କଞ୍ଚା ହଳଦୀ ଓ ଅଁଳା ଉଭୟ ଖୁବ୍ ଗୁଣକାରୀ । ଯଦି ଉଭୟକୁ ଏକାଠି କରି ଜୁସ୍ ପିଅନ୍ତି, ତେବେ ଶରୀର ଉପରେ ଏହାର ସକାରାତ୍ମକ ପ୍ରଭାବ ପଡିବ ନିଶ୍ଚୟ । ଆଜିକାଲି ପ୍ରାୟ ଲୋକ ନିଜକୁ ସୁସ୍ଥ ରଖିବା ପାଇଁ ପ୍ରାକୃତିକ ଜିନିଷ ଆଡକୁ ଢଳିବାରେ ଲାଗିଛନ୍ତି । ଆୟୁର୍ବେଦ ସହ ଆଧୁନିକ ବିଜ୍ଞାନ ମଧ୍ୟ ଉଭୟ ଅଁଳା ଓ କଞ୍ଚା ହଳଦୀର ଔଷଧୀୟ ଗୁଣକୁ ସ୍ୱୀକାର କରିଛନ୍ତି । କଞ୍ଚା ହଳଦୀରେ ଥିବା କର୍କ୍ୟୁମିନ୍ ଶରୀରର ପ୍ରଦାହକୁ କମ୍ କରିବା ସହ ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇଥାଏ । ସେହିପରି ଅଁଳା ଭିଟାମିନ୍-ସି' ର ପ୍ରମୁଖ ସ୍ରୋତ, ଯାହା ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇବା ସହ କେଶ, ତ୍ୱଚା ଓ ହଜମ ପ୍ରକ୍ରିୟାକୁ ଲାଭ ପହଞ୍ଚାଇଥାଏ । ଏହି ଜୁସ୍ ଶରୀରକୁ ଅନେକ ପ୍ରକାରର ଫାଇଦା ଦିଏ ବୋଲି କହନ୍ତି ଡାଏଟିସିଆନ୍ ଅର୍ଚ୍ଚନା ଜୈନ୍ ।

ରୋଗ ପ୍ରତିରୋଧକ ଶକ୍ତି ବଢେ

କଞ୍ଚା ହଳଦୀ ଓ ଅଁଳା ଜୁସ୍ ରୋଗ ପ୍ରତିରୋଧକ ଶକ୍ତିକୁ ମଜଭୁତ କରିଥାଏ । ଅଁଳାର ଭିଟାମିନ୍-ସି’ ଶରୀରର ସଂକ୍ରମଣ ଓ ଭାଇରସ୍ ସହ ଲଢୁଥିବା ବେଳେ ହଳଦୀର ଆଣ୍ଟିବ୍ୟାକ୍ଟେରିଆଲ୍ ଓ ଆଣ୍ଟିଭାଇରାଲ୍ ଗୁଣ ବହୁରୋଗରୁ ରକ୍ଷା କରେ । ଋତୁ ପରିବର୍ତ୍ତନ ସମୟରେ ହେଉଥିବା କାଶ ଓ ଭାଇରାଲ୍ ସଂକ୍ରମଣରୁ ରକ୍ଷା କରେ । ଏ ଜୁସ୍ ରୋଗ ପ୍ରତିରୋଧକ ଶକ୍ତିକୁ ବଢାଏ ।

ଶରୀରକୁ ଡିଟକ୍ସ କରେ

ଆଜିକାଲି ଭୁଲ ଖାଦ୍ୟପାନୀୟ, ଜଙ୍କ୍ଫୁଡ୍ ଓ ପ୍ରଦୂଷଣ କାରଣରୁ ଶରୀରରେ ବିଷାକ୍ତ ପଦାର୍ଥ ଜମା ହେବାରେ ଲାଗିଛି । ଏହା ଲିଭର୍ ଫଙ୍କସନରେ ସୁଧାର ଆଣିବା ସହ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିଥାଏ । ଅଁଳା ପାଚନ ପ୍ରକ୍ରିୟାରେ ସୁଧାର ଆଣିବା ସହ ହଳଦୀ ପ୍ରଦାହକୁ କମ୍ କରିଥାଏ ।

ତ୍ୱଚାକୁ ଫାଇଦା ପହଞ୍ଚାଏ

ଅଁଳାରେ ଥିବା ଆଣ୍ଟିଅକ୍ସିଡାଣ୍ଟ ତ୍ୱଚାକୁ ଫ୍ରି-ରେଡିକଲ୍ସରୁ ରକ୍ଷା କରିଥାଏ । ହଳଦୀ ତ୍ୱଚାକୁ ପ୍ରଦାହ ଓ ବ୍ରଣଠାରୁ ଦୂରେଇ ରଖେ । ଏପରିକି ଚର୍ମକୁ ପୋଷଣ ଦେବା ସହ ଦୀର୍ଘଦିନ ଯାଏ ନମନୀୟତା ବଜାୟ ରଖିଥାଏ । ଏହାବ୍ୟତୀତ ବୟସକୁ ମଧ୍ୟ ବାନ୍ଧି ରଖେ ।

ହଜମ ପ୍ରକ୍ରିୟାକୁ ସୁଧାରେ

ଡାଏଟିସିଆନଙ୍କ ଅନୁସାରେ କଞ୍ଚା ହଳଦୀ ଓ ଅଁଳାଜୁସ୍ ହଜମ ପ୍ରକ୍ରିୟାକୁ ବଢାଇଥାଏ । ଏହା ଗ୍ୟାସ୍, ବଦ୍ହଜମୀ ପରି ସମସ୍ୟାକୁ ଦୂର କରେ । ଅଁଳା ପେଟ ସହ ଅନ୍ତଃନଳୀରେ ସୁଧାର ଆଣିଥାଏ । ଯେଉଁମାନଙ୍କର ବାରମ୍ବାର ପେଟ ସମସ୍ୟା ହେଉଛି, ସେମାନଙ୍କ ପାଇଁ ଏହା ଖୁବ୍ ଲାଭଦାୟକ ।

ଡାଏଟିସିଆନଙ୍କ ପରାମର୍ଶ

ଡାଏଟିସିଆନଙ୍କ ମତରେ ଏହି ଜୁସ୍ ଫାଇଦା ଦିଏ, ତଥାପି ସୀମିତ ମାତ୍ରାରେ ନେବା ଉଚିତ୍ । କାରଣ କିଛି ଲୋକଙ୍କ ପେଟରେ ଏହା ଜ୍ୱଳନ ଅବା ଏସିଡିଟି ସମସ୍ୟା ସୃଷ୍ଟି କରିଥାଏ । ଯେଉଁମାନେ ଗମ୍ଭୀର ସମସ୍ୟା ଯୋଗୁ କୌଣସି ଔଷଧ ନେଉଥାନ୍ତି, ସେମାନେ ଡାକ୍ତରଙ୍କ ପରାମର୍ଶକ୍ରମେ ଏହି ଜୁସ୍ ପିଇବା ଉଚିତ।