ଦୁବାଇ,୦୨/୦୩: ଭାରତର ୟୁକି ଭାମ୍ବ୍ରି ଓ ଅଷ୍ଟ୍ରେଲିଆର ଆଲେକ୍ସି ପପିରିନ୍ ଯୋଡ଼ି ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଦୁବାଇ ଓପନ ପୁରୁଷ ଡବଲ୍ସ ଚାମ୍ପିଅନ୍ ହୋଇଛନ୍ତି । ଫାଇନାଲ୍ ମୁକାବିଲାରେ ଉଭୟ ୩-୬, ୭-୬ (୧୪-୧୨), ୧୦-୮ ସେଟ୍ରେ ଅଷ୍ଟ୍ରେଲିଆନ୍ ଓପନ ଚାମ୍ପିଅନ୍ ତଥା ଦ୍ୱିତୀୟ ସିଡ୍ ହ୍ୟାରୀ ହେଲିଓଭାରା ଓ ହେନରୀ ପ୍ୟାଟେନ ଯୋଡ଼ିଙ୍କୁ ପରାସ୍ତ କରିଥିଲେ । ଏହି ମ୍ୟାଚ୍ ଜିତିବା ପାଇଁ ଇଣ୍ଡୋ-ଅଷ୍ଟ୍ରେଲୀୟ ଯୋଡ଼ିଙ୍କୁ ୧ଘଣ୍ଟା ୫୩ ମିନିଟ ଲାଗିଥିଲା ।
ଭାମ୍ବ୍ରି-ପପିରିନ୍ ଯୋଡ଼ି ପ୍ରଥମ ସେଟ୍ ପରାଜିତ ହେବା ପରେ ଦ୍ୱିତୀୟ ସେଟ୍ରେ ଦୃଢ଼ ପ୍ରତ୍ୟାବର୍ତ୍ତନ କରିଥିଲେ । ଉଭୟ ୪ଟି ଚାମ୍ପିଅନ୍ସ ପଏଣ୍ଟ ବଞ୍ଚାଇବା ସହ ଟାଇବ୍ରେକରରେ ଏହି ସେଟ୍ ଜିତି ସ୍ଥିତି ବରାବର କରିଥିଲେ । ନିର୍ଣ୍ଣାୟକ ସେଟ୍ ମଧ୍ୟ ସଂଘର୍ଷପୂର୍ଣ୍ଣ ହୋଇଥିଲା । ମାତ୍ର ଭାମ୍ବ୍ରି-ପପିରିନ୍ କୌଣସି ତ୍ରୁଟି ନକରି ବିଜୟ ହାସଲ କରିଥିଲେ । ଭାମ୍ବ୍ରିଙ୍କ କ୍ୟାରିୟରରେ ଏହା ପ୍ରଥମ ଏଟିପି ୫୦୦ ଏବଂ ଚତୁର୍ଥ ଏଟିପି ଟାଇଟଲ୍ ରହିଥିଲା । ସୂଚନାଯୋଗ୍ୟ, ଭାମ୍ବ୍ରି-ପପିରିନ୍ ପ୍ରଥମ ରାଉଣ୍ଡ୍ରେ ବିଶ୍ୱର ଏକ ନମ୍ବର ଯୋଡ଼ି ମାର୍ସେଲୋ ଆରେଭାଲୋ ଓ ମ୍ୟାଟ୍ ପାଭିକ୍ଙ୍କୁ ହରାଇ ଦୁବାଇ ଓପନରେ ଅଭିଯାନ ଆରମ୍ଭ କରିଥିଲେ ।