅବହେଳିତ  ବର୍ଗଙ୍କ ପ୍ରତିବାଦର ପ୍ରତୀକ ନଥିଲେ, ବରଂ ଆଧୁନିକ ଭାରତର  ଜଣେ ସର୍ବଶ୍ରେଷ୍ଠ ଚିନ୍ତକ ଭାବରେ ସ୍ୱୀକୃତ ।  

ଯେତେବେଳେ ସେ ବିଦ୍ୟାଳୟରେ ପଢ଼ୁଥିଲେ, ତାଙ୍କୁ  ଏପରିକି ସାଧାରଣ ପାଣି କଳରୁ ଅନ୍ୟ ପିଲାମାନଙ୍କ ଭଳି  ପାଣି ପିଇବାକୁ ଅନୁମତି ଦିଆଯାଉ ନଥିଲା ଦିନେ, ଅସହ୍ୟ  ଖରାରେ ଯେତେବେଳେ ତାଙ୍କ ନିକଟରେ ଥିବା ଜଳଉତ୍ସରୁ  ସେ ପାଣି ପିଇବାକୁ ପ୍ରୟାସ କରିଥିଲେ, ତାଙ୍କୁ ମାରଧର  କରାଯାଇଥିଲା । ଏହାକୁ ନିଜର ଭାଗ୍ୟ ବୋଲି ଅନ୍ୟମାନେ  ନୀରବରେ ସହ୍ୟ କରି ଯାଇଥାଆନ୍ତେ । ଆଉ କେହି ଅବା ଏହା ବିରୁଦ୍ଧରେ ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରିଥାଆନ୍ତେ । କିନ୍ତୁ  ଆମ୍ବେଦକର ନିଜ ଅନ୍ତରର ପ୍ରତିକ୍ରିୟାକୁ ଏକ ନୂତନ ଶିକ୍ଷା  ଭାବରେ ହିଁ ଗ୍ରହଣ କରିଥିଲେ । ଏହା ପରେ ଆମ୍ବେଦକର  ଅନେକ ଉଚ୍ଚ ଡିଗ୍ରୀ ହାସଲ କଲେ । ଏଥି ସହିତ ସେ କଲମ୍ବିଆ  ବିଶ୍ୱବିଦ୍ୟାଳୟ ଏବଂ ଲଣ୍ଡନ ସ୍କୁଲ ଅଫ୍‌ ଇକୋନୋମିକ୍ସରୁ ମଧ୍ୟ  ଗବେଷଣାତ୍ମକ ଡିଗ୍ରୀ ହାସଲ କରିଥିଲେ । ଉଚ୍ଚଶିକ୍ଷା ଲାଭ  ପରେ ଭାରତକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ତାଙ୍କ ପାଇଁ ଭାରତ  ଥିଲା ମାତୃଭୂମି ଏବଂ କର୍ମଭୂମି  ।  

ଭାଗ୍ୟ ଡକ୍ଟର ଆମ୍ବେଦକରଙ୍କୁ ଅସମ୍ଭବ ମାନସିକ  ଦୃଢ଼ତା, ପ୍ରଜ୍ଞା ଏବଂ ସାଧୁତା ପ୍ରଦାନ କରିଥିଲା ଯାହାକୁ  ସେ ସମାଜ ସଂସ୍କାରକ, ଆଇନଜ୍ଞ, ଅର୍ଥନୀତିଜ୍ଞ, ଦାର୍ଶନିକ,  ମାନବିକ ଅଧିକାର ପ୍ରବକ୍ତା ଏବଂ ରାଷ୍ଟ୍ର ନିର୍ମାତା ଭାବରେ  ବିନିଯୋଗ କରିଥିଲେ । ଡକ୍ଟର ଆମ୍ବେଦକରଙ୍କ ପାଣ୍ଡିତ୍ୟର  ଗଭୀରତା, ବ୍ୟାପ୍ତି ଏବଂ ବିପୁଳତା ଅବିଶ୍ୱସନୀୟ ।  ରାଜନୀତି ଠାରୁ ଆରମ୍ଭ କରି ନୀତିଶାସ୍ତ୍ର,ସମାଜଶାସ୍ତ୍ର, ନୃତତ୍ତ୍ୱ, ଅର୍ଥନୀତି, ଆଇନ ଶାସ୍ତ୍ର, ରାଜନୈତି, ଅର୍ଥନୀତି  ଓ ଧର୍ମଶାସ୍ତ୍ର ପର୍ଯ୍ୟନ୍ତ ବିଭିନ୍ନ ବିଷୟ ଓ ପ୍ରସଙ୍ଗ ଉପରେ  ସେ ବ୍ୟାପକ ପୁସ୍ତକ ରଚନା କରିଥିଲେ ।  

ଅନୁଷ୍ଠାନ ନିର୍ମାତା ଭାବରେ ଡକ୍ଟର ଆମ୍ବେଦକରଙ୍କ  ଭୂମିକା ସମ୍ପର୍କରେ ବିଶେଷ ଭାବରେ ଉଲ୍ଲେଖ କରାଯିବାର  ପ୍ରୟୋଜନ ରହିଛି । ଆଧୁନିକ ଭାରତର ଅନେକ ଅନୁଷ୍ଠାନ  ଯଥା ଭାରତୀୟ ରିଜର୍ଭ ବ୍ୟାଙ୍କ ଏବଂ କେନ୍ଦ୍ରୀୟ ଜଳ  ଆୟୋଗର ଉତ୍ପତ୍ତି ବାବାସାହେବଙ୍କ ଦୂରଦୃଷ୍ଟିସମ୍ପନ୍ନ  ଚିନ୍ତାଧାରା ପ୍ରସୂତ । ପରିଣାମତଃ, ତାହା ପରବର୍ତ୍ତୀ  ସମୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ ସୃଷ୍ଟିର ମୂଳ ଆଧାର  ପାଲଟିଥିଲା ଯାହାକି ଦେଶର କେନ୍ଦ୍ରିୟ ବ୍ୟାଙ୍କର ଭୂମିକା  ନିର୍ବାହ କରିଆସୁଛି । 

ଜଣେ ସଚ୍ଚା ଗଣତନ୍ତ୍ରବାଦୀ ତଥା ଏହି ବ୍ୟବସ୍ଥା  ଉପରେ ଡକ୍ଟର ଆମ୍ବେଦକର ବିଶ୍ୱାସ କରୁଥିଲେ ଯେ ଏକ  ଗଣତାନ୍ତ୍ରିକ ଧାରାରେ ପରିଚାଳିତ ସରକାର କେବଳ ହିଁ  ସମାଜରେ ଗଣତାନ୍ତ୍ରିକ ଚିନ୍ତାଧାରାକୁ ପ୍ରସାରିତ କରିପାରିବ ।  ତାଙ୍କର ଦୃଢ଼ ଧାରଣା ଥିଲା ଯେ ସମାଜରେ ଯେ ପର୍ଯ୍ୟନ୍ତ  ଆଦର୍ଶର ଶୃଙ୍ଖଳା ପ୍ରସାରିତ ନହେବ, ସେତେବେଳ  ପର୍ଯ୍ୟନ୍ତ ଗଣତନ୍ତ୍ର ଏବଂ ଆଇନର ବ୍ୟବସ୍ଥା କଦାପି  ସୁଚାରୁରୂପେ କାର୍ଯ୍ୟକାରୀ ହୋଇପାରିବ ନାହିଁ । କେବଳ  ତାଙ୍କରି ଯୋଗୁଁ, ଗଣତନ୍ତ୍ର, ରାଜନୀତି ଏବଂ ନୈତିକତା –  ଏହି ତିନି ବ୍ୟବସ୍ଥାରେ ଅଧିକାର, ସମାନତା ଓ ଭ୍ରାତୃତ୍ୱକୁ  ପ୍ରବର୍ତ୍ତନ କରାଯାଇପାରିଥିଲା । ସେ କହୁଥିଲେ, ‘ତୁମେ  ରାଜନୀତି ଶିକ୍ଷା କରିପାର ଏବଂ ତୁମର ନୈତିକତା ଉପରେ  ସାମାନ୍ୟତମ ଧାରଣା ନଥାଇପାରେ । ତୁମେ ଭାବୁଥାଇପାର  ଯେ ନୈତିକତା ବିନା ରାଜନୀତି କରିହେବ । କିନ୍ତୁ ମୋର  ଚିନ୍ତାଧାରାଟି ହେଲା, ଏହା ଏକ କଠିନ କାର୍ଯ୍ୟ’ ଏବଂ  ‘ଯଦି ସମାଜରରେ ନୈତିକ ଶୃଙ୍ଖଳାବୋଧ ନାହିଁ, ତେବେ  ସେଠାରେ ଗଣତନ୍ତ୍ର ଭାଙ୍ଗିରୁଜି ନଷ୍ଟ ହୋଇଯିବ ।’ ଗାନ୍ଧିଜୀଙ୍କ  ପରି, ଆମ୍ବେଦକର ମଧ୍ୟ ମୌଳିକ ସାମାଜିକ ସଂସ୍କାରରେ  ଦୃଢ଼ ବିଶ୍ୱାସୀ ଥିଲେ ।

 ଏହି କାରଣରୁ ଭାରତର ଭବିଷ୍ୟତକୁ ନେଇ ସେ  ଗଭୀର ଭାବରେ ଚିନ୍ତିତ ଥିଲେ, ଏହାର ଗଣତନ୍ତ୍ରକୁ ନେଇ  ତାଙ୍କ ମନ ଉଦ୍‌ବେଳିତ ହେଉଥିଲା ଏବଂ ଦୀର୍ଘ ଶ୍ରମ ଓ  ସଂଘର୍ଷର ଫଳଶ୍ରୁତି ସ୍ୱରୂପ ସଦ୍ୟଲବ୍ଧ ସ୍ୱାଧୀନତାକୁ ନେଇ  ମଧ୍ୟ ସେ ଉଦ୍‌ବେଳିତ ଥିଲେ । ତାଙ୍କର ଏହି ମାନସିକ  ଚିନ୍ତନ ସମ୍ବିଧାନ ପ୍ରଣୟନ ସଭାରେ ସେ ଦେଇଥିବା ଚୂଡ଼ାନ୍ତ  ଅଭିଭାଷଣରୁ ସ୍ପଷ୍ଟ ଭାବରେ ଅନୁମାନ କରାଯାଇପାରେ ।  ବିପୁଳ କରତାଳି ଏବଂ ପ୍ରଶଂସା ମଧ୍ୟରେ ଡକ୍ଟର  ଆମ୍ବେଦକର ମତ ପୋଷଣ କରିଥିଲେ ଯେ ଆମକୁ ଆମର  ସ୍ୱାଧୀନତାର ସୁରକ୍ଷା ଲାଗି ସଦାବେଳେ ମାନସିକ ସ୍ତରରେ  ଦୃଢ଼ତା ପ୍ରକଟ କରିବାକୁ ହେବ ଏବଂ ଶେଷ ରକ୍ତବିନ୍ଦୁ ଥିବା  ପର୍ଯ୍ୟନ୍ତ ତାହାକୁ ବଜାୟ ରଖିବା ଆବଶ୍ୟକ । ସେ ଚେତାଇ  ଦେଇଥିଲେ ଯେ ଯଦି ଭାରତୀୟମାନେ ଏଭଳି ଭାବନା  ପ୍ରତି ଉଦାସୀନ ହୋଇପଡ଼ନ୍ତି, ତେବେ ଆମକୁ ସଦ୍ୟ ଲବ୍ଧ  ଗଣତନ୍ତ୍ର ଓ ସ୍ୱାଧୀନତାକୁ ଦ୍ୱିତୀୟଥର ପାଇଁ ହରାଇବାକୁ  ପଡ଼ିପାରେ । ପୁନାଠାରେ ସେ ଦେଇଥିବା ଏକ ଭାଷଣରେ  ସେ କହିଥିଲେ, ‘ଆମେ ଏଭଳି ଏକ ସମ୍ବିଧାନ ଲାଭ କରିଛୁ  ଯାହା ଆମକୁ ଗଣତନ୍ତ୍ର ଉପହାର ଦେଇଛି । ଆଉ ଅଧିକ  କ’ଣ ଅବା ଆମେ ଏହାଠାରୁ ଆଶା କରି ପାରିବା? କିନ୍ତୁ  ଆପଣମାନଙ୍କୁ ମୁଁ ଚେତାବନୀ ଦେଇ କହିବାକୁ ଚାହେଁ,  ଏଭଳି ଉଦାସୀନ ଚିନ୍ତାଧାରା- ଯେ ଆମେ ଏକ ସମ୍ବିଧାନ  ପ୍ରସ୍ତୁତ କରିସାରିଛୁ ଏବଂ ଆମର ଦାୟିତ୍ୱ ଶେଷ  ହୋଇଛି, ତାହା ଭାବିବା ଭୁଲ୍‌ । ଆମର କର୍ତ୍ତବ ଆରମ୍ଭ  ହୋଇଛି ମାତ୍ର ।’ ସମ୍ବିଧାନର ମୁଖ୍ୟ ସ୍ଥପତି ରୂପରେ ତାଙ୍କର ଏହି ଉକ୍ତି ସୂଚୀତ କରେ ଯେ ବାସ୍ତବପକ୍ଷେ ସେ  କେତେ ମାତ୍ରାରେ ଦୂରଦ୍ରଷ୍ଟା ଥିଲେ ।

ସେ ଯେଉଁଭଳି ଭାବରେ ଚେତାବନୀ ଶୁଣାଇ  କହିଥିଲେ ତାହାକୁ ଅନୁସରଣ କରି ଭାରତ ବିଶ୍ୱର ଏକ  ସକ୍ରିୟ ଗଣତାନ୍ତ୍ରିକ ରାଷ୍ଟ୍ର ଭାବରେ ବିଗତ ଆଠ ଦଶନ୍ଧି ଧରି  କାର୍ଯ୍ୟ କରିଆସୁଛି । କିନ୍ତୁ ଆଜି ଆମେ ଲକ୍ଷ୍ୟ କରୁଛୁ ଯେ  କିଛି ଲୋକ ଜାତି, ଧର୍ମ, ଗୋଷ୍ଠୀ, ଭାଷା ଆଦି ସାମାଜିକ  ପ୍ରସଙ୍ଗକୁ ନେଇ ଭାରତୀୟଙ୍କ ମଧ୍ୟରେ ଥିବା ଭ୍ରାତୃତ୍ୱର  ଭାବନାକୁ ନ୍ୟୂନ କରିବାକୁ ପ୍ରୟାସ କରୁଛନ୍ତି । ତେଣୁ ଏହା  ବିରୁଦ୍ଧରେ ଆମକୁ ସତର୍କ ରହିବାକୁ ପଡ଼ିବ । ଆମ୍ବେଦକର ଆର୍ଯ୍ୟ ଆକ୍ରମଣ ତତ୍ତ୍ୱକୁ ଗ୍ରହଣ ନକରି  ସେହି ସମୟରେ ଉପହାସ କରିଥିଲେ ଯେତେବେଳେ  ଆର୍ଯ୍ୟ- ଦ୍ରାବିଡ଼ ବିଭାଜନରୁ ସର୍ବାଧିକ ଫାଇଦା ହାସଲ  କରିପାରି ଥାଆନ୍ତେ । ‘ଗୋଟିଏ ଜାତି ଅବା ପରିବାର ଜାତିଗତ  ଦୃଷ୍ଟିରୁ ଆର୍ଯ୍ୟ ଅବା ଦ୍ରାବିଡ଼ ତାହା ଭାରତର ଲୋକମାନଙ୍କ  କଦାପି ମାନସିକ ସ୍ତରରେ ବ୍ୟସ୍ତ ବିବ୍ରତ କରିନଥିଲା  ଯେତେବେଳ ପର୍ଯ୍ୟନ୍ତ ବିଦେଶୀ ପଣ୍ଡିତମାନେ ଏ ଦେଶକୁ  ଆସି ଏହି ଭାବରେ ଏକ ବିଭାଜନର ରେଖା ଟାଣି ନଥିଲେ  ।’  

ଅଧିକନ୍ତୁ, ଯେଉଁମାନେ ସେମାନଙ୍କର ସଂକୀର୍ଣ୍ଣ ଏବଂ  ଗୋଷ୍ଠୀଗତ ସ୍ୱାର୍ଥ ହାସଲ କରିବା ସକାଶେ ଭାଷା ପ୍ରସଙ୍ଗକୁ  ନେଇ ଏଭଳି ପ୍ରୟାସ କରୁଛନ୍ତି ସେମାନେ ରାଷ୍ଟ୍ରର ଏକତା ଏବଂ ଏହାର ସୁରକ୍ଷା ଦିଗରେ ଭାଷାର ଭୂମିକା ସମ୍ପର୍କରେ  ଡକ୍ଟର ଆମ୍ବେଦକର ଦେଇଥିବା ମନ୍ତବ୍ୟକୁ ପଢ଼ିଲେ ଢେର୍‌  ମାତ୍ରାରେ ଉପକୃତ ହୋଇପାରିବେ । ୧୯୪୯ ମସିହା  ସେପ୍ଟେମ୍ବର ୧୦ ତାରିଖ ଦିନ ସମ୍ବିଧାନ ପ୍ରଣୟନ ସଭାରେ  ସଂସ୍କୃତକୁ ସମର୍ଥନ ଜଣାଇ ସେ ଏକ ସଂଶୋଧନ ପ୍ରସ୍ତାବ  ଆଗତ କରିଥିଲେ – ସଂସ୍କୃତ ଥିଲା ଡକ୍ଟର ଆମ୍ବେଦକର  ପାଣ୍ଡିତ୍ୟ ହାସଲ କରିଥିବା ନଅଗୋଟି ଭାଷା ମଧ୍ୟରୁ  ଅନ୍ୟତମ ଏବଂ ସେ ଏହାକୁ କେନ୍ଦ୍ର ସରକାରଙ୍କର  ଅନ୍ୟତମ ସରକାରୀ ଭାଷା ଭାବରେ ଗ୍ରହଣ କରାଯିବାକୁ  ପ୍ରସ୍ତାବ ରଖିଥିଲେ । ତାଙ୍କର ‘ଭାଷାଭିତ୍ତିକ ରାଜ୍ୟ ଗଠନର  ଚିନ୍ତନ’ ପୁସ୍ତକରେ ସେ ଉଲ୍ଲେଖ କରିଛନ୍ତି, ‘ସମସ୍ତ  ଭାରତୀୟଙ୍କ ପାଇଁ ଏହା ଗ୍ରହଣୀୟ କର୍ତ୍ତବ୍ୟ ଯେ ହିନ୍ଦୀକୁ  ସେମାନେ ନିଜର ଭାଷା ଭାବରେ ଗ୍ରହଣ କରିବା ଉଚିତ’ ।  ଏଠାରେ ଉଲ୍ଲେଖଯାଗ୍ୟ ଯେ ବାବା ସାହେବଙ୍କର ମାତୃଭାଷା  ହିନ୍ଦୀ ନଥିଲା କିମ୍ବା ସେ ହିନ୍ଦୀ ଭାଷାଭାଷୀ କ୍ଷେତ୍ରରେ  ଜନ୍ମଗ୍ରହଣ କରି ନଥିଲେ । ତଥାପି ସେ ଏହା କହିଥିଲେ,  କାରଣ ତାଙ୍କ ପାଇଁ ରାଷ୍ଟ୍ର ସର୍ବୋପରି ଥିଲା। 

୧୯୫୨ ମସିହା ଡିସେମ୍ବର ୨୨ ତାରିଖ ଦିନ  ‘ଗଣତନ୍ତ୍ରର ସଫଳ କାର୍ଯ୍ୟାନ୍ୱୟନ ପୂର୍ବବର୍ତ୍ତୀ ସ୍ଥିତି’ ଶୀର୍ଷକ  ଏକ ଭାଷଣରେ ଡକ୍ଟର ଆମ୍ବେଦକର କହିଥିଲେ ଯେ  ସମୟକ୍ରମେ ଏବଂ ଆଧୁନିକ ଗଣତାନ୍ତ୍ରିକ ବ୍ୟବସ୍ଥାରେ  ଜନସାଧାରଣଙ୍କ କଲ୍ୟାଣ ସାଧନ ନିମନ୍ତେ ଗଣତନ୍ତ୍ର  ସ୍ୱରୂପରେ ପରିବର୍ତ୍ତନ ଘଟିଥାଏ । ଏହି ଆଦର୍ଶ ଓ ପରିକଳ୍ପନା  ଦିଗରେ କାର୍ଯ୍ୟ କରି, ଗତ ୧୦ ବର୍ଷ ମଧ୍ୟରେ ଆମ ସରକାର  ଦେଶର ୨୫ କୋଟି ଲୋକଙ୍କୁ ଦାରିଦ୍ର‌୍ୟ ସୀମାରେଖା  ଉପରକୁ ଉଠାଇବାକୁ ସକ୍ଷମ ହୋଇପାରିଛି ।

ଡକ୍ଟର ଆମ୍ବେଦକର ବିଶ୍ୱାସ କରୁଥିଲେ ଯେ ସାମାଜିକ  ଏବଂ ଆର୍ଥିକ ଗଣତନ୍ତ୍ର ରାଜନୈତିକ ଗଣତନ୍ତ୍ର ସହିତ  ହାତ ଧରାଧରି ହୋଇ ଆଗକୁ ଅଗ୍ରସର ହୋଇଥାଆନ୍ତି ।  ପ୍ରଧାନମନ୍ତ୍ରୀ ମୋଦୀଜୀ ୨୦୪୭ ମସିହା ସୁଦ୍ଧା ‘ବିକଶିତ  ଭାରତ ଗଠନ’ର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି  । ଏହି ଲକ୍ଷ୍ୟ  ବାବା ସାହେବଙ୍କ ପରିକଳ୍ପନାକୁ ହିଁ ପୁଷ୍ଟ କରୁଛି ।  ଅଧିକନ୍ତୁ, ଭବିଷ୍ୟତ ପିଢ଼ି ନିମନ୍ତେ ବାବା ସାହବେଙ୍କ  କାର୍ଯ୍ୟଧାରା, ଚିନ୍ତନ ଓ ତାଙ୍କର ଅବଦାନକୁ ଅଧିକ  ମାତ୍ରାରେ ଜାଣିବା ସକାଶେ, ଆମ ସରକାର ଏକ  ପଞ୍ଚତୀର୍ଥର ବିକାଶ ଘଟାଇବା ଦିଗରେ କାର୍ଯ୍ୟ କରୁଛି ।  ଏହି ପାଞ୍ଚଗାଟି ପ୍ରମୁଖ ସ୍ଥାନ ଡକ୍ଟର ଆମ୍ବେଦକରଙ୍କ  ଜୀବନ ଓ କର୍ମଭୂମି ସହିତ ଜଡ଼ିତ । ସେଗୁଡ଼ିକ ହେଲା  ମାହେ (ମଧ୍ୟ ପ୍ରଦେଶ), ନାଗପୁରର ଦୀକ୍ଷାଭୂମି  (ମହାରାଷ୍ଟ୍ର), ଲଣ୍ଡନର ଡକ୍ଟର ଆମ୍ବେଦକର ସ୍ମାରକୀ  ଭବନ, ଆଲିପୁର ରୋଡ (ଦିଲ୍ଲୀ)ର ମହାପରିନିର୍ବାଣ  ଭୂମି, ଏବଂ ମୁମ୍ବାଇର ଚୈତ୍ୟଭୂମି (ମହାରାଷ୍ଟ୍ର) । 

ଗତ ମାସରେ, ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀଜୀ  ଦୀକ୍ଷାଭୂମି ପରିଦର୍ଶନ କରିଥିଲେ, ସେ ବାବା ସାହେବଙ୍କ  ପରିକଳ୍ପିତ ଭାରତ ଗଠନର ସ୍ୱପ୍ନକୁ ସାକାର କରିବା  ସକାଶେ ତାଙ୍କ ସରକାର ଆହୁରି ଅଧିକ ମାତ୍ରାରେ ନିଷ୍ଠାର  ସହିତ କାର୍ଯ୍ୟ କରିବାର ପ୍ରତିବଦ୍ଧତା ପ୍ରକଟ କରିଥିଲେ ।  ବାବାସାହେବଙ୍କ ଜନ୍ମ ଜୟନ୍ତୀ ସମସ୍ତ ଭାରତୀୟଙ୍କୁ ତାଙ୍କ  ଦ୍ୱାରା ପ୍ରଦତ୍ତ ମୂଲ୍ୟବାଧ ଏବଂ ଆଦର୍ଶ ପ୍ରତି ସେମାନଙ୍କର ପ୍ରତିବଦ୍ଧତାକୁ ପୁନଃପ୍ରକଟ କରିବାର ସୁଯୋଗ ବୋଲି  ଅଭିହିତ କରିଛନ୍ତି । ଆସନ୍ତୁ, ଆମେ ଆମର ଜାତି, ଧର୍ମ,  ସମ୍ପ୍ରଦାୟ ଓ ଗୋଷ୍ଠୀର ଭାବନାରୁ ଉଦ୍ଧ୍ୱର୍କୁ ଉଠିବା ଏବଂ  ନିଜକୁ ‘ଭାରତୀୟ’ ଭାବରେ ପରିଚିତ କରାଇବା ।

 ବାବା  ସାହେବଙ୍କ ଭାବନାକୁ ବାସ୍ତବ ସମ୍ମାନ ପ୍ରଦର୍ଶନ କରିବାକୁ  ହେଲେ, ଆମକୁ ତାଙ୍କର ଚିନ୍ତନର ବ୍ୟାପକତା ଓ ବିଶାଳତା  ସହିତ ଜଡ଼ିତ ହେବାକୁ ପଡ଼ିବ ଏବଂ ତାଙ୍କୁ ଏକ ଗୋଷ୍ଠୀର  ନେତା ସ୍ତରକୁ ନ୍ୟୂନ କରିବାର ସମସ୍ତ ପ୍ରୟାସକୁ ପ୍ରତିହତ  କରିବାକୁ ପଡ଼ିବ । ସେ ସାଇମନ କମିଶନଙ୍କ ସମ୍ମୁଖରେ  ନିଜର ସାକ୍ଷ୍ୟ ପ୍ରଦାନ କରିବାକୁ ଯାଇ ଯାହା କହିଥିଲେ  ତାହା ହେଲା, ବର୍ତ୍ତମାନର ସବୁଠାରୁ ବଡ଼ ଆବଶ୍ୟକତା  ହେଲା ଲୋକମାନଙ୍କ ମଧ୍ୟରେ ଏଭଳି ଏକ ଭାବନା ସୃଷ୍ଟି  କରିବା ଯେଉଁଥିରେ ‘ସେମାନେ ନିଜକୁ ପ୍ରଥମେ ଭାରତୀୟ  ବୋଲି ହେତୁ କରିବେ ଏବଂ ଶେଷ ପର୍ଯ୍ୟନ୍ତ ଭାରତୀୟ  ବାଲି ସେମାନଙ୍କର ବିଶ୍ୱାସ ଅତୁଟ ରହିବ’ । ‘ଆଞ୍ଚଳିକ  ରାଷ୍ଟ୍ରପ୍ରେମ ଏବଂ ଗୋଷ୍ଠୀ ସଚେତନତା’ ପ୍ରତି ସେ ସମସ୍ତଙ୍କୁ  ସଚେତନ କରାଇଥିଲେ । ବାବା ସାହେବ ହେଉଛନ୍ତି  ଭାରତକୁ ଈଶ୍ୱରଙ୍କର ଅମୂଲ୍ୟ ଉପହାର ଏବଂ ବିଶ୍ୱକୁ  ଭାରତର ଅବଦାନ । ଆଜି, ୧୩୫ ବର୍ଷ ପରେ, ଆସନ୍ତୁ  ତାଙ୍କୁ ଯୋଗ୍ୟ ଆସନ ପ୍ରଦାନ କରିବା ଯାହା ତାଙ୍କର ପ୍ରାପ୍ୟ,  ଯାହା ତାଙ୍କୁ ବ୍ରିଟିଶ୍‌ ଶାସନାଧୀନ ଭାରତ ଏବଂ ନୂତନ ଭାବେ  ସ୍ୱାଧୀନତା ପ୍ରାପ୍ତ ରାଷ୍ଟ୍ର ପ୍ରତ୍ୟାଖ୍ୟାନ କରିଥିଲା ।