ଗରମ ପିଚୁ କୁଣ୍ଡରେ ପଡି ଡ୍ରାଇଭର ଜୀବନ୍ତ ଦଗ୍ଧ

ମୁନିଗୁଡା,୨୨।୫ ରାୟଗଡା ଜିଲ୍ଲା ବିଷମକଟକ ଥାନା ଅନ୍ତର୍ଗତ ଦୁର୍ଗୀ ଗ୍ରାମ ପଂଚାୟତ ର ବନ୍ଧୁଗୁଡା ରାସ୍ତା ନିକଟରେ ଥିବା ଏକ ହଟ୍ ମିକ୍ସ ପ୍ଲାଣ୍ଟ ଗରମ ପିଚୁ କୁଣ୍ଡରେ ପଡି ଜଣେ ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଛନ୍ତି । ମୃତ ଡ୍ରାଇଭର ଜଣକ ହେଲେ ଆନ୍ଧ୍ର ପ୍ରଦେଶ ବିଶାଖାପାଟନମ୍ ଅଞ୍ଚଳର ଏ.କ୍ରିଷ୍ଣାରାଜୁ ।
ବିଷମ କଟକ ଥାନା ଅଧୀନର ଦୁର୍ଗୀ ସଦର ପଞ୍ଚାୟତର ଏକ ହଟ୍ ମିକ୍ସ ପ୍ଲାଣ୍ଟ ରହିଛି। ସୋମବାର ଅପରାହ୍ନରେ ଉକ୍ତ ପ୍ଲାଣ୍ଟକୁ ବିଶାଖାପାଟଣାରୁ ଏକ ପିଚୁ ବୋଝେଇ ଟ୍ରକ ଆସିଥିଲା । ଉକ୍ତ ଟ୍ରକ ଡ୍ରାଇଭର ପ୍ଲାଣ୍ଟର ପିଚୁ କୁଣ୍ଡରେ ପାଇପ ଯୋଗେ ପିଚୁ ଢାଳୁ ଥିବା ବେଳେ ଅସାବଧାନତା ବଶତଃ ଉକ୍ତ ପିଚୁ କୁଣ୍ଡ ଭିତରକୁ ଖସି ପଡିଥିଲେ । ତେବେ ପିଚୁ କୁଣ୍ଡରେ ଗରମ ତରଳ ପିଚୁ ରହିଥିବାରୁ ସେହି କୁଣ୍ଡ ଭିତରେ ହିଁ ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇ ମୃତ୍ୟୁ ଘଟିଥିଲା ।
ଘଟଣା ସଂକ୍ରାନ୍ତରେ ଖବର ପାଇ ବିଷମ କଟକ ପୋଲିସ୍ ଏବଂ ଅଗ୍ନିଶମ ବିଭାଗ କର୍ମଚାରୀ ପିଚୁ ପ୍ଲାଣ୍ଟରେ ପହଁଚି ମୃତଦେହକୁ ଉଦ୍ଧାର କରିଛନ୍ତି । ବିଷମ କଟକ ପୋଲିସ୍ ଏକ ମାମଲା ରୁଜୁ କରି ମୃତଦେହ ଜବତ କରିଛି । କେଉଁ ପରିସ୍ଥିତିରେ ଡ୍ରାଇଭର ଙ୍କ ମୃତ୍ୟୁ ଘଟିଲା ତାର ତଦନ୍ତ ଚଳାଇଛି । ମୃତକ ଙ୍କ ପରିବାର ଆସିବା ପରେ ଶବ ବ୍ୟବଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି ।