ଅଗ୍ରୱାଲ୍ କନ୍ଷ୍ଟ୍ରକସନରେ ଶ୍ରମିକଙ୍କୁ ଅକଥନୀୟ ନିର୍ଯାତନା: ୩ ଗୁରୁତର, ଜଣେ ମୃତ !

ସମ୍ବଲପୁର/ମାନେଶ୍ୱର,୦୬/୧୨: ସମ୍ବଲପୁର-ଅନୁଗୁଳ ୫୫ ନଂ ଜାତୀୟ ରାଜପଥର ଚାରି ଥାକିଆ ରାସ୍ତା ନିର୍ମାଣ ଦାୟିତ୍ୱ ନେଇଥିବା ମେସର୍ସ ଅଗ୍ରୱାଲ ଇନ୍ଫ୍ରା କନ୍ଷ୍ଟ୍ରକସନ କମ୍ପାନିରେ ଶ୍ରମିକଙ୍କୁ ଜୁଲୁମ୍ । କମ୍ପାନିର ଯୁଯୁମୁରା ଥାନା ଗଡ଼ଗଡ଼ବାହାଲସ୍ଥିତ କ୍ୟାମ୍ପରେ କିଛି ଡ୍ରାଇଭରଙ୍କୁ ଏକ ଘରେ ବାନ୍ଧି ନିସ୍ତୁକ ମାଡ଼ ମାରି ଲହୁଲୁହାଣ କରି ଦିଆଯାଇଥିବା ଘଟଣା ସାମ୍ନାକୁ ଆସିଛି । ତେବେ ଗୁରୁତର ଆହତ ହୋଇଥିବା ୪ କର୍ମଚାରୀଙ୍କୁ ଗାଏବ୍ କରି ଦିଆଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଯାଇଥିବା ବି ଅଭିଯୋଗ ହେଉଛି । ଏହି ଘଟଣାକୁ କମ୍ପାନି କର୍ତ୍ତୃପକ୍ଷ ଓ ପୁଲିସ୍ ମିଶି ଚପାଇ ଦେବାକୁ ସାଂଘାତିକ ଉଦ୍ୟମ ବି ଚଳାଇଛନ୍ତି । ସେପଟେ, ଗାଏବ୍ ହୋଇଥିବା କର୍ମଚାରୀଙ୍କୁ ଫେରାଇ ଆଣିବା ଦାବିରେ ୫୦ରୁ ଅଧିକ ଡ୍ରାଇଭର ଆଜି କମ୍ପାନି ସମ୍ମୁଖରେ ଧାରଣା ଦେଇଥିଲେ । ସୂଚନା ପାଇ ଯୁଯୁମୁରା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନରତ ଲୋକଙ୍କ ଘଉଡ଼ାଇଦେଇଥିବା ଜଣାପଡ଼ିଛି । ସେପଟେ, ଯୁଯୁମୁରା ପୁଲିସ୍ ଘଟଣା ସମ୍ପର୍କରେ କିଛି ଜାଣିନଥିବା କହି ନିଜ ମୁଣ୍ଡରୁ ଦୋଷ ହଟାଇବାକୁ ଚେଷ୍ଟା କରିଛି । କିନ୍ତୁ ସମ୍ବଲପୁର ଏସ୍ପି ବାତୁଲା ଗଙ୍ଗାଧର ଘଟଣାକୁ ସ୍ୱୀକାର କରିଛନ୍ତି ମାତ୍ର ଅଭିଯୋଗ ହୋଇନଥିବାରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ସୂଚନା ଦେଇଛନ୍ତି ।
ଏହି ଘଟଣାରେ ପୁଲିସ୍ କିଭଳି ଭାବେ ମେସର୍ସ ଅଗ୍ରୱାଲ ଇନ୍ଫ୍ରା କନ୍ଷ୍ଟ୍ରକସନ କମ୍ପାନିର ଏଜେଣ୍ଟ ଭଳି କାମ କରୁଛି ତାହା ଜଳ ଜଳ ହୋଇ ବାରି ହୋଇପଡ଼ୁଥିବା ଅଭିଯୋଗ ହୋଇଛି । ଘଟଣା ସମ୍ପର୍କରେ ମେସର୍ସ ଅଗ୍ରୱାଲ ଇନ୍ଫ୍ରା କନ୍ଷ୍ଟ୍ରକସନ କମ୍ପାନିର ପ୍ରୋଜେକ୍ଟ ମ୍ୟାନେଜର ରିଙ୍କୁ ବର୍ମାଙ୍କୁ ଯୋଗାଯୋଗ କରାଯିବାରେ ତମାମ୍ ଘଟଣାକୁ ସେ ସ୍ୱୀକାର କରିବା ସହ ପୁଲିସ୍ ଜାଣତରେ ସବୁକିଛି ହୋଇଥିବା କହିଛନ୍ତି । ଯେଉଁ ୪ କର୍ମଚାରୀଙ୍କ ସହ ଏଭଳି ଅକଥନୀୟ ଅତ୍ୟାଚାର ହୋଇଛି ସେମାନଙ୍କ ବିରୋଧରେ କମ୍ପାନି ଜିନିଷ ଚୋରିର ଅଭିଯୋଗ ଆସିଥିଲା। ଗତ ଗୁରୁବାର ଦିନ କିଛି ସୁରକ୍ଷା କର୍ମୀଙ୍କଠାରୁ ଘଟଣା ସମ୍ପର୍କରେ ଜାଣିବା ପରେ କମ୍ପାନିର କିଛି କର୍ମଚାରୀ ଏହି ୪ ଡ୍ରାଇଭରଙ୍କୁ ଧରିଥିଲେ । ସେହି ୪ ଡ୍ରାଇଭରଙ୍କଠାରୁ ଚୋରି ଜିନିଷ ଉଦ୍ଧାର କରିବା ପାଇଁ ସେମାନଙ୍କୁ ଏକ କୋଠରୀରେ ବାନ୍ଧି ରଖାଯାଇଥିଲା । ଦୀର୍ଘ ୪ ଦିନ ଯାଏ ସେମାନଙ୍କୁ ମାଡ଼ ମାରି ଲହୁଲୁହାଣ କରାଯାଇଥିଲା । ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ହେବା ପରେ ଯୁଯୁମୁରା ପୁଲିସ୍ ଉକ୍ତ କୋଠରୀରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିବା ସହ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରାଇଥିଲା । ଏହାପରେ ଉକ୍ତ ଆହତମାନଙ୍କର ସମସ୍ତ ଜିନିଷପତ୍ର ବି କମ୍ପାନିରୁ ଯାଇ ପୁଲିସ୍ ଆଣି ସେମାନଙ୍କୁ ଦେବା ସହ କେଉଁଆଡ଼େ ପଠାଇ ଦେଇଥିବା ସୂଚନା ମିଳିଛି । ପୁଲିସ୍ ଆହତଙ୍କୁ ନେବା ଓ ସେମାନଙ୍କ ଜିନିଷ ପତ୍ର ବି ଆଣିବା ଘଟଣାକୁ କମ୍ପାନି କର୍ତ୍ତୃପକ୍ଷ ସ୍ୱୀକାର କରିଛନ୍ତି । ଯଦି ଲୋକଙ୍କ ଅଭିଯୋଗ ଓ କମ୍ପାନି କର୍ତ୍ତୃପକ୍ଷଙ୍କ କଥା ସତ ହୋଇଥାଏ ତେବେ ପୁଲିସ୍ କାହିଁକି ସବୁ ଜାଣି ବି ଅଜଣା ରହିବାର ନାଟକ କରୁଛି ତାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ସେପଟେ, ଅଗ୍ରୱାଲ୍ କନ୍ଷ୍ଟ୍ରକସନ ଇନ୍ଫ୍ରାର କର୍ମଚାରୀଙ୍କ ସହ ଏଭଳି ଆଚରଣ ବିରୋଧରେ ସମସ୍ତ କର୍ମଚାରୀ ଇସ୍ତଫା ଦେଇଥିବା ଜଣାପଡ଼ିଛି ।ସୋମବାର ଧାରଣାସ୍ଥଳରେ ଉପସ୍ଥିତ ଥିବା କିଛି ଡ୍ରାଇଭରଙ୍କ ଅଭିଯୋଗ ଅନୁସାରେ, କମ୍ପାନିରୁ କୌଣସି ଚୋରି ହୋଇନଥିଲା । ବରଂ ଯେଉଁ ୪ ଜଣ ଡ୍ରାଇଭରଙ୍କ ଆକାଉଣ୍ଟରୁ ନିକଟରୁ ୩୦ ହଜାରରୁ ଅଧିକ ଟଙ୍କା ଉଠାଣ ହୋଇଥିଲା ସେ ୪ ଡ୍ରାଇଭରଙ୍କୁ ଉଠାଇ ନିଆଯାଇଥିଲା । ଡ୍ରାଇଭରମାନେ ଉକ୍ତ ଟଙ୍କା ସେମାନଙ୍କ ଘରୁ ଆଣିଥିଲେ । ତଥାପି ୩ ଜଣ ସୁରକ୍ଷା କର୍ମୀ, ଜଣେ ମେକାନିକାଲ୍ ଇନ୍ଚାର୍ଜ, କମ୍ପାନି ଏମ୍ଡିଙ୍କର ୫ ଜଣ ବାଉନ୍ସର ଓ ଅନ୍ୟ ୨ କର୍ମଚାରୀ ମିଶି ଏହି ଡ୍ରାଇଭରଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ଚୋରିର କୌଣସି ପ୍ରମାଣ ନପାଇବାରୁ ଗୁରୁତର ଅବସ୍ଥାରେ ସେମାନଙ୍କୁ ଛାଡ଼ି ଦେଇଥିଲେ । ଏହି ତମାମ୍ ଘଟଣାରେ ଯୁଯୁମୁରା ପୁଲିସ୍ର ଭୂମିକା କିନ୍ତୁ ସନ୍ଦେହଘେରକୁ ଆସିଛି । ପୁଲିସ୍ ସବୁ ଜାଣିଥିଲେ ସୁଦ୍ଧା ଏଭଳି ଅକଥନୀୟ ଅତ୍ୟଚାର କରିଥିବା ଅଗ୍ରୱାଲ କନ୍ଷ୍ଟ୍ରକସନ କମ୍ପାନିର କର୍ମଚାରୀଙ୍କ ବିରୋଧରେ କାହିଁକି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ତାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।