ନୂଆଦିଲ୍ଲୀ, ୦୭/୦୭: ଏବେ ଇଥାନଲ ମିଶ୍ରିତ ଇ-୨୦ ପେଟ୍ରୋଲକୁ ନେଇ ସାରା ଦେଶରେ ପ୍ରତିକ୍ରିୟା ଦେଖିବାକୁ ମିଳୁଛି । ପେଟ୍ରୋଲିୟମ ଡିଲର ସଂଘ ପକ୍ଷରୁ ସାରା ଦେଶରେ ଏହାର କାର୍ଯ୍ୟକାରୀ ହେବା ପୂର୍ବରୁ ପୁଣି ଥରେ ବିଚାର କରିବାକୁ ଅନୁରୋଧ କରାଯାଇଛି । ସଂଘ ଦାବି କରିଛି ଯେ, ଉଚ୍ଚ ପରିମାଣର ଇଥାନଲ ମିଶ୍ରଣ ଯୋଗୁ ତେଲ ଟାଙ୍କିଗୁଡିକରେ ପରିଚାଳନାଗତ ସମସ୍ୟା ଦେଖାଯାଇଛି । ଦେଶବ୍ୟାପୀ ଗାଡ଼ିଗୁଡିକରେ ସମସ୍ୟା ଦେଖାଯାଉଥିବାରୁ ଗାଡି ମାଲିକମାନେ ତେଲ ଟାଙ୍କିରେ ଆସି ହଙ୍ଗାମା କରୁଛନ୍ତି ।
୨ ଦିନ ଆଗରୁ ବିଭିନ୍ନ ଅଟୋ କମ୍ପାନି ଏବଂ ଶିଳ୍ପ ବିଶେଷଜ୍ଞମାନେ ଇ-୨୦ ପେଟ୍ରୋଲ ସପକ୍ଷରେ ଯୁକ୍ତି ବାଢ଼ିଥିଲେ । ଇ-୨୦ ଅନୁପାଳନ କରୁଥିବା ଯାନଗୁଡିକ ଏକାଧିକ ପର୍ଯ୍ୟାୟରେ ପରୀକ୍ଷଣ କରାଯାଇଥିବା ବେଳେ ଏହା ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି କହିଥିଲେ । ପେଟ୍ରୋଲିୟମ ଡିଲର ଆସୋସିଏସନର ସଭାପତି ଶଶାଙ୍କ ଶେଖର ସାହୁ କହିଛନ୍ତି, ଇ-୨୦ ପେଟ୍ରୋଲ ପକାଉଥିବା ଗ୍ରାହକମାନେ ସମସ୍ୟାର ସାମ୍ନା କରୁଛନ୍ତି । ଏଥିଯୋଗୁ ପେଟ୍ରୋଲ ପମ୍ପଗୁଡିକ ଚଳାଇବାରେ ସମସ୍ୟା ହେଉଛି । ଦେଶର ଇନ୍ଧନ ନୀତି ଡିଲରମାନେ ନିର୍ଦ୍ଧାରଣ କରୁନାହାନ୍ତି ହେଲେ ତୃଣମୂଳ ସ୍ତରରେ ସବୁ ସମସ୍ୟାକୁ ସାମ୍ନା କରିବାକୁ ପଡୁଛି । ଏଭଳି ସ୍ଥିତିରେ ଇ-୨୦ ଇନ୍ଧନକୁ ନେଇ ପୁଣି ଥରେ ବିଚାର କରାଯିବାର ଆବଶ୍ୟକତା ରହିଛି ।
ସେ ପୁଣି କହିଛନ୍ତି, ଏବେ ମଧ୍ୟ ଅନେକ ଦେଶରେ ଇଥାନଲ ମିଶ୍ରଣ ପ୍ରାୟ ୧୦% ସ୍ତରରେ ସୀମିତ ରହିଛି । ଭାରତ ୨୦% ଇଥାନଲ ମିଶ୍ରଣ ନେଇ ନିଷ୍ପତ୍ତି ନେଇଛି । ବିଏସ୍ ସହ ବଜାରରେ ରହିଥିବା ଅଧିକାଂଶ ଗାଡି ଇ-୨୦ ଇନ୍ଧନରେ ଗଡ଼ିବା ଭଳି ଡିଜାଇନ ହୋଇନାହିଁ । ଇ-୨୦ ଇନ୍ଧନ ଯୋଗୁ କାର୍ବୋରେଟର ଏବଂ ଅନ୍ୟ ଯାନ୍ତ୍ରିକ ସମସ୍ୟା ରହିଥିବା ଅଭିଯୋଗ ହେଉଛି । ଏଭଳି ସମସ୍ୟାକୁ ନେଇ ଲୋକମାନେ ପେଟ୍ରୋଲ ପମ୍ପ ମାଲିକ ଏବଂ କର୍ମଚାରୀଙ୍କ ଉପରେ ଉତ୍ୟକ୍ତ ହେଉଛନ୍ତି । ସରକାର ଏଭଳି ତେଲ ଆଣିଥିବା ବେଳେ ଡିଲରମାନେ କେବଳ ଏହାର ବିକ୍ରି କରୁଛନ୍ତି ।
ନୀତିଗତ ନିଷ୍ପତ୍ତିରେ କୌଣସି ଭୂମିକା ନ ଥାଇ ମଧ୍ୟ ଡିଲରମାନେ ଲୋକଙ୍କ ଦ୍ୱାରା ଟାର୍ଗେଟ ହେଉଥିବା ସେ କହିଛନ୍ତି । ସରକାର ଇନ୍ଧନ ଆମଦାନି ନିର୍ଭରତା କମାଇବା ଲାଗି ଇ-୨୦ ବ୍ୟବହାରକୁ ସାରା ଦେଶରେ ଉତ୍ସାହିତ କରୁଛନ୍ତି । ଗାଡ଼ି କମ୍ପାନିଗୁଡିକୁ ମଧ୍ୟ ଏହାର ଉତ୍ପାଦନ ଲାଗି ଉତ୍ସାହିତ କରାଯାଉଛି ।