ଆଜି କାଲିର ବ୍ୟସ୍ତ ବହୁଳ ଜୀବନରେ ଆମେ ସମସ୍ତେ ନିଜ ନିଜର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେଇ ପାରୁନେ । ଏହି କରାଣରୁ ଆମକୁ ଅନେକ ଗୁଡ଼ିଏ ଅସୁବିଧାର ସାମ୍ନା ହେବାକୁ ପଡ଼ିଥାଏ । ଆମର ଅସୁବିଧା ହେବା ମାତ୍ରେ ସର୍ବପ୍ରଥମେ ଡାକ୍ତରଙ୍କ ପାଖକୁ ଯାଇଥାଉ ଏବଂ ତାଙ୍କ ଦ୍ୱାରା ଦିଆଯାଇଥିବା ଓୌଷଧ ଉପରେ ନିର୍ଭର କରିଥାଉ । କିନ୍ତୁ ଆମେ ଏହା ଭୁଲି ଯାଇଥାଉ ଯେ, ପ୍ରକୃତି ପାଖରେ ସମସ୍ତ ପ୍ରକାରର ସମସ୍ୟାର ସମାଧାନ ରହିଛି । ଯାହା ଆମକୁ ଅନେକ ରୋଗରୁ ମୁକ୍ତି ଦେଇଥାଏ ।

ସେଥିମଧ୍ୟରୁ ଗୋଟିଏ ହେଉଛି କିସମିସ୍ । ଆମେ ସମସ୍ତେ କିସମିସ୍‌ ଖାଇବାକୁ ପସନ୍ଦ କରିଥାଉ । ଏହି କିସମିସ୍‌ କେବଳ ପାଟିକୁ ସୁଆଦିଆ ଲାଗିଥାଏ ତାହା ନୁହେଁ, ଏହା ଆମ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ । ଏହାକୁ ଆପଣ ଯେକୌଣସି ପ୍ରକାରରେ ଖାଇ ପାରିବେ । ହେଲେ ଯଦି ଆପଣ ଏହାକୁ ସାରା ରାତି ପାଣିରେ ଭିଜେଇ ସକାଳୁ ଖାଲି ପେଟରେ ଖାଉଛନ୍ତି, ତେବେ ଏହା ସର୍ବାଧିକ ଲାଭ ପ୍ରଦାନ କରିଥାଏ । ଆଜି ଆସନ୍ତୁ ଜାଣିବା କେଉଁ ପ୍ରକାରର ଲୋକଙ୍କ ପାଇଁ ଖାଲି ପେଟରେ ଭିଜା କିସମିସ୍‌ ଖାଇବା ଏବଂ ଏହାର ପାଣି ପିଇବା ଲାଭଦାୟକ । 

ଇମ୍ୟୁନିଟି କମ୍‌ ଥିବା ଲୋକଙ୍କ ପାଇଁ ଲାଭଦାୟକ ଭିଜା କିସମିସ୍‌ ପାଣି-

ଯଦି ଆପଣଙ୍କର ଇମ୍ୟୁନିଟି ବା ରୋଗ ପ୍ରତିରୋଧକ ଶକ୍ତି କମ୍‌ ଅଛି, ତେବେ ପ୍ରତିଦିନ ଖାଲି ପେଟରେ ଭିଜା କିସମିସ୍‌ ପାଣି ପିଇବା ଉଚିତ୍‌ । ନିୟମିତ ଏହାର ସେବନ କରିବା ଦ୍ୱାରା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ । ଯାହା ଫଳରେ ଆପଣ ବିଭିନ୍ନ ପ୍ରକାରର ରୋଗ ଶୀଘ୍ର ଆକ୍ରାନ୍ତ ହେବେ ନାହିଁ ।  ଯଦି ଆପଣ ବଦଳୁଥିବା ଋତୁ ସହ ବାରମ୍ୱାର ରୋଗରେ ପଡ଼ୁଛନ୍ତି, ତେବେ ପ୍ରତିଦିନ ସକାଳୁ ଏହାର ସେବନ କରିବା ଉଚିତ୍‌ । କିସମିସ୍‌ରେ ଭିଟାମିନ୍‌-ସି ଭରପୁର ମାତ୍ରାରେ ରହିଥାଏ । ଯାହା ଆପଣଙ୍କୁ ରୋଗଗ୍ରସ୍ତ ହେବାରୁ ରକ୍ଷା କରିଥାଏ । 

ଶରୀରରେ ଆଇରନ୍‌ର ଆବଶ୍ୟକତାକୁ ପୁରଣ କରିଥାଏ -

ଯଦି ଆପଣଙ୍କ ଶରୀରରେ ଆଇରନ୍‌ର ମାତ୍ରା କମ୍‌ ରହିଛି, ତେବେ ଆପଣ ପ୍ରତିଦିନ ଖାଲି ପେଟରେ କିସମିସ୍‌ର ପାଣି ପିଇବା ଆବଶ୍ୟକ । କିସମିସ୍‌ର ପାଣି(ଯେଉଁ ପାଣିରେ କିସମିସ୍‌କୁ ସାରା ରାତି ଭିଜିବା ପାଇଁ ରଖାଯାଇଥାଏ)ରେ ଭରପୁର ମାତ୍ରାରେ ଆଇରନ୍‌ ରହିଥାଏ । ତେଣୁ ଏହି ପାଣିକୁ ପିଇବା ଦ୍ୱାରା ଶରୀରରେ ଆଇରନ୍‌ର ଅଭାବ ଦୂରେଇଥାଏ । ଏହାକୁ ସେବନ କରିବା ଦ୍ୱାରା ଶରୀରରେ ଲୋହିତ ରକ୍ତ କଣିକା ବଢିଥାଏ ଏବଂ ରକ୍ତର ଅଭାବ ଦୂର ହୋଇଥାଏ । କେବଳ ସେତିକି ନୁହେଁ, ଏହା ଆପଣଙ୍କୁ ଏନୀମିୟା ଭଳି ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ ।

ଚର୍ମ ସମ୍ବନ୍ଧୀୟ ସମସ୍ୟା ଥିବା ବ୍ୟକ୍ତି କିସମିସ୍‌ ପାଣି ପିଇବା ଉଚିତ-

ଯଦି ଆପଣଙ୍କର ଚର୍ମ ସମ୍ବନ୍ଧୀୟ ସମସ୍ୟା ରହିଛି, ତେବେ ଆପଣଙ୍କୁ ଭିଜା କିସମିସ୍ ପାଣି ପିଇବା ଉଚିତ । ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଭରପୁର ମାତ୍ରାରେ ରହିଥାଏ । ଯାହା ଆପଣଙ୍କ ଚର୍ମକୁ ଫ୍ରି ରେଡିକଲ୍ସ ଦ୍ୱାରା ହେଉଥିବା କ୍ଷତିରୁ ରକ୍ଷା କରିବାରେ ସାହାଯ୍ୟ କରେ। ଏଥିରେ ଭିଟାମିନ୍ ଏ ଏବଂ ଇ ରହିଛି, ଯାହା ଆପଣଙ୍କ ତ୍ୱଚା ପାଇଁ ବହୁତ ଲାଭଦାୟକ । ପ୍ରତିଦିନ ଭିଜା କିସମିସ୍ ଖାଇବା ଦ୍ୱାରା, ଆପଣଙ୍କର ବୟସ ବୃଦ୍ଧି ପ୍ରକ୍ରିୟାକୁ ମଧ୍ୟ ଧୀର କରିଦିଏ।

ଶରୀରକୁ ଡିଟକ୍ସ କରିଥାଏ ଭିଜା କିସମିସ୍‌-

ଯେତେବେଳେ ଆପଣଙ୍କ ଶରୀରରେ ବିଶାକ୍ତ ପଦାର୍ଥ ଜମା ହୋଇ ଯାଇଥାଏ, ଆପଣ ରୋଗରେ ପଡ଼ିବାର ସମ୍ଭାବନା ବଢିଯାଇଥାଏ । ସଠିକ୍‌ ସମୟରେ ଶରୀରରୁ ବିଷାକ୍ତ ପଦାର୍ଥ ନବାହାରିଲେ, ଆପଣ ଗମ୍ଭୀର ରୋଗର ଶିକାର ହୋଇପାରନ୍ତି । ଯଦି ଆପଣ ନିଜ ଶରୀରକୁ ସମ୍ପୂର୍ଣ୍ଣ ଭାବରେ ପରିସ୍କାର କରିବାକୁ ଚାହୁଁଛନ୍ତି, ତେବେ ଭିଜା କିସମିସ୍‌ର ପାଣି ନିଶ୍ଚୟ ପିଅନ୍ତୁ ।