ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଦିଲ୍ଲୀରେ ବିଜେପିର ମହା ମିଶ୍ରଣ ପର୍ବ, ପଦ୍ମ ଧରିଲେ ଭର୍ତ୍ତୃହରି, ସିଦ୍ଧାନ୍ତ ଓ ଦମୟନ୍ତୀ
  • ||
  • ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ପାରଦ ଉପରମୁହାଁ, ୫ସହରରେ ୩୯ ଡିଗ୍ରୀ ଟପିଲା ତାତି, ୩୯.୮ ଡିଗ୍ରୀ ସହ ପାରଳାଖେମୁଣ୍ଡି ସବୁଠୁ ଉତ୍ତପ୍ତ
  • ||
  • ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲଙ୍କୁ ଝଟକା, ଏପ୍ରିଲ୍ ୧ ପର୍ଯ୍ୟନ୍ତ ବଢ଼ିଲା ରିମାଣ୍ଡ ଅବଧି
  • ||
  • କଂଗ୍ରେସ ପ୍ରାର୍ଥୀ ଘୋଷଣା କେବେ ? ଚିନ୍ତାରେ ଆଶାୟୀ ଓ କର୍ମୀ..
  • ||

ବୁଡ଼ାଇଲାଣି, ମାଡ଼ି ଆସୁଛି ବଡ଼ ବିପଦ

ଭୁବନେଶ୍ୱର,୧୫/୮ : ହୀରାକୁଦ ପାଣି ପହଞ୍ଚିନି, ତଥାପି ୧୦ ଜିଲ୍ଲାରେ ବନ୍ୟା ପାଣି ପଶିଲାଣି । ୨୨୯ ପଞ୍ଚାୟତର ୮୫୪ ଗାଁ ବନ୍ୟା ପାଣି ଘେରରେ । ୪ଲକ୍ଷରୁ ଅଧିକ ଲୋକେ ପ୍ରଭାବିତ ହୋଇଛନ୍ତି । ଅନେକ ସହରାଞ୍ଚଳ ବି ପାଣି ଭିତରେ ଅଛି । ଆଗକୁ ସ୍ଥିତି ଆହୁରି ସଙ୍ଗୀନ ହେବ । ମହାନଦୀ ଉପରମୁଣ୍ଡରୁ ପ୍ରତି ସେକେଣ୍ଡରେ ୧୧ଲକ୍ଷ ଘନଫୁଟ ପାଣି ମାଡ଼ିଆସୁଛି । ସ୍ୱାଧୀନତା ଦିବସ ଦିନ ଡେଇଁବ ମୁଣ୍ଡଳି ବ୍ୟାରେଜ୍‌ । ଅବସ୍ଥା ଆହୁରି ବିଗିଡ଼ିବ । ମହାନଦୀ ଓ ଏହାର ଶାଖାନଦୀ ଉଛୁଳିବା ନିଶ୍ଚିତ । କଟକ, ଖୋର୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ, ନୟାଗଡ଼ରେ ପଶିବ ବନ୍ୟା । ସେପଟେ ବୈତରଣୀ, ଜଳକା, ବଂଶଧାରାରେ ବି ଟଳମଳ ସ୍ଥିତି ।

ସରକାର କହୁଛନ୍ତି ମଧ୍ୟମ ଧରଣର ବନ୍ୟା ହେବ । ଏଥିପାଇଁ ଜଗତସିଂହପୁର, ପୁରୀ, କେନ୍ଦ୍ରାପଡ଼ା ଓ କଟକ ଭଳି ୪ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ଓଡ୍ରାଫ୍‌, ଏନ୍‌ଡିଆରଏଫ୍‌ ଓ ଅଗ୍ନିଶମ ଟିମ୍‌ ପଠାଯାଇଛି । ଜଳସମ୍ପଦ ବିଭାଗର ଯନ୍ତ୍ରୀଙ୍କୁ ନଦୀବନ୍ଧ ତଦାରଖ ପାଇଁ ପଠା ସରିଲାଣି । ତଥାପି ବନ୍ୟା ଭୟ ବଢୁଛି । ସୋମବାର ସନ୍ଧ୍ୟା ସୁଦ୍ଧା ମୁଣ୍ଡଳୀକୁ ପ୍ରାୟ ୧୧ଲକ୍ଷ କ୍ୟୁସେକ୍‌ ପାଣି ପଶିବ ବୋଲି ଆକଳନ କରାଯାଉଛି । ଏହି ପାଣି ପହଞ୍ଚିବା ପରେ ତଳିଆ ଅଞ୍ଚଳ ବୁଡ଼ିବା ଆରମ୍ଭ ହେବ । ୧୫ ତାରିଖ ସକାଳ ଯାଏ ପ୍ରବଳ ବର୍ଷା ହେବ । ସକାଳ ପରଠାରୁ ବର୍ଷା କମିବ ବୋଲି ପାଣିପାଗ ବିଭାଗ(ଆଇଏମ୍‌ଡି) ପୂର୍ବାନୁମାନ କରିଛି । ହେଲେ ମହାନଦୀର ଉପରମୁଣ୍ଡରେ ବର୍ଷା ଜାରି ରହିବ । ଛତିଶଗଡ଼ରେ ପ୍ରବଳ ବର୍ଷା ହୋଇପାରେ ।

ଏଭଳି ହେଲେ ତଳମୁଣ୍ଡରେ ବନ୍ୟା ଅଧିକ ହେବ । ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆସିବ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର(ଏସ୍‌ଆରସି) ପ୍ରଦୀପ କୁମାର ଜେନା ସତର୍କ କରାଇଛନ୍ତି । ୪ଜିଲ୍ଲାରେ ବନ୍ୟା ଆଶଙ୍କା ଅଧିକ  ଥିବାରୁ ଆଲର୍ଟ ଜାରି କରାଯାଇଛି । ୪ ଜିଲ୍ଲାକୁ ୨୨ଟି ଓଡ୍ରାଫ୍‌, ଏନ୍‌ଡିଆରଏଫ୍‌ ଓ ଅଗ୍ନିଶମ ଟିମ୍‌ ପଠାଯାଇଛି । ବନ୍ୟା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ ମଧ୍ୟ ଆଜି ବନ୍ୟା ମୁକାବିଲା ପ୍ରସ୍ତୁତିର ତଦାରଖ ପାଇଁ ବରିଷ୍ଠ ଅଧିକାରୀଙ୍କୁ ନେଇ ସମୀକ୍ଷା ବୈଠକ କରିଛନ୍ତି । ସମ୍ବଲପୁର ସହରର ୨୫ ବସ୍ତି ଏବେ ବି ପାଣି ଘେରରେ ଅଛି । କେନ୍ଦୁଝର ଓ ସୁନ୍ଦରଗଡ଼ ସହରର ଅନେକ ଅଞ୍ଚଳରେ ପାଣି ପଶିଛି ।

ବରଗଡ଼ର ଅମ୍ବାଭୋନା ବ୍ଲକ୍‌ ଚିଖିଲି ଗାଁରେ ଛାତ ଘର ସମ୍ପୂର୍ଣ୍ଣ ବୁଡ଼ିଯାଇଛି । ସୋନପୁର ଲଚ୍ଛିପୁରରେ ଶହ ଶହ ହେକ୍ଟର ଚାଷ ଜମି ପାଣିରେ ବୁଡ଼ି ରହିଛି । ଉଲୁଣ୍ଡା ପାଖ କିଛି ଗାଁ ବି ପାଣି ଘେରରେ । ଲଘୁଚାପ ଯୋଗୁ ଲଗାଣ ବର୍ଷାରେ ଏଭଳି ବନ୍ୟା ମାଡ଼ି ଆସିଛି । ଏକାଧିକ ଗାଁ, ହେକ୍ଟର ହେକ୍ଟର ଚାଷ ଜମିରେ ପାଣି ଲହଡି ଭାଙ୍ଗୁଛି । ବରଗଡ଼ ବିଜେପୁର ସେତୁ ଉପରେ ପାଣି ଚାଲିଛି । ଏଥିପାଇଁ ବୀରମହାରାଜପୁର-ବିଜେପୁର ରାସ୍ତାରେ ଯୋଗାଯୋଗ ବିଛିନ୍ନ ହୋଇଯାଇଛି । ବୌଦ୍ଧର ସହର ତଳି ଅଞ୍ଚଳରେ ପାଣି ପଶିଯାଇଛି । ଅନେକ ଜନବସତି ଜଳବନ୍ଦୀ ହୋଇ ରହିଛି । ବୌଦ୍ଧ-ହରଭଙ୍ଗା ଜଗନ୍ନାଥ ସଡ଼କ ରାସ୍ତାରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । କଟକ ଜିଲ୍ଲା ବାଙ୍କିର ୫ ପଞ୍ଚାୟତରେ ପାଣି ପଶିଛି । ବଡମ୍ବା ଭଟ୍ଟାରିକା ମନ୍ଦିରରେ ବନ୍ୟା ପାଣି ମାଡ଼ ହୋଇଛି । ନୟାଗଡ ଜିଲ୍ଲାର ଭାପୁର-ଗଣିଆ ରାସ୍ତାରେ ପାଣି ଚାଲୁଛି ।

ଭାପୁର ବ୍ଲକ୍‌ ମଣିପୁର ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି । ରାଜ୍ୟର ୧୦ ଜିଲ୍ଲାରେ ଏବେ ଏଭଳି ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରୁ ମିଳିଥିବା ରିପୋର୍ଟ ଅନୁସାରେ, ରାଜ୍ୟରେ ଲଗାଣ ବର୍ଷା ଯୋଗୁ ୬ ଜିଲ୍ଲା ପ୍ରଭାବିତ ହୋଇଛି । ସମ୍ବଲପୁର ଜିଲ୍ଲାର ୭ ବ୍ଲକ୍‌ ପ୍ରଭାବିତ ହୋଇଛି । ସେଥିରୁ ୮ଟି ପଞ୍ଚାୟତର ୧୨ଟି ଗାଁ ପାଣି ଘେରରେ ରହିଛି । କଟକ ଜିଲ୍ଲାର ୩ଟି ବ୍ଲକ୍‌ର ୧୫ଟି ପଞ୍ଚାୟତର ଲୋକେ ପାଣି ଘେରରେ ଅଛନ୍ତି । ବାଙ୍କି ଏନ୍‌ଏସି ମଧ୍ୟ ପ୍ରଭାବିତ ହୋଇଛି । କନ୍ଧମାଳ ଜିଲ୍ଲାର ୪ ବ୍ଲକର ୮ଟି ପଞ୍ଚାୟତରେ ବନ୍ୟା ପାଣି ପଶିଛି । ୧୫ ଗାଁ ଲୋକେ ପାଣି ଘେରରେ ଅଛନ୍ତି । ସୋନପୁର ଜିଲ୍ଲାର ୩ଟି ବ୍ଲକ୍‌ରେ ଆସୁଥିବା ୧୦ଟି ପଞ୍ଚାୟତର ୨୧ଟି ଗାଁର ଲୋକେ ପ୍ରଭାବିତ ହୋଇଛନ୍ତି ।

ଜଗତସିଂହପୁରର ୮ ବ୍ଲକର ୧୬୫ଟି ପଞ୍ଚାୟତର ୭୬୦ ଗାଁ ପାଣି ଘେରରେ ଅଛନ୍ତି । କୋରାପୁଟର ୨ଟି ବ୍ଲକ୍‌ ବନ୍ୟା ପାଇଁ ପ୍ରଭାବିତ ହୋଇଛି । ସମ୍ବଲପୁର, କଟକ, କନ୍ଧମାଳ, ସୋନପୁର ଜିଲ୍ଲାର ବିଭିନ୍ନ ଗାଁ ଓ ସହରାଞ୍ଚଳରେ ବନ୍ୟା ପାଣି ପଶିଛି । ଅନେକ ସ୍ଥାନରେ ରାସ୍ତା ଉପରେ ପାଣି ଚାଲିବା ଯୋଗୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି । ପାଣି ଘେରରେ ଥିବା ଲୋକଙ୍କୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର ସହ ଶୁଖିଲା ଖାଦ୍ୟ, ପଲିଥିନ୍‌ ବ୍ୟବସ୍ଥା କରାଯାଇଛି ବୋଲି ଏସ୍‌ଆରସିଙ୍କ ସୂତ୍ରରୁ ସୂଚନା ମିଳିଛି । ରବିବାର ସନ୍ଧ୍ୟା ୯ଟା ସୁଦ୍ଧା ହୀରାକୁଦକୁ ୮ଲକ୍ଷ ୩ହଜାର ୬୨୦ ଘନଫୁଟ ଜଳ ପ୍ରବେଶ କରୁଥିଲା । ତେବେ ସେକେଣ୍ଡକୁ ୫ଲକ୍ଷ ୬୫ହଜାର ୨୭୦ ଘନଫୁଟ ଜଳ ନିଷ୍କାସିତ ହେଉଥିଲା ।ହୀରାକୁଦର ୩୪ଟି ଗେଟ୍‌ ଖୋଲାଯାଇଛି । ଆଉ ଅଧିକ ଗେଟ୍‌ ଖୋଲାଯିବନି ବୋଲି ଏସ୍‌ଆରସି ଶ୍ରୀ ଜେନା ସ୍ପଷ୍ଟ କରିଛନ୍ତି । ଯଦିଓ ଜଳଭଣ୍ଡାର ସ୍ତର ହୁ ହୁ ହୋଇ ବଢ଼ୁଛି । ରବିବାର ସନ୍ଧ୍ୟା ୬ଟା ସୁଦ୍ଧା ୬୧୭ ଫୁଟ ଡେଇଁ ସାରିଥିଲା । ସନ୍ଧ୍ୟା ୬ଟା ସୁଦ୍ଧା ଖଇରମାଳଠାରେ ୯ଲକ୍ଷ ୪୮ହଜାର କ୍ୟୁସେକ୍‌ ଜଳ ପ୍ରବାହିତ ହେଉଥିଲା । ବରମୂଳରେ ୮ଲକ୍ଷ୮୮ହଜାର ଓ ମୁଣ୍ଡଳୀରେ ୬ଲକ୍ଷ ୯୭ହଜାର କ୍ୟୁସେକ୍‌ ଜଳ  ପ୍ରବାହିତ ହେଉଥିଲା । ସନ୍ଧ୍ୟା ସୁଦ୍ଧା ମହାନଦୀର ନରାଜଠାରେ ଜଳସ୍ତର ସତର୍କ ସଙ୍କେତକୁ ଟପିଯାଇଛି । ବୈତରଣୀର ଆଖୁଆପଦାରେ ଜଳସ୍ତର ବିପଦ ସଙ୍କେତ ଉପରେ ପାଣି ଚାଲିଛି । ଜଳସ୍ତର କ୍ରମଶଃ ବଢୁଛି । ଜଳକା ନଦୀର ମାଥାନିରେ ଜଳସ୍ତର ବିପଦ ସଙ୍କେତ ଉପରେ ରହିଛି । ବୈତରଣୀ, ବଂଶଧାରା, ସୁବର୍ଣ୍ଣରେଖା, ବୁଢାବଳଙ୍ଗ ଓ କୁଶଭଦ୍ରା ନଦୀର ଜଳସ୍ତର ବଢୁଥିବାରୁ ବନ୍ୟା ଆଶଙ୍କା ବି ବଢୁଛି । ତେବେ ଦକ୍ଷିଣ ଓଡ଼ିଶାକୁ ବନ୍ୟା ଆଶଙ୍କା ନାହିଁ ବୋଲି ଏସ୍‌ଆରସି ଶ୍ରୀ ଜେନା କହିଛନ୍ତି । ହୀରାକୁଦ ଉପରମୁଣ୍ଡରେ ପ୍ରବଳ ବର୍ଷା ହେଉଛି ।

୧୫ରେ ବି ଅଧିକ ବର୍ଷା ହୋଇପାରେ । ଏଥିପାଇଁ ଜଳସ୍ତର ବଢୁଛି । ବନ୍ୟା ଆଶଙ୍କା ଥିବା ପୁରୀ ଜିଲ୍ଲା ପାଇଁ ୨ଟି ଓଡ୍ରାଫ୍‌ ଓ ଗୋଟିଏ ଏନଡିଆରଏଫ୍‌ ଟିମ୍‌ ପଠାଯାଇଛି । କେନ୍ଦ୍ରାପଡ଼ା ଜିଲ୍ଲାକୁ ୨ଟି ଓଡ୍ରାଫ୍‌ ଓ ଗୋଟିଏ ଏନଡିଆରଏଫ୍‌ ଯାଇଛନ୍ତି । ଜଗତସିଂହପୁର ଓ କଟକ ଜିଲ୍ଲା ପାଇଁ ଗୋଟିଏ ଲେଖାଏଁ ଏନଡିଆରଏଫ୍‌ ଏବଂ ଓଡ୍ରାଫ୍‌ ଟିମ୍‌ ପଠାଯାଇଛି । ଏହି ୪ ଜିଲ୍ଲାରେ ବନ୍ୟା ମୁକାବିଲା ପାଇଁ ୩ଟି ଲେଖାଏଁ ଅଗ୍ନିଶମ ଟିମ୍‌ ବି ନିୟୋଜିତ କରାଯାଇଛି । ଆବଶ୍ୟକ ହେଲେ ଆହୁରି ଅଧିକ ଟିମ୍‌ ନିୟୋଜିତ କରାଯିବ ବୋଲି ଏସ୍‌ଆରସି କହିଛନ୍ତି । ୨୦୧୯ ମସିହା ଅଗଷ୍ଟ ୧୫ ତାରିଖରେ ଏଭଳି ବନ୍ୟା ସ୍ଥିତି ଉପୁଜିଥିଲା । ସେବେ ମୁଣ୍ଡଳୀରେ ୧୦.୩୪ଲକ୍ଷ କ୍ୟୁସେକ୍‌ ଜଳ ପ୍ରବାହିତ ହେଉଥିଲା ବୋଲି ସେ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.