ଗରମଦିନେ ରାତିରେ ଥଣ୍ଡା କ୍ଷୀର ପିଇବା କେତେଦୂର ଠିକ୍‌? ଗରମଦିନେ ନିଜକୁ ଭିତରୁ ଥଣ୍ଡା ରଖିବା ପାଇଁ ବିଭିନ୍ନ ଲୋକ ଭିନ୍ନ ଭିନ୍ନ ଉପାୟ ଅବଲମ୍ବନ କରିଥାନ୍ତି । କେହି ଥଣ୍ଡା ପାଣି ପିଇଥାନ୍ତି ତ ଆଉ କେହି ଜୁସ୍‌ ସହ ଦହିପାଣି ପିଇଥାନ୍ତି । ଅନ୍ୟ କେହି ରାତିରେ ଶୋଇବା ପୂର୍ବରୁ ଫ୍ରିଜ୍‌ରେ ରଖିଥିବା ଥଣ୍ଡା କ୍ଷୀର ପିଇଥାନ୍ତି । କିଛି ଲୋକଙ୍କୁ ଏହି ଅଭ୍ୟାସ ଖୁବ୍‌ ପସନ୍ଦ । କିନ୍ତୁ କେବେ ଭାବିଛନ୍ତି ରାତିରେ ଥଣ୍ଡା କ୍ଷୀର ପିଇବା ଶରୀରକୁ କେତେ ପ୍ରଭାବିତ କରିଥାଏ ।

 ପାଚନ ଓ ମେଟାବଲିଜିମ୍‌ ଉପରେ ପ୍ରଭାବ 
ବିଶେଷଜ୍ଞଙ୍କ ମତରେ ରାତିରେ ଆମ ଶରୀରର ପାଚନ କ୍ରିୟା ଓ ମେଟାବଲିଜିମ୍‌ ସାମାନ୍ୟ ଧୀମା ହୋଇଯାଇଥାଏ । ସେଥିରେ ପୁଣି ଥଣ୍ଡା କ୍ଷୀର ପିଇବା ଦ୍ୱାରା ଏହା ପାଚନ ତନ୍ତ୍ର ପାଇଁ ଚ୍ୟାଲେଞ୍ଜିଂ ହୋଇପଡେ । ଫଳରେ ଗ୍ୟାସ୍‌, ପେଟ ଫୁଲିବା ଓ ହଜମ ନ ହେବା ପରି ସମସ୍ୟା ଉପୁଜିପାରେ । ତେଣୁ ସିଧାସଳଖ ଫ୍ରିଜ୍‌ରୁ କାଢି କ୍ଷୀର ପିଇବା ଅନୁଚିତ୍‌ । 

ଥଣ୍ଡା କ୍ଷୀର ନିଦ ପାଇଁ ଠିକ୍‌ କି?
 ପ୍ରାୟ ଲୋକ ଭଲ ନିଦ ପାଇଁ କ୍ଷୀର ପିଇଥାନ୍ତି । କିନ୍ତୁ ଡାଏଟିସିଆନ୍‌ଙ୍କ ମତରେ ନିଦର ଗୁଣବତ୍ତା ବଢାଇବା ପାଇଁ ଥଣ୍ଡା ପରିବର୍ତ୍ତେ ହାଲ୍‌କା ଉଷୁମ କ୍ଷୀର ପିଇବା ଉଚିତ୍‌ । ଏହା ଶରୀରକୁ ରିଲାକ୍ସ କରିବା ସହ ମନକୁ ଶାନ୍ତ କରିବାରେ ପ୍ରଭାବଶାଳୀ ହୋଇଥାଏ । ଥଣ୍ଡା କ୍ଷୀର ଭଲ ନିଦ ଦେଇଥାଏ, କିନ୍ତୁ ଶରୀରକୁ ରିଲାକ୍ସ କରିପାରେନା । 

ପୋଷକ ତତ୍ତ୍ୱର ସ୍ରୋତ ହେଉଛି କ୍ଷୀର 

କ୍ଷୀର ଏକ ସମ୍ପୂର୍ଣ୍ଣ ଆହାର । ଏହା କ୍ୟାଲସିୟମ୍‌, ପ୍ରୋଟିନ୍‌ ଓ ଭିଟାମିନ୍‌-ବି୧୨ ପରି ପୋଷକ ତତ୍ତ୍ୱରେ ଭରା । ଏହା କେବଳ ଶରୀରକୁ ପୋଷକ ତତ୍ତ୍ୱ ଦେଇ ନଥାଏ, ବରଂ ଏଥିରେ ଥିବା ଟ୍ରିପ୍ଟେଫୋନ୍‌ ନାମକ ଆମିନୋ ଏସିଡ୍‌ ରାତିରେ ଏକ ଶାନ୍ତିର ନିଦ ଦେଇଥାଏ । କିନ୍ତୁ ଗରମଦିନେ ଥଣ୍ଡା କ୍ଷୀର ପିଇବା ଶରୀର ଉପରେ କୁପ୍ରଭାବ ପକାଇଥାଏ । 

ଏମାନେ କ୍ଷୀର ପିଇବା ଅନୁଚିତ୍‌ 

ବିଶେଷଜ୍ଞଙ୍କ ମତରେ ଗରମଦିନେ ଥଣ୍ଡା କ୍ଷୀର ପିଇବା ସମସ୍ତଙ୍କ ପାଇଁ କ୍ଷତିକାରକ ନୁହେଁ । କେତେକ ବିଶେଷ ସ୍ଥିତିରେ ଏହା କ୍ଷତିକାରକ ହୋଇଥାଏ । ଯଦି କୌଣସି ବ୍ୟକ୍ତିକୁ ଥଣ୍ଡାକାଶ ବା ସଂକ୍ରମଣ ରହୁଥାଏ, ତେବେ ଲାକ୍ଟେଜେନ୍‌ ଇନ୍‌ଟଲରେନ୍ସର ଶିକାର ହୋଇପାରନ୍ତି । ସେହିପରି ପାଚନତନ୍ତ୍ର ଦୁର୍ବଳ ଥିବା ବ୍ୟକ୍ତିମାନେ ମଧ୍ୟ ଥଣ୍ଡା କ୍ଷୀର ପିଇବା ଅନୁଚିତ୍‌ । 

ସ୍ୱାସ୍ଥ୍ୟ ଓ ସ୍ୱାଦର ତାଳମେଳ 
ଯଦି ଗରମରେ କ୍ଷୀରର ଆନନ୍ଦ ନେବାକୁ ଚାହାନ୍ତି, ତେବେ 
- ଫ୍ରିଜ୍‌ରୁ କାଢି କ୍ଷୀର ତୁରନ୍ତ ପିଅନ୍ତୁ ନାହିଁ 
- କ୍ଷୀରକୁ ହାଲ୍‌କା ଉଷୁମ କରି ପିଅନ୍ତୁ 
- ହାଲ୍‌କା ଉଷୁମ କ୍ଷୀର ପିଇବା ଦ୍ୱାରା ଭଲ ନିଦ ସାଙ୍ଗକୁ ଶରୀରରେ ଥଣ୍ଡା ଅନୁଭବ ହୋଇଥାଏ ।