“ଭବିଷ୍ୟ ପୁରାଣ’ରେ ଆଶ୍ୱିନ ଶୁକ୍ଳାଷ୍ଟମୀ ତିଥିରେ ଅଷ୍ଟାଦଶ ଭୁଜା ଦୁର୍ଗାଙ୍କ ଅର୍ଚ୍ଚନା ଏବଂ ଆଷାଢ଼ କିମ୍ବା ଶ୍ରାବଣ ମାସର ଶୁକ୍ଳାଷ୍ଟମୀରେ ଚଣ୍ଡିକାଦେବୀଙ୍କର ଉପାସନା କରିବା ନିମନ୍ତେ ନିର୍ଦ୍ଦେଶ ରହିଛି । “ବ୍ରହ୍ମ ବୈବର୍ତ୍ତ ପୁରାଣ’ ରଚନା ବେଳକୁ ଦେବୀ ଗ୍ରାମ ଗ୍ରାମରେ ଗ୍ରାମଦେବୀ ଏବଂ ଗୃହେ ଗୃହେ ଗୃହଦେବୀ ବା ଈଷ୍ଟଦେବୀ ରୂପରେ ଗୃହୀତ ହୋଇସାରିଥିଲେ । ତେଣୁ ପୁରାଣ ସାହିତ୍ୟରେ ଦେବୀ ପୂଜନର ଜନପ୍ରିୟ ଧାରା ଅବ୍ୟାହତ ରହିଥିବାର ଅନେକ ପ୍ରମାଣ ରହିଛି ।
ପୁରାଣ ସାହିତ୍ୟରେ ବିବିଧ ପ୍ରସଙ୍ଗରେ ଦେବୀ ଦୁର୍ଗାଙ୍କର ନାମୋଲ୍ଲେଖ ଅଥବା ସ୍ତୁତି ରହିଛି । ବାଲ୍ମୀକିଙ୍କ ରାମାୟଣରେ ଦୁର୍ଗାଦେବୀଙ୍କୁ କେତେକ ପ୍ରକରଣରେ "ତପୋଧନା', "ଲୋକ ସମସ୍କୃତା', "ହିମବାନ ଏବଂ ମୈନାଙ୍କ ଦ୍ୱିତୀୟା କନ୍ୟା' ଏବଂ "ଉମାଦେବୀ' ନାମରେ ଉଲ୍ଲେଖ କରାଯାଇଛି । ବ୍ୟାସକୃତ ମହାଭାରତରେ ନିର୍ଦ୍ଦିଷ୍ଟ ଭାବରେ ଦୁଇଥର "ଦୁର୍ଗାସ୍ତୋତ୍ର'ର ଉଲ୍ଲେଖ ରହିଛି । ପ୍ରଥମେ ବିରାଟ ନରେଶଙ୍କ ରାଜଧାନୀରେ ଗୁପ୍ତ ବନବାସ କଟାଇବା ପାଇଁ ପ୍ରବେଶ କରିବାବେଳେ ଧର୍ମରାଜ ଯୁଧିଷ୍ଠିର ଦେବୀ ଦୁର୍ଗାଙ୍କୁ ପ୍ରାର୍ଥନା କରିଛନ୍ତି । ଦ୍ୱିତୀୟରେ କୁରୁକ୍ଷେତ୍ରରେ ମହାସମର ଆରମ୍ଭ ହେବା ପୂର୍ବରୁ ଶ୍ରୀକୃଷ୍ଣଙ୍କ ପରାମର୍ଶ କ୍ରମେ ଅର୍ଜୁନ ଦୁର୍ଗାଙ୍କ ସ୍ତୁତି ପାଠ କରିଛନ୍ତି । ଏତତ୍ ବ୍ୟତୀତ ମହାଭାରତରେ ବିଭିନ୍ନ ପ୍ରସଙ୍ଗରେ ଦେବୀଙ୍କର ଭିନ୍ନ ଭିନ୍ନ ନାମ ଯଥା: କାଳିକା, ଦୁର୍ଗତରଣୀ, ଉମା, ରୁଦ୍ରାଣୀ, ବିନ୍ଧ୍ୟବାସିନୀ (ବିନେ୍ଧ୍ୟ ତବସ୍ଥାନମ), ପାର୍ବତୀ, ମାହେଶ୍ୱରୀ ଆଦିର ଉଲ୍ଲେଖ ସହ ଦେବୀଙ୍କ ପୂର୍ବଜନ୍ମ ଚରିତକୁ ମଧ୍ୟ ବର୍ଣ୍ଣନା କରାଯାଇଛି । "ହରିବଂଶ ପୁରାଣ'ରେ ଦେବୀଙ୍କ ଉଦ୍ଦେଶ୍ୟରେ ପ୍ରସିଦ୍ଧ ଆର୍ଯ୍ୟାସ୍ତବ ରହିଛି । ଆର୍ଯ୍ୟାସ୍ତବରେ ଶବର, ବର୍ବର ଓ ପୁଳିନ୍ଦମାନେ ଦେବୀଙ୍କୁ ଉପାସନା କରୁଥିବାର ସ୍ପଷ୍ଟ ଉଲ୍ଲେଖ ରହିଛି । ହରିବଂଶର ବର୍ଣ୍ଣନା ଅନୁସାରେ: ମହାବଳୀ ବାଣାସୁର ଶୋଣିତପୁରରେ ଅନିରୁଦ୍ଧକୁ ବନ୍ଦୀକରି ରଖିଥିବା ସମୟରେ ଅନିରୁଦ୍ଧ ଏହି ଆର୍ଯ୍ୟାସ୍ତବ ପାଠ କରିଥିଲେ ।
ପ୍ରାଚୀନ ସାହିତ୍ୟ ମଧ୍ୟରେ ଦେବୀଙ୍କ ମହିମା ଗାନରେ ମୁଖର ହୋଇଛନ୍ତି ସ୍ମୃତି ଓ ପୁରାଣ ଗ୍ରନ୍ଥମାନ । "ବୁଦ୍ଧ ହାରିତ ସ୍ମୃତି'ରେ ବୁଦ୍ଧ, ରୁଦ୍ର, ଭୈରବ, ଯମ ଆଦି ଦେବତାମାନଙ୍କ ସହିତ ଦୁର୍ଗାଙ୍କୁ ମଧ୍ୟ ତାମସ ଦେବତା ଭାବରେ ଗ୍ରହଣ କରାଯାଇଛି । ତମୋଗୁଣର ଦ୍ୟୋତକ ସମର, ହିଂସା, କ୍ରୋଧ ଆଦି ପ୍ରବୃତ୍ତି ସହ ସଂଯୁକ୍ତ ଥିବାରୁ ଦୁର୍ଗାଙ୍କୁ "ତାମସ ଦେବତା' ବୋଲି ଉକ୍ତ ଗ୍ରନ୍ଥ ବର୍ଣ୍ଣନା କରିଛନ୍ତି । ଦୁର୍ଗାଦେବୀଙ୍କର ପୂଜନୋତ୍ସବ ବିଧି ଏବଂ ଦୁର୍ଗାଚରିତ ବର୍ଣ୍ଣନା ପ୍ରସଙ୍ଗରେ ମାର୍କଣ୍ଡେୟ ପୁରାଣର ମହତ୍ତ୍ୱ ସବୁଠାରୁ ଅଧିକ । ଶାକ୍ତମାନଙ୍କର ପରମଶାସ୍ତ୍ର "ଦେବୀମାହାତ୍ମ୍ୟ' ଯାହା "ଦୁର୍ଗା ସପ୍ତଶତୀ' ବା "ଚଣ୍ଡୀ' ନାମରେ ବିଦିତ ତାହା ଏହି ମହାପୁରାଣର ଏକ ଅଂଶବିଶେଷ । ଏହି ପୁରାଣର ବର୍ଣ୍ଣନା ଅନୁସାରେ ରାଜ୍ୟଭ୍ରଷ୍ଟ ସୁରଥ ନରପତି ଏବଂ ପରିବାରଭ୍ରଷ୍ଟ ସମାଧି ବୈଶ୍ୟ ମେଧସ ଋଷିଙ୍କ ପରାମର୍ଶ ଓ ପୌରୋହିତ୍ୟରେ କ୍ରମାନ୍ୱୟରେ ତିନିବର୍ଷ ଧରି ମୃତ୍ତିକା ନିର୍ମିତ ଦେବୀଙ୍କ ମୂର୍ତ୍ତି ପ୍ରତିଷ୍ଠାପୂର୍ବକ ଆପଣା ଆପଣା ଅଙ୍ଗରୁ ରକ୍ତଚଢ଼ାଇ ନିଷ୍ଠାର ସହ ପୂଜା କରିଥିଲେ ।
"ପଦ୍ମ ପୁରାଣ'ର ବର୍ଣ୍ଣନା ଅନୁସାରେ, ଏକ ବୈଶ୍ୟ-ପତ୍ନୀ ସନ୍ତାନଧାରିଣୀ (ଗର୍ଭବତୀ) ହେଲେ ମହାଆଡମ୍ବବର ସହକାରେ ଶମ୍ଭୁବଲ୍ଲଭା ଗୌରୀଙ୍କର ପୂଜା କରିବା ନିମନ୍ତେ ମାନସିକ କରିଥିବାର କଥା ଜଣାପଡ଼େ । "ମତ୍ସ୍ୟ ପୁରାଣ'ରେ ଦଶଭୁଜା କାତ୍ୟାୟନୀ ଦେବୀଙ୍କର ମୂର୍ତ୍ତିର ପ୍ରାଞ୍ଜଳ ବର୍ଣ୍ଣନା ରହିଛି । "ସ୍କନ୍ଦ ପୁରାଣ' କାଶୀଖଣ୍ଡରେ ଦେବୀଙ୍କର ଦୁର୍ଗା ନାମର ବ୍ୟୁତ୍ପତ୍ତି ଦର୍ଶାଇ ଦିଆଯାଇଛି । ଏହି ବ୍ୟୁତ୍ପତ୍ତି ଅନୁସାରେ ଦେବୀ ରୁରୁ ନାମକ ଦୈତ୍ୟର ପୁତ୍ର "ଦୁର୍ଗ'କୁ ବଧ କରିଥିବାରୁ ତାଙ୍କ ନାମ ଦୁର୍ଗା ହୋଇଛି । "ଲିଙ୍ଗ ପୁରାଣ'ର ବର୍ଣ୍ଣନା ଅନୁସାରେ, ପିତାମହ ବ୍ରହ୍ମାଙ୍କ ଅନୁରୋଧ ରକ୍ଷାକରି ସ୍ୱୟଂ ଶିବ ଆପଣାର ବାମ ଅଙ୍ଗରୁ ଦେବୀଙ୍କୁ ଜାତ କରିଥିଲେ । ସେହି ଦେବୀ ପରବର୍ତ୍ତୀ କାଳରେ ଦକ୍ଷପୁତ୍ରୀ ହେଲେ । "ବରାହ ପୁରାଣ'ରେ ବର୍ଣ୍ଣିତ ଦେବୀଚରିତର ଅନନ୍ୟତା ପ୍ରଶଂସନୀୟ । ତାହା ଏହିପରି– ଦେବରାଜ ଇନ୍ଦ୍ରଙ୍କୁ ବଧ କରିବା ପାଇଁ ଏକ ଶକ୍ତିଧର ପୁତ୍ର କାମନାରେ ସିନ୍ଧୁ ଦ୍ୱୀପ ରାଜା ଘୋର ତପସ୍ୟା କରିବାକୁ ଲାଗିଲେ । ପୂର୍ବଜନ୍ମରେ ସେ ତ୍ୱଷ୍ଟାଙ୍କର ପୁତ୍ର ଥିଲେ । ଇନ୍ଦ୍ର ସେତେବେଳେ ତାଙ୍କୁ ମାରି ସମୁଦ୍ରର ଫେଣ ଉପରେ ପକାଇ ଦେଇଥିଲେ । କାଳକ୍ରମେ ବରୁଣ ରାଜାଙ୍କର ଧର୍ମପତ୍ନୀ ବେତ୍ରବତୀ ନଦୀ ମାନବୀରୂପ ଧାରଣ କରି ରାଜାଙ୍କ ନିକଟରେ ପହଞ୍ଚିଲେ ।
ଏମାନଙ୍କ ସଂଯୋଗରୁ ଜାତହେଲା ବେତ୍ରାସୁର ନାମକ ପ୍ରବଳ ପ୍ରତାପୀ ଦାନବ । ତା’ର ପରାକ୍ରମରେ ତ୍ରିଭୁବନ ଥରହର ହେବାକୁ ଲାଗିଲା । ଦାନବର ପରାକ୍ରମରେ ଭୟଭୀତ ଦେବଗଣ ପିତାମହ ବ୍ରହ୍ମାଙ୍କ ନିକଟକୁ ଯାଇ ଗୁହାରି କଲେ । ଦେବଗଣଙ୍କ ବିକଳ ଦେଖି ବ୍ରହ୍ମା ଧ୍ୟାନବଳରେ ଶୁଭ୍ରବସନା, କିରୀଟିନୀ, ସିଂହବାହିନୀ ଏବଂ ଅଷ୍ଟଭୁଜା ବିଶିଷ୍ଟ ଏକ ଦେବୀଙ୍କୁ ଜାତ କଲେ । ଏହି ଦେବୀ ବେତ୍ରାସୁର ସମେତ ସମସ୍ତ ଅସୁରଙ୍କୁ ନିପାତ କଲେ । ବିପତ୍ତିରୁ ରକ୍ଷାପାଇ ଶିବ ପ୍ରମୁଖ ସର୍ବଦେବତା ଦେବୀଙ୍କ ସ୍ତୁତି ଗାନ କଲେ । ବ୍ରହ୍ମା ଦେବୀଙ୍କୁ ହିମାଳୟରେ ଆସ୍ଥାନ ପ୍ରଦାନ କଲେ । ବିପତ୍ତିତାରିଣୀ ଦେବୀ ମୁଖ୍ୟତଃ ନବମୀ ତିଥିରେ ସିଦ୍ଧିଦାତ୍ରୀ ରୂପରେ ଭକ୍ତମାନଙ୍କ ଦ୍ୱାରା ପୂଜା ପାଇଲେ । ସେହି କାଳରୁ ବ୍ରହ୍ମା ଭବିଷ୍ୟତରେ ମହିଷାସୁର ନାମକ ଅତ୍ୟାଚାରୀ ଦୈତ୍ୟକୁ ବିନାଶ କରିବାର ଗୁରୁଭାର ଦେବୀଙ୍କ ଉପରେ ନ୍ୟସ୍ତ କଲେ ।
"କୁର୍ମ ପୁରାଣ'ରେ ଦେବୀମାହାତ୍ମ୍ୟ ନାମରେ ଏକ ଅଧ୍ୟାୟ ରହିଛି । ଏଥିରେ ହୈମବତୀ ଉମାଙ୍କ ଉତ୍ପତ୍ତି ବର୍ଣ୍ଣନା ପ୍ରସଙ୍ଗରେ ଦେବୀଙ୍କର ସହସ୍ର ନାମର ଏକ ଦୀର୍ଘ ତାଲିକା ପ୍ରଦାନ କରାଯାଇଛି । ଫଳଶ୍ରୁତିରେ କୁହାଯାଇଛି ଯେ, ଶ୍ରଦ୍ଧା ଭକ୍ତି ହୃଦୟରେ ଭଗବାନ ଶଙ୍କର ଏବଂ ପାର୍ବତୀଙ୍କର ପୂଜା କଲେ ଅକ୍ଷୟ ସଂପତ୍ତି ପ୍ରାପ୍ତ ହୁଏ । "ବାମନ ପୁରାଣ'ରେ ରମ୍ଭାସୁରର ପୁତ୍ର ମହିଷାସୁରର ଜନ୍ମ ବିବରଣୀ ସହ ରମ୍ଭର ଚିଚାଗ୍ନିରୁ ରକ୍ତବୀଜର ଉତ୍ପତ୍ତି ବିଷୟ ବର୍ଣ୍ଣିତ ହୋଇଛି । ଏହି ଦାନବଦ୍ୱୟଙ୍କ ଦ୍ୱାରା ପରାଜିତ ଓ ବିତାଡ଼ିତ ଦେବକୁଳଙ୍କ ସାମୂହିକ ତେଜରେ କାତ୍ୟାୟନ ମୁନିଙ୍କର ତେଜ ମିଶିବାରୁ ଦେବୀ କାତ୍ୟାୟିନୀଙ୍କ ଉତ୍ପତ୍ତି ହେଲା । ଦେବୀଙ୍କର ଅଷ୍ଟାଦଶ ଭୁଜ ଥିଲା ଓ ସେ ବିନ୍ଧ୍ୟାଚଳରେ ନିବାସ କଲେ । ଦେବ-ନାଗସିଦ୍ଧ-ବିଦ୍ୟାଧରାଦି ଦ୍ୱାରା ପୂଜିତ ହେବାରୁ ଦେବୀଙ୍କର ନାମ ହେଲା "ଦୁର୍ଗା' । ବିନ୍ଧ୍ୟାଚଳରେ ହିଁ ଦେବୀ ମହିଷାସୁରକୁ ବଧ କଲେ । ମହିଷାସୁର ବଧ ପରେ ଶକ୍ରାଦି ଦେବଗଣ ଦେବୀଙ୍କର ପ୍ରଶସ୍ତି ଗାନ କରିବାରୁ ସେ ହର-ପାଦପଦ୍ମରେ ବିଲୀନ ହୋଇଗଲେ । ପରବର୍ତ୍ତୀ ଜନ୍ମରେ ହିମାଳୟ ଓ ମୈନାଙ୍କର କନ୍ୟା ଉମା ରୂପରେ ଆବିର୍ଭାବ ହୋଇ ଶିବ ଭଗବାନଙ୍କୁ ବିବାହ କଲେ ।
ବ୍ରହ୍ମ ବୈବର୍ତ୍ତ ପୁରାଣରେ ବର୍ଣ୍ଣିତ ଅଛି ଯେ, ଶ୍ରୀକୃଷ୍ଣଙ୍କୁ ପତି ରୂପରେ ପାଇବାର ଅଭିଳାଷ ରଖି ବ୍ରଜମଣ୍ଡଳର ଗୋପାଙ୍ଗନାମାନେ ଯମୁନା କୂଳରେ ବାଲିରେ ନିର୍ମିତ ପାର୍ବତୀଙ୍କର ମୂର୍ତ୍ତିକୁ ପୂଜା କରିଥିଲେ । "ଶ୍ରୀମଦ ଭାଗବତ ମହାପୁରାଣ'ରେ ଏହି ଧର୍ମାଚାର ଅନୁଷ୍ଠାନର ନାମ "କାତ୍ୟାୟନ୍ୟର୍ଚ୍ଚନ' ବୋଲି ଉଲ୍ଲେଖ କରାଯାଇଛି । "ଶ୍ରୀମଦ ଭାଗବତ ମହାପୁରାଣ' ମତରେ ସ୍ୱୟଂ ନାରାୟଣ ଦେବୀ ଯୋଗମାୟାଙ୍କୁ ନନ୍ଦପତ୍ନୀ ଯଶୋଦାଙ୍କ ଗର୍ଭରେ ଯାଇ ଜାତ ହେବାକୁ କହିଥିଲେ । ଏହି ପ୍ରସଙ୍ଗରେ ଦେବୀଙ୍କର ଦୁର୍ଗା, ଭଦ୍ରକାଳୀ, ଚଣ୍ଡୀ, ଅମ୍ବିକା ପ୍ରଭୃତି ଭିନ୍ନ ଭିନ୍ନ ନାମ ଥିବାର ଉଲ୍ଲେଖ ରହିଛି । ଭାଗବତ ମହାପୁରାଣରେ ସ୍ୱୟମ୍ବର ସଭାକୁ ଯିବା ପୂର୍ବରୁ ଋକ୍ମିଣୀ ପ୍ରଥମେ ଅମ୍ବିକାଙ୍କ ମନ୍ଦିରକୁ ଯାଇ ପୂଜାବିଧି ସଂପନ୍ନ କରିଥିଲେ । ଶ୍ରୀକୃଷ୍ଣ ଭଗବାନ ତାଙ୍କୁ ମନ୍ଦିର ପରିସରରୁ ହରଣ କରି ନେଇଥିଲେ ।
"ନାରଦ ପୁରାଣ'ରେ ଆଶ୍ୱିନ ଶୁକ୍ଳପକ୍ଷ ଯୁକ୍ତ ପ୍ରତିପଦାରୁ ନବମୀ ତିଥି ପର୍ଯ୍ୟନ୍ତ ଆରାଧନା ମାଧ୍ୟମରେ ଦେବୀଙ୍କୁ ସନ୍ତୁଷ୍ଟ କରିବା ନିମନ୍ତେ ନଅଦିନ ବ୍ୟାପୀ ଘଟସ୍ଥାପନ କରି ତାର ଚାରିକଡ଼େ ନବ ଶସ୍ୟ ରୋପଣପୂର୍ବକ ନବରାତ୍ର ବିଧି ପାଳନ କରିବା ନିମନ୍ତେ ନିର୍ଦ୍ଦେଶ ରହିଛି । ଏହି ନବରାତ୍ର ବିଧିରେ ନିଷ୍ଠା ଓ ନିୟମପୂର୍ବକ ମାର୍କଣ୍ଡେୟ ପୁରାଣ ଅନ୍ତର୍ଗତ "ଦୁର୍ଗାସପ୍ତଶତୀ' ବା "ଚରିତ-ତ୍ରିତୟ' ପାଠ ସହ କୁମାରୀ ପୂଜନ କରିବାକୁ ମଧ୍ୟ କୁହାଯାଇଛି । ମହାନବମୀର ରାତ୍ରୀକାଳରେ ଅସ୍ତ୍ର-ଶସ୍ତ୍ର, ଧ୍ୱଜ, ଛତ୍ର, ଗଜ, ଅଶ୍ୱ, ଗୋସଂପଦ, ବୃକ୍ଷ, ପୁସ୍ତକ ପ୍ରଭୃତି ପୂଜା କରିବା ଏବଂ ଦେବୀଙ୍କ ଉଦ୍ଦେଶ୍ୟରେ ମହିଷ ବଳି ପ୍ରଦାନ କରିବା ନିମନ୍ତେ ପରାମର୍ଶ ଦିଆଯାଇଛି । ପରବର୍ତ୍ତୀ ଦିନ, ଅର୍ଥାତ୍ ବିଜୟା-ଦଶମୀ ତିଥିରେ ବିଶେଷ ପାର୍ବଣ ଆଡମ୍ବର ସହକାରେ ସୀତାଦେବୀଙ୍କ ସମେତ ରାମ-ଲକ୍ଷ୍ମଣଭରତ-ଶତ୍ରୁଘ୍ନଙ୍କୁ ପୂଜା କରିବା ନିମନ୍ତେ କୁହାଯାଇଛି । ଏକାଦଶୀ ଦିନ ବାଦ୍ୟବାଜଣା ସହ ଭବ୍ୟ ଶୋଭାଯାତ୍ରା ମାଧ୍ୟମରେ ଜନପଦ ବାହାରକୁ ଯାଇ ଅନୁଷ୍ଠାନର ଉଦ୍ଯାପନ କରିବା ପାଇଁ ନିର୍ଦ୍ଦେଶ ରହିଛି । ଗ୍ରାମ୍ୟ ବନ ସଂଲଗ୍ନିତ କୌଣସି ନଦୀ ବା ଜଳାଶୟ କୂଳରେ ପତ୍ର କିମ୍ବା ପାଳରେ ତିଆରି ଏକ ମୂର୍ତ୍ତିକୁ ଅନିଷ୍ଟକାରୀ ଶତୃ ଜ୍ଞାନକରି ବଧ କରିବା ବିଧି ପାଳନ କରିବାକୁ କୁହାଯାଇଛି ।
"ଭବିଷ୍ୟ ପୁରାଣ'ରେ ଆଶ୍ୱିନ ଶୁକ୍ଳାଷ୍ଟମୀ ତିଥିରେ ଅଷ୍ଟାଦଶ ଭୁଜା ଦୁର୍ଗାଙ୍କ ଅର୍ଚ୍ଚନା ଏବଂ ଆଷାଢ଼ କିମ୍ବା ଶ୍ରାବଣ ମାସର ଶୁକ୍ଳାଷ୍ଟମୀରେ ଚଣ୍ଡିକାଦେବୀଙ୍କର ଉପାସନା କରିବା ନିମନ୍ତେ ନିର୍ଦ୍ଦେଶ ରହିଛି । "ବ୍ରହ୍ମ ବୈବର୍ତ୍ତ ପୁରାଣ' ରଚନା ବେଳକୁ ଦେବୀ ଗ୍ରାମ ଗ୍ରାମରେ ଗ୍ରାମଦେବୀ ଏବଂ ଗୃହେ ଗୃହେ ଗୃହଦେବୀ ବା ଈଷ୍ଟଦେବୀ ରୂପରେ ଗୃହୀତ ହୋଇସାରିଥିଲେ । ତେଣୁ ପୁରାଣ ସାହିତ୍ୟରେ ଦେବୀ ପୂଜନର ଜନପ୍ରିୟ ଧାରା ଅବ୍ୟାହତ ରହିଥିବାର ଅନେକ ପ୍ରମାଣ ରହିଛି ।