ଭୁବନେଶ୍ୱର, ୧୭/୦୧ : ଷଡ଼ଯନ୍ତ୍ର, ଷଡ଼ଯନ୍ତ୍ର, ଯଡ଼ଯନ୍ତ୍ର... ଏପଟୁ ଅଭିଯୋଗ, ସେପଟୁ ସନ୍ଦେହ। ଷଡ଼ଯନ୍ତ୍ର କରି ନିଲମ୍ବିତ ହେଲେ ନା ଷଡ଼ଯନ୍ତ୍ରର ଶିକାର ବନିଲେ? ଓଡ଼ିଶା ରାଜନୀତିରେ ଏବେ ହଟଚମଟ ସୃଷ୍ଟ କରିଛି ବିଧାୟକଙ୍କ ନିଲମ୍ବନ ପ୍ରସଙ୍ଗ। ଚର୍ଚ୍ଚା, ଆକଳନ, ସମ୍ଭାବନା ଓ ତର୍ଜମା ଅନେକ । ହେଲେ ନିର୍ଦ୍ଦିଷ୍ଟ ଭାବେ କେହି କିଛି କହିପାରୁନାହାନ୍ତି । ପାଟକୁରା ବିଧାୟକ ତଥା ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନ ପଛର ପ୍ରକୃତ କାରଣ ଖୋଜା ଚାଲିଛି ରାଜ୍ୟ ରାଜନୀତି ଜଗତରେ । ଅନ୍ୟପଟେ ବିଜେଡିକୁ ନେଇ ଆଉ ଗୋଟିଏ ବଡ଼ ପ୍ରଶ୍ନ ଉଠିଛି-ୟା’ ପରେ କାହା ପାଳି? ବିଜେଡି ସଭାପତି ନବୀନ ପଟ୍ଟନାୟକ କ’ଣ ଏତିକିରେ ଅଟକିବେ? ନା ଆଉ କିଛି ବଡ଼ ନେତାଙ୍କ ଉପରେ ପଡ଼ିବ କି କାର୍ଯ୍ୟାନୁଷ୍ଠାନ ପ୍ରହାର? ମେଳି ବାନ୍ଧୁଥିବା, ବୟାନବାଜି କରୁଥିବା ନେତାଙ୍କୁ ନବୀନ ବାହାର ରାସ୍ତା ଦେଖାଇବେ ନା ନରମ ଆଭିମୁଖ୍ୟ ଦେଖାଇବେ । ଲଗାତାର ବୟାନବାଜି କରି ଦଳର ଅଡ଼ୁଆ ବଢ଼ାଉଥିବା ସାଂସଦ ଦେବାଶିଷ ସାମନ୍ତରାୟ, ବିଧାୟକ ବଦ୍ରି ପାତ୍ରଙ୍କ ଭଳି ବରିଷ୍ଠଙ୍କ ଉପରେ ହେବ କି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ?
ନିଲମ୍ବନ ପରେ ବିଜେପିରେ ମିଶିଲେ ଯାଜପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଉପାଧ୍ୟକ୍ଷ
ଇତିମଧ୍ୟରେ ଯାଜପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷ ନଳିନୀପ୍ରଭା ଜେନା ଓ ଉପାଧ୍ୟକ୍ଷ ଗଣେଶ୍ୱର ବରାଳଙ୍କୁ ନିଲମ୍ବିତ କରିଛି ବିଜେଡି । ଉଭୟ ନିଲମ୍ଵନର କିଛି ସମୟ ଭିତରେ ବିଜେପିରେ ମିଶିଛନ୍ତି । ରାଜ୍ୟର କିଛି ବରିଷ୍ଠ ନେତାଙ୍କ ପୁଅ ବାରମ୍ବାର ମେଳି ବାନ୍ଧି ବିଜେଡିର ଚିନ୍ତା ବଢ଼ାଇଛନ୍ତି । ଅରବିନ୍ଦଙ୍କ ଭଳି ସେମାନେ ବି ନବୀନଙ୍କ ଆକ୍ରୋଶର ଶିକାର ହେବେ କି? ମେଳି ବାନ୍ଧିବା ଓ ବିଭିନ୍ନ ବୟାନବାଜି କରିବା, ଦଳୀୟ ପରିଚାଳନା ନେଇ ଗଣମାଧ୍ୟମରେ ଅସନ୍ତୋଷ ବ୍ୟକ୍ତ କରୁଥିବା ସାଂସଦ, ବିଧାୟକ ଓ ପୂର୍ବତନ ବିଧାୟକଙ୍କ ବିରୋଧରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।
ସାଂସଦ ମୁନ୍ନା ଖାଁ, ବରିଷ୍ଠ ନେତା ଭୂପିନ୍ଦର ସିଂହ, ବିଧାୟକ ଦେବୀ ତ୍ରିପାଠୀ, ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ, ବିଷ୍ଣୁବ୍ରତ ରାଉତରାୟ, ପ୍ରଣବ ବଳବନ୍ତରାୟ, ଲତିକା ପ୍ରଧାନ, ରୁଦ୍ର ମହାରଥୀ ପ୍ରମୁଖ ବିଭିନ୍ନ ସମୟରେ ମେଳି ବାନ୍ଧିଛନ୍ତି କିମ୍ବା ଦଳକୁ ନେଇ ଅସନ୍ତୋଷ ଝାଡ଼ିଛନ୍ତି । ଏସବୁକୁ ଦଳ ଗୁରୁତର ସହ ବିଚାର କରୁଥିବା କୁହାଯାଉଛି । ଦୁଇ ବିଧାୟକ ସନାତନ ମହାକୁଡ଼ ଏବଂ ଅରବିନ୍ଦ ମହାପାତ୍ରଙ୍କୁ ନିଲମ୍ବିତ କରି ନବୀନ କଠୋର ବାର୍ତ୍ତା ଦେଇଛନ୍ତି । ଦଳ ବିରୋଧୀ କାର୍ଯ୍ୟକଳାପ, ବିଶ୍ୱାସଘାତକତା ପାଇଁ ୨ ବିଧାୟକଙ୍କୁ ନିଲମ୍ବନ କରାଯାଇଥିବା ବିଜେଡି ନେତାମାନେ କହୁଛନ୍ତି । ଦୁଇ ବିଧାୟକ ଦଳବିରୋଧୀ ଷଡ଼ଯନ୍ତ୍ରରେ ଲିପ୍ତ ରହି ଦଳକୁ ବିଶ୍ୱାସଘାତକତା କରିଥିବା ବିଜେଡି ନେତାଏ ଅଭିଯୋଗ ଆଣିଛନ୍ତି । ସନାତନ ବିଜେଡିରୁ ଦୂରେଇ ଯାଉଥିବା ପୂର୍ବରୁ ଜଣାପଡ଼ୁଥିଲା । ମାତ୍ର ଅରବିନ୍ଦଙ୍କୁ ନେଇ ରହସ୍ୟ ହଟୁନି । ଅରବିନ୍ଦଙ୍କୁ ନିଲମ୍ବନର ପ୍ରକୃତ କାରଣ କ’ଣ, ନିର୍ଦ୍ଦିଷ୍ଟ ଭାବେ କେହି ବୁଝିପାରୁନାହାନ୍ତି ।
ଅରବିନ୍ଦଙ୍କ ନିଲମ୍ବନ ନେଇ ଉଭୟ ପଟୁ ଷଡ଼ଯନ୍ତ୍ର ଗନ୍ଧ
ରାଜ୍ୟରେ ନୂଆ ଆଞ୍ଚଳିକ ଦଳ ଗଠନରେ ବିଜୟ ବଡ଼ ଭୂମିକା ନେଉଥିବା ଚର୍ଚ୍ଚା ଏବଂ ବିଭିନ୍ନ ଦଳ ନେତାଙ୍କ ସହ ତାଙ୍କର ବୈଠକକୁ ନେଇ ଏଭଳି କାର୍ଯ୍ୟାନୁଷ୍ଠାନ ହୋଇଥିବା ମଧ୍ୟ ଶୁଣିବାକୁ ମିଳୁଛି । ବିଜେଡି ପଟୁ ଷଡ଼ଯନ୍ତ୍ର ଅଭିଯୋଗ ଉଠିଥିବାବେଳେ ଅରବିନ୍ଦଙ୍କ ବାପା ବରିଷ୍ଠ ରାଜନେତା ବିଜୟ ମହାପାତ୍ର ମଧ୍ୟ ପାଲଟା ପ୍ରଶ୍ନବାଣ ମାରିଛନ୍ତି । ବିଜୟ କହିଛନ୍ତି, ଏହି କାର୍ଯ୍ୟାନୁଷ୍ଠାନ ପଛରେ ଷଡ଼ଯନ୍ତ୍ର ଥାଇପାରେ । କିଏ କ’ଣ ବିଶ୍ୱାସଘାତକତା କରିଛି, ତାହା ସେମାନେ ସ୍ପଷ୍ଟ କରିବା ଦରକାର । ମୁଁ ଜାଣିବାରେ ପୁଅ (ଅରବିନ୍ଦ) ସେଭଳି କିଛି ବି କାମ କରିନାହିଁ । ଗତ ନିର୍ବାଚନ ପୂର୍ବରୁ ବିଜେଡି ନେତା ପୁଅକୁ ଡାକି ଟିକଟ ଦେଇଥିଲେ । କ’ଣ ହୋଇଛି, ଆକଳନ କରିବା କଷ୍ଟ । ଓଡ଼ିଶାବାସୀ ସତ କ’ଣ ଜାଣିବାକୁ ଅପେକ୍ଷା କରିଛନ୍ତି । ଅରବିନ୍ଦ କହିଛନ୍ତି ଯାହା ବି ଅଭିଯୋଗ କରାଯାଉଛି ତାହାର ପ୍ରମାଣ ଦେବା ଦରକାର । ଅରବିନ୍ଦ ନିଜ ନିର୍ବାଚନମଣ୍ଡଳୀ ପାଟକୁରା ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ପାଟକୁରାରେ ତାଙ୍କ ସମର୍ଥକମାନେ ରାସ୍ତାକୁ ଓହ୍ଲାଇ ନିଲମ୍ବନର ପ୍ରତିବାଦ କରିଛନ୍ତି । ପାଟକୁରା ଓ ମହାକାଳପଡ଼ାରେ ବିଜୟଙ୍କ ନିଜସ୍ୱ ପ୍ରଭାବ ଓ ଲୋକସମ୍ପର୍କ ସୁଦୃଢ଼ ଥିବାରୁ ଅରବିନ୍ଦଙ୍କ ନିଲମ୍ବନ ବିଜେଡି ପାଇଁ ଚିନ୍ତା ବଢ଼ାଇବ ।
ଅନ୍ୟପଟେ ଚମ୍ପୁଆ ବିଧାୟକ ସନାତନଙ୍କ ଶିବିର ନିଲମ୍ବନକୁ ନେଇ ଆଦୌ ବିଚଳିତ ନୁହନ୍ତି । ହେଲେ ସନାଙ୍କୁ ନିଲମ୍ବନ ଚମ୍ପୁଆ ସମେତ କେନ୍ଦୁଝର ଜିଲ୍ଲାରେ ବିଜେଡି ସଂଗଠନକୁ ଝଟ୍କା ଦେଇଛି । ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ମାଧ୍ୟମରେ ସନା ନିଜର ସ୍ୱତନ୍ତ୍ର ଲୋକପ୍ରିୟତା ସୃଷ୍ଟି କରିପାରିଛନ୍ତି । ସନାଙ୍କ ସମର୍ଥନ ମିଳିଲେ ବିଜେପି ଜିଲ୍ଲାରେ ଆହୁରି ଶକ୍ତିଶାଳୀ ହେବା ନିଶ୍ଚିତ । ବିଧାୟକଙ୍କ ନିଲମ୍ବନକୁ ନେଇ ପୂର୍ବତନ ବିଧାୟକ ରବିନାରାୟଣ ପାଣି ବିଜେଡିକୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି, ବିଜୟଙ୍କ ପୁଅକୁ ଡାକି ନବୀନ ଟିକଟ ଦେଇଥିଲେ । ଏଭଳି ନିଲମ୍ବନ କରିବା ଠିକ୍ ହେଲାନି । ଏବେ ଯେଉଁମାନେ ବିଶ୍ୱାସଘାତକତା କଥା କହୁଛନ୍ତି, ସେମାନେ ମେ’ ୨୯ ଘଟଣାକୁ କେମିତି ଭୁଲି ଯାଇଛନ୍ତି? ଆଉ ନବୀନଙ୍କ ଯାଦୁ କାମ କରୁନି । ଦୁଇ ବିଧାୟକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦଳ ପାଇଁ ବୁମେରାଂ ହେବ ।