କୋଚି: ନେଡୁମ୍ବାସେରୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ ବଡ଼ ଧରଣର ଡ୍ରଗ୍ସ ଚୋରା ଚାଲାଣ ଘଟଣାରେ ଜଣେ ବ୍ରାଜିଲୀୟ ଦମ୍ପତିଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ଦମ୍ପତି କୋକେନ ଭର୍ତ୍ତି ୫୦ଟି କ୍ୟାପସୁଲ ଗିଳି ଭାରତକୁ ଚୋରା ଚାଲାଣ କରିବାକୁ ଚେଷ୍ଟା କରୁଥିବା ବେଳେ କଷ୍ଟମ ବିଭାଗ ସେମାନଙ୍କୁ ଗିରଫ କରିଥିବା ଜଣାପଡିଛି। ଶନିବାର କଷ୍ଟମ ଅଧିକାରୀମାନେ ସନ୍ଦେହ ଆଧାରରେ ଦମ୍ପତିଙ୍କୁ ଅଟକ ରଖି ସ୍କାନିଂ କରିବା ବେଳେ ଏହି ଘଟଣା ସାମ୍ନାକୁ ଆସିଛି।
ସୂଚନା ମୁତାବକ, ସ୍କାନିଂ ସମୟରେ ଅଧିକାରୀମାନେ ଦମ୍ପତିଙ୍କ ମଧ୍ୟରୁ ଜଣଙ୍କ ପେଟରେ ପ୍ରାୟ ୫୦ଟି କ୍ୟାପସୁଲ ଥିବା ଜାଣି ଆଶ୍ଚର୍ଯ୍ୟ ହୋଇଥିଲେ। ଏହି କ୍ୟାପସୁଲଗୁଡ଼ିକରେ କୋକେନ ଭର୍ତ୍ତି ଥିବା ସନ୍ଦେହ କରାଯାଉଛି। ତେବେ ପେଟରେ ତିବା ଏହି କ୍ୟାପସୁଲ ଗୁଡିକୁ ବାହାର କରିବା ପାଇଁ ଉଭୟ ଅଭିଯୁକ୍ତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି।
କଷ୍ଟମ ବିଭାଗ ଏବଂ କେରଳ ପୋଲିସର ମିଳିତ ଅପରେସନରେ ଏହି ଗିରଫ କରାଯାଇଛି। ଅଧିକାରୀମାନେ ଏହି ଚୋରା ଚାଲାଣ ନେଟୱାର୍କର ଅନ୍ୟ ସଦସ୍ୟମାନଙ୍କୁ ଚିହ୍ନଟ କରିବା ପାଇଁ ତଦନ୍ତ ଜାରି ରଖିଛନ୍ତି। ଏହି ଘଟଣା କେରଳରେ ବୃଦ୍ଧି ପାଉଥିବା ମାଦକ ଦ୍ରବ୍ୟ ଚୋରା ଚାଲାଣ ସମସ୍ୟା ଉପରେ ଆଲୋକପାତ କରିଛି। ତେବେ ଅଭିଯୁକ୍ତଙ୍କ ପେଟରୁ କ୍ୟାପସୁଲ ଗୁଡିକ ବାହାରିବା ପରେ ସମ୍ପୂର୍ଣ୍ଣ ଘଟଣା ସ୍ପଷ୍ଟ ହେବ ବୋଲି ଜଣାପଡିଛି।
ଏହା ପୂର୍ବରୁ ମଧ୍ୟ କୋଚି ଏବଂ ତିରୁଅନନ୍ତପୁରମ ବିମାନବନ୍ଦରରେ ଏକାଧିକ ମାଦକ ଦ୍ରବ୍ୟ ଜବତ ଘଟଣା ସାମ୍ନାକୁ ଆସିଛି। ତଦନ୍ତକାରୀମାନେ ଏହି ମାମଲାରେ ଅଧିକ ସୂଚନା ସଂଗ୍ରହ କରିବାକୁ ଚେଷ୍ଟା କରୁଛନ୍ତି। ଯେଉଁଥିରେ ଏହି ସମ୍ଭାବିତ କୋକେନର ଉତ୍ସ କେଉଁଠି ଏବଂ ଏହାର କେଉଁ ସ୍ଥାନକୁ ଚାଲାଣ କରାଯାଉଥିଲା ତାହା ମୁଖ୍ୟ ବିଷୟ ରହିଛି। ତେବେ ଅଧିକ ତଥ୍ୟ ପାଇଁ ତଦନ୍ତ ଫଳାଫଳକୁ ଅପେକ୍ଷା କରାଯାଇଛି।