ନୂଆଦିଲ୍ଲୀ, ୨୬/୯ : ଡେନମାର୍କ ଉପରେ ହାଇବ୍ରିଡ୍ ଆଟାକ୍ ! ଦେଶରେ ବଡ଼ ଧରଣର ଅସ୍ଥିରତା ପାଇଁ ପ୍ଲାନିଂ। ଡେନମାର୍କର ଦୁଇଟି ପ୍ରମୁଖ ବିମାନବନ୍ଦର ଉପରେ ସପ୍ତାହରେ ଦୁଇ ଦୁଇ ଥର ଉଡ଼ିଲାଣି ସନ୍ଦିଗ୍ଧ ଡ୍ରୋନ୍। କୌଣସି ବଡ଼ ଆକ୍ରମଣ ପାଇଁ ଚାଲିଛି କି ଷଡ଼ଯନ୍ତ୍ର ? ହାଇଆଲର୍ଟରେ ଡେନମାର୍କ ସରକାର। ଗୁରୁବାର ଦେଶର ଉତ୍ତରରେ ବାଣିଜ୍ୟିକ ଓ ସୈନ୍ୟ ଗତିବିଧି ପାଇଁ ବ୍ୟବହାର ହେଉଥିବା ଆଲବୋର୍ଗ ଏୟାରପୋର୍ଟ ଉପରେ ଏକ ଡ୍ରୋନ୍ ଉଡ଼ୁଥିବାର ଦେଖିବାକୁ ମିଳିଥିଲା। ଏହାପରେ ଅସ୍ଥାୟୀ ଭାବରେ ବିମାନବନ୍ଦରକୁ ବନ୍ଦ କରି ଦିଆଯାଇଥିଲା। ଏହା ପୂର୍ବରୁ ସେପ୍ଟେମ୍ଵର ୨୨ରେ କୋପେନହେଗନ ବିମାନବନ୍ଦର ଉପରେ ଏକ ଡ୍ରୋନ୍ ଚକ୍କର କାଟିଥିଲା। ଯାହାଫଳରେ କିଛି ଘଣ୍ଟା ପାଇଁ ବିମାନବନ୍ଦରକୁ ବନ୍ଦ ରଖାଯାଇଥିଲା।
ଦେଶର ଦୁଇ ପ୍ରମୁଖ ବିମାନବନ୍ଦର ଉପରେ ଦୁଇ ଦୁଇ ଥର ସନ୍ଦିଗ୍ଧ ଡ୍ରୋନ୍ ଚକ୍କର କାଟିବା ପରେ ଦେଶ ଉପରେ ହାଇବ୍ରିଡ୍ ଆଟାକ୍ ପାଇଁ ଯୋଜନା ହେଉଥିବା ସନ୍ଦେହ କରାଯାଉଛି। ଏହା ପଛରେ ଋଷର ହାତ ଥାଇପାରେ ବୋଲି ଡେନମାର୍କ ପ୍ରଧାନମନ୍ତ୍ରୀ ମେଟେ ଫେଡରିକ୍ସନ କହିଛନ୍ତି। ସେହିପରି ପ୍ରତିରକ୍ଷା ମନ୍ତ୍ରୀ ଟ୍ରାଲ୍ସ ଲୁଣ୍ଡ ପଲ୍ସନ ଏହାକୁ ହାଇବ୍ରିଡ୍ ଆଟାକ୍ କହିଛନ୍ତି। ସେ କହିଛନ୍ତି ଯେ, ବ୍ୟବସ୍ଥିତ ଢ କୌଣସି ବଡ଼ ଅଞ୍ଚଳକୁ ଟାର୍ଗେଟ୍ କରିବା ପାଇଁ ଡ୍ରୋନ୍ର ବ୍ୟବହାର କରାଯାଉଛି। କେହି ଜଣେ ଅଭିଜ୍ଞ ଏହି ଅପରେସନ ଚଳାଉଛି।
ନାଟୋ ଅନୁସାରେ, ହାଇବ୍ରିଡ୍ ଆଟାକ୍ ଏକ ଗୁପ୍ତ ରଣନୀତି। ଏହାଦ୍ଵାରା ଦେଶରେ ଅସ୍ଥିରତା ସୃଷ୍ଟି କରିବା ପାଇଁ ସାଇବର୍ ଆଟାକ୍, ଡ୍ରୋନ୍ ଆଟାକ୍, ଭ୍ରମାତ୍ମକ ଖବର ପ୍ରସାରଣ, ସାମରିକ ଓ ଆର୍ଥିକ ଦୃଷ୍ଟିକୋଣରୁ ଗୁରୁତ୍ଵପୂର୍ଣ୍ଣ ସଂସ୍ଥାର ୱେବସାଇଟ୍ ହ୍ୟାକ୍ କରାଯାଏ। ଶତ୍ରୁ ଦେଶ ଆତଙ୍କୀଙ୍କୁ ପଠାଇ ଅସ୍ଥିରତା ସୃଷ୍ଟି କରିବା ପାଇଁ ଚେଷ୍ଟା କରେ। ଏହାଦ୍ଵାରା ସେୟାର ମାର୍କେଟ୍ ଉପରେ ପ୍ରଭାବ ପଡ଼େ। ଅର୍ଥବ୍ୟବସ୍ଥା ଉପରେ ଗଭୀର ପ୍ରଭାବ ପଡ଼େ। ବ୍ୟାଙ୍କ ହ୍ୟାକ୍ କରାଯାଏ, ଅନୁପ୍ରବେଶ କରିବା ପାଇଁ ଚେଷ୍ଟା କରାଯାଏ। ଟାର୍ଗେଟ୍ ଦେଶରେ ଆନ୍ତରିକ ଭାବେ ଅସ୍ଥିରତା ସୃଷ୍ଟି କରିବା ଏହି ରଣନୀତିର ମୂଳ ଲକ୍ଷ୍ୟ।