ପୃଥିବୀକୁ ଚନ୍ଦ୍ର ଅବତରଣ କରିବାକୁ ପ୍ରସ୍ତୁତ କରୁଛି ଦୁବାଇ, ଏପରି କିଛି ରହିବ ଦୃଶ୍ୟ

ନୂଆଦିଲ୍ଲୀ ୨୩/୦୫: ରିଲରୁ ନେଇ ରିୟଲ୍। ଚନ୍ଦ୍ର ପରି ଇଣ୍ଟ୍ରେଷ୍ଟିଂ ଆଉ କିଛି ନାହିଁ। ସବୁବେଳେ ଚନ୍ଦ୍ରରେ ବସବାସ କରିବାକୁ ଚାହିଁଥାଏ ମଣିଷ। କିନ୍ତୁ ଅମ୍ଳଜାନ ଓ ଜଳର ସମସ୍ୟା ହେତୁ ଚନ୍ଦ୍ରରେ ବଞ୍ଚିବା ସମ୍ଭବ ନୁହେଁ। ଚନ୍ଦ୍ରକୁ ଯିବା ଏତେ ସହଜ ବି ନୁହେଁ। ତେଣୁ ଦୁବାଇ ବର୍ତ୍ତମାନ ଚନ୍ଦ୍ରକୁ ଭୂମିରେ ଅବତରଣ କରିବାର ପ୍ରସ୍ତୁତି କରିଛି। ଅତ୍ୟାଧୁନିକ ଇଞ୍ଜିନିୟରିଂ ଓ ନିର୍ମାଣ କାରୁକାର୍ଯ୍ୟ ପାଇଁ ବେଶ୍ ଜଣା। ଅନେକ ଆକାଶଛୁଆଁ ଅଟ୍ଟାଳିକା ପରେ, ଏବେ ଆଉ ଏକ ନୂଆ ଧରଣର ନିର୍ମାଣ ପାଇଁ ଦୁବାଇ ପ୍ରସ୍ତୁତ କରିଛି ଏକ ପ୍ରୋଜେକ୍ଟ । ଦୁବାଇର ଭୂମିରେ ହେବ ଚନ୍ଦ୍ର ନିର୍ମାଣ। କାନାଡୀୟ ଉଦ୍ୟୋଗପତି ମାଇକେଲ ହେଣ୍ଡେରସନ୍ ପ୍ରସ୍ତୁତ କରିଛନ୍ତି ୫ ବିଲିୟନ ଡଲାରର ରିଅଲ ଇଷ୍ଟେଟ୍ ପ୍ରୋଜେକ୍ଟ । ଏହି ପ୍ରୋଜେକ୍ଟରେ ନିର୍ମାଣ କରାଯିବ ଅବିକଳ ଚନ୍ଦ୍ର ପରି ଏକ ରିସର୍ଟ ।

୯ ଶହ ଫୁଟର ଏହି ଚନ୍ଦ୍ର ଆକୃତିର ରିସର୍ଟ ଦୁବାଇରେ ୧୦୦ ଫୁଟ ଉପରେ ଥିବା ଏକ ବିଲ୍ଡିଂରେ ନିର୍ମାଣ କରାଯିବ । ବିଶ୍ୱର ସବୁଠୁ ବଡ଼ ଅଟ୍ଟାଳିକା ବୁର୍ଜ ଖଲିଫା ଥିବାବେଳେ ଏବେ ଦୁବାଇ ଦୁନିଆକୁ ଦେଖାଇବ ଆଉ ଏକ ଆଶ୍ଚର୍ଯ୍ୟକର ନିର୍ମାଣ। ଏଥିପାଇଁ ପ୍ରସ୍ତୁତ ହୋଇସାରିଛି ବ୍ଲୁ ପ୍ରିଣ୍ଟ । ହେଣ୍ଡେରସନଙ୍କ କହିବା ଅନୁସାରେ, ଏହା ତାଙ୍କର ଏକ ମହତ୍ତ୍ୱାକାଂକ୍ଷୀ ପ୍ରୋଜେକ୍ଟ । ଏହାର ନାଁ ରଖାଯିବ ‘ମୁନ୍’ । ଏହି ପ୍ରୋଜେକ୍ଟ ପାଇଁ ପାଣ୍ଠି ଯୋଗାଇବ ମୁନ୍ ରିସର୍ଟସ୍ ଇଙ୍କ୍ । ଏହି ରିସର୍ଟ ଅବିକଳ ଚନ୍ଦ୍ର ପରି ଦେଖାଯିବ । ରିସର୍ଟରେ ୪ ହଜାର ହୋଟେଲ ରୁମ୍ ରହିବ । ଏଠାରେ ୧୦ ହଜାର ଲୋକଙ୍କୁ ଆପାୟିତ କରାଯିବାର ସୁବିଧା ରହିବ । ଏହା ମଧ୍ୟରେ ଏକ ଲୁନାର କଲୋନୀ ମଧ୍ୟ ରହିବ । ଏହାଦ୍ୱାରା ଲୋକେ ଚନ୍ଦ୍ରରେ ଚାଲିବା ବା ମୁନ୍ ୱାକ୍ ଭଳି ଅନୁଭୂତି ନେଇପାରିବେ । ଏହା ଏକ ଗୋଲାକାର ବିଲ୍ଡିଂ ହେବ ଏବଂ ରାତିରେ ଚନ୍ଦ୍ର ପରି ଚମକିବ ।
ଚଳିତ ମାସରେ ଦୁବାଇର ଆରବିଆନ୍ ଟ୍ରାଭେଲ ମାର୍କେଟରେ ଏହି ପ୍ରୋଜେକ୍ଟ ବାବଦରେ ହେଣ୍ଡେରସନ୍ ଆଲୋଚନା କରିଛନ୍ତି । ଦୁବାଇ ପର୍ଯ୍ୟଟନରୁ ଆୟର ଏକ ବଡ଼ ଉତ୍ସ କରିବାକୁ ଲକ୍ଷ୍ୟ ରଖିଛି । ଏହି ପ୍ରୋଜେକ୍ଟ ଶେଷ ହେବା ପରେ ଏଥିରୁ ବିପୁଳ ଆୟ ହୋଇପାରିବ । ପ୍ରତିବର୍ଷ ଏଠାକୁ ପ୍ରାୟ ୨୫ ଲକ୍ଷ ଲୋକ ଆଗମନ କରିବେ ବୋଲି ଆକଳନ କରାଯାଇଛି ।