ରାୟଗଡ଼ା, ୧୭/୦୧ : ମାତାଲ୍ ସାରଙ୍କ ଉନ୍ମତ୍ତକାଣ୍ଡ । ନିଶାରେ ଚୁର୍ ହୋଇ ବିଦ୍ୟାଳୟରେ ପହଞ୍ଚିଲେ ମଦୁଆ ଶିକ୍ଷକ। ପରିସରରେ ଥିବା ଗଣେଶ ଓ ସରସ୍ୱତୀଙ୍କ ପ୍ରତିମୂର୍ତ୍ତିକୁ ପଚାରିଲେ ବିଭିନ୍ନ ପ୍ରଶ୍ନ । ଉତ୍ତର ନମିଳିବାରୁ ବଢିଲା ରାଗ । ପଥରରେ ଛେଚି ଛେଚି ପ୍ରତିମୂର୍ତ୍ତିକୁ ଭାଙ୍ଗିଦେଲେ ମାତାଲ୍ ସାର୍ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ୍ର ମଙ୍ଗଳ ବିଭାଗ ଦ୍ୱାରା ପରିଚାଳିତ ଅମ୍ବାଦଳା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ । ଶିକ୍ଷାର ମନ୍ଦିରରେ ଜଣେ ଶିକ୍ଷକଙ୍କ ଏଭଳି କାରନାମାକୁ ନେଇ ବିଭିନ୍ନ ମହଲରେ ଉଦ୍ବେଗ ପ୍ରକାଶ ପାଇଛି । ଥାନାରେ ଦିଆଯାଇଛି ଏତଲା । ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ଲାଗି ଦାବି ହୋଇଛି ।
ସୂଚନାନୁଯାୟୀ, ଗୁରୁବାର ସନ୍ଧ୍ୟାରେ ଶିକ୍ଷକ କେ.କ୍ରିଷ୍ଣା ରାଜୁ ମଦ ନିଶାରେ ସ୍କୁଲ୍ରେ ପହଞ୍ଚିଥିଲେ । କିଛି ସମୟ ପରିସରରେ ଘୂରି ବୁଲିଥିଲେ । ଶିକ୍ଷକଙ୍କ ଏଭଳି ଅବସ୍ଥା ଦେଖି ଛାତ୍ରଛାତ୍ରୀ ଓ ଉପସ୍ଥିତ ଶିକ୍ଷକମାନେ ଚକିତ ହୋଇଥିଲେ । ତାଙ୍କ ଆଗକୁ ଯିବାଲାଗି କେହି ସାହସ ଜୁଟାଇ ପାରିନଥିଲେ । କାହାକୁ ନପାଇ ଶେଷରେ ସ୍କୁଲ୍ ପରିସରରେ ଥିବା ଗଣେଶ ଓ ସରସ୍ୱତୀଙ୍କ ପ୍ରତିମୂର୍ତ୍ତି ସହ ବାର୍ତ୍ତାଳାପ କରିଥିଲେ । ବିଭିନ୍ନ ପ୍ରଶ୍ନ ପଚାରିଥିଲେ । ଉତ୍ତର କାହିଁକି ଦେଉନ କହି ମୂର୍ତ୍ତିଗୁଡ଼ିକୁ ଏକ ପଥରରେ ଛେଚିଥିଲେ । ଏଥିଯୋଗୁ ଉଭୟ ମୂର୍ତ୍ତିର କିଛି ଅଂଶ ଭାଙ୍ଗି ଯାଇଥିଲା । ଆଗରୁ ମଧ୍ୟ ହି ଶିକ୍ଷକ ଜଣଙ୍କ ମଦପିଇ ପିଲାଙ୍କୁ ବାଡ଼େଇଥିବା ଭିଡିଓ ଭାଇରାଲ ହୋଇଥିଲା ।
ଏ ସମ୍ପର୍କରେ ଜିଲ୍ଲା ମଙ୍ଗଳ ଅଧିକାରୀ ଅସୀମା ରାଓଙ୍କୁ ପଚାରିବାରୁ କହିଛନ୍ତି, ଘଟଣାର ତଦନ୍ତ ଚାଲିଛି । ରିପୋର୍ଟ ଆସିବା ପରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବ । ଅନ୍ୟପକ୍ଷରେ ବଜରଙ୍ଗ ଦଳ ଓ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଏହି ଘଟଣା ନେଇ ଆଜି ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଅନୁଷ୍ଠାନର ପ୍ରଧାନଶିକ୍ଷକ ଓ ମଦୁଆ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ଦାବି କରାଯାଇଛି । ଏଥିସହ ଅମ୍ବାଦଳା ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ରାୟଗଡ଼ାଠାରେ ଏଏସ୍ପିଙ୍କୁ ମଧ୍ୟ କାର୍ଯ୍ୟାନୁଷ୍ଠାନ ପାଇଁ ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି ।
ଏହି ଖବରଟିକୁ ପଢନ୍ତୁ- ବିଜେଡି ନିଲମ୍ବନ ରାଜନୀତି : ଏତିକିରେ ଅଟକିବେ କି ନବୀନ ? ନା ଆଉ କିଛି ବଡ଼ ନେତାଙ୍କ ଉପରେ ପଡ଼ିବ କାର୍ଯ୍ୟାନୁଷ୍ଠାନ ପ୍ରହାର...