ଚ୍ୟାନେଲ୍ ବାଛିବାର ସ୍ୱାଧୀନତା: ଦ୍ୱନ୍ଦରେ ଡିଟିଏଚ୍-କେବଲ୍ ଟିଭି ଗ୍ରାହକ

ନୂଆଦିଲ୍ଲୀ,୨୧ା୧(ଏଜେନ୍ସି): ଫେବ୍ରୁଆରୀ ୧ରୁ ଟିଭି ଦେଖିବା ଶସ୍ତା ହେବ । ଡିଟିଏଚ୍-କେବଲ୍ ଟିଭି ଗ୍ରାହକମାନେ ସେମାନଙ୍କ ପସନ୍ଦର ଚ୍ୟାନେଲ୍ ବାଛିବାକୁ ସୁଯୋଗ ପାଇବେ । ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ (ଟ୍ରାଇ) ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଗ୍ରାହକଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି । କିନ୍ତୁ ଏହି ସ୍କିମ୍କୁ ନେଇ ଏବେ ବି ଗ୍ରାହକମାନେ ଅନ୍ଧାରରେ ରହିଛନ୍ତି । ସେମାନଙ୍କୁ ସ୍କିମ୍ ବାବଦରେ ସ୍ପଷ୍ଟ ସୂଚନା ମିଳୁନଥିବାରୁ ଏହାକୁ ନେଇ ଦ୍ୱନ୍ଦ୍ୱ ବଢୁଛି ।
ମୁମ୍ବାଇର ଅନେ୍ଧରୀ ୱେଷ୍ଟରେ ରହୁଥିବା ଯାଦବ କୁମାର ରାଓ ଏବେ ସେହି ସମସ୍ୟାରେ ପଡ଼ିଛନ୍ତି । ସେ କେବଳ ନ୍ୟୁଜ୍ ଚ୍ୟାନେଲ୍ ଦେଖିବାକୁ ଚାହୁଥିବା ବେଳେ କେବଲ୍ ଟିଭି ଅପରେଟର୍ ପକ୍ଷରୁ ତାଙ୍କୁ ନିଜସ୍ୱ ନିର୍ଦ୍ଧାରିତ ବୁକେ ଦିଆଯାଇଛି । ଏହି ବୁକେରେ ଏଭଳି ଚ୍ୟାନେଲ୍ ରହିଛି, ଯାହାକୁ ଦେଖିବାକୁ ସେ ଆଦୌ ଚାହୁନାହାନ୍ତି । ଟ୍ରାଇ ନିୟମ ଅନୁସାରେ ଗ୍ରାହକମାନେ ନିଜ ପସନ୍ଦର ଚ୍ୟାନେଲ୍ ଦେଖିପାରିବେ । କିନ୍ତୁ ତାଙ୍କୁ ଏହି ସୁଯୋଗ ନ ମିଳିବାରୁ ସେ କ୍ଷୋଭପ୍ରକାଶ କରିଛନ୍ତି । ଏମିତି କି ତାଙ୍କୁ ଟ୍ରାଇ ପକ୍ଷରୁ କୌଣସି ମେସେଜ୍ ମଧ୍ୟ ମିଳିପାରି ନାହିଁ ।
ଟ୍ରାଇ ପକ୍ଷରୁ ଫେବ୍ରୁଆରୀ ୧ ସମୟସୀମା ଦିଆଯାଇଛି । ଏହି ସମୟ ମଧ୍ୟରେ ଚ୍ୟାନେଲ୍ ବାଛିବାକୁ କୁହାଯାଇଛି । କିନ୍ତୁ ଏହି ଅବଧି ପୂରିବାକୁ ଆଉ ଅଳ୍ପ ଦିନ ରହିଥିବାରୁ ଯାଦବ ଏବେ ଏଥିପାଇଁ ଚିନ୍ତିତ ଅଛନ୍ତି । ମୁମ୍ବାଇର ଆଉ ଜଣେ ଗ୍ରାହକ ବର୍ଷା ରାଉତ କହିଛନ୍ତି ଯେ ଡିଟିଏଚ୍ ଓ କେବଲ୍ ଟିଭି ଅପରେଟରମାନେ ସେମାନଙ୍କ ପୁରୁଣା ବୁକେଗୁଡ଼ିକୁ ନୂଆ ନାମକରଣ କରି ଗ୍ରାହକମାନଙ୍କୁ ଦେଉଛନ୍ତି । ଏଥିରେ ଟ୍ରାଇ ନିୟମ ଅନୁସାରେ କୌଣସି ସ୍କିମ୍ ଦିଆଯାଉ ନାହିଁ ।
ସେ ଆହୁରି ଅଭିଯୋଗ କରିଛନ୍ତି ଯେ ଅପରେଟରମାନେ କେବଳ ଆପ୍ଲିକେସନ୍ ଆଣି ଆସୁଛନ୍ତି । କିନ୍ତୁ ଗ୍ରାହକଙ୍କୁ ଭଲ ଭାବେ ବୁଝାଇବା ପାଇଁ କୌଣସି ସୂଚନା ଦେଉନାହାନ୍ତି । ଏମିତି କି ଗ୍ରାହକଙ୍କୁ ବୁଝାଇବା ପାଇଁ ମଧ୍ୟ ଅପରେଟର୍ର କର୍ମଚାରୀମାନେ ସମର୍ଥ ହୋଇପାରୁ ନାହାନ୍ତି । ତା’ଛଡ଼ା ଟ୍ରାଇ ପକ୍ଷରୁ ବିଭିନ୍ନ ପରାମର୍ଶମୂଳକ ପାକେଜ୍ ସମ୍ପର୍କରେ କୁହାଯାଇଥିବା ବେଳେ ଏହାକୁ ନେଇ ମଧ୍ୟ ଗ୍ରାହକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଉପୁଜିଛି ।
ଶିଳ୍ପ ବିଶେଷଜ୍ଞ ରୂପେଶ ରାଓଙ୍କ କହିବାନୁଯାୟୀ ଗ୍ରାହକଙ୍କ ଏବଂ ସ୍ଥାନୀୟ ଅପରେଟର୍ଙ୍କ ମଧ୍ୟରେ ସଚେତନତାର ଘୋର ଅଭାବ ଦେଖାଦେଇଛି । ଏଥିପାଇଁ ଟ୍ରାଇ ପକ୍ଷରୁ ବିସ୍ତୃତ ଭାବେ ସୂଚନା ପ୍ରକାଶ କରାଯିବା ଆବଶ୍ୟକ । ସେହିଭଳି ଚ୍ୟାନେଲ୍ ପିଛା କିମ୍ବା ପ୍ୟାକ୍ ପିଛା ଜିଏସ୍ଟି ଧାର୍ଯ୍ୟ କରାଯିବ, ତାହାକୁ ନେଇ ମଧ୍ୟ ଗ୍ରାହକ ଦ୍ୱନ୍ଦ୍ୱରେ ରହୁଥିବା ସେ କହିଛନ୍ତି । ଅନ୍ୟପକ୍ଷରେ ଟାଟା ସ୍କାଏ ଗ୍ରାହକଙ୍କ ପାଇଁ ଏହି ଅଫର ଲାଗୁ ହେବନାହିଁ ବୋଲି ଏକ ସୂତ୍ରରୁ ଜଣାପଡ଼ିଛି । କାରଣ ସରକାରଙ୍କ ଏହି ସ୍କିମ୍କୁ ବିରୋଧ କରି କୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ଏବଂ ଏହି ମାମଲା ଏବେ ବିଚାରାଧୀନ ରହିଛି । ଆସନ୍ତା ସପ୍ତାହରେ ଏ ନେଇ ଶୁଣାଣି ହୋଇପାରେ ବୋଲି କୁହାଯାଉଛି ।