ରାୟଗଡ଼ା,୨୯/୦୬: ମାଓ ସଂଗଠନ  ଛାଡ଼ିଛନ୍ତି ବଂଶଧାରା-ଘୁମୁସର ନାଗାବଳୀ(ବାଘୁନା) ଡିଭିଜନର ଟପ୍‌ ମାଓନେତା  ନିଖିଲ ଓ ତାଙ୍କ ପତ୍ନୀ ଇନ୍ଦୁ । ସେମାନଙ୍କ  ସମେତ ଆହୁରି ୧୫ ଜଣ ଆତ୍ମସମର୍ପଣ  କରି ମୁଖ୍ୟସ୍ରୋତକୁ ଫେରିଛନ୍ତି । ଏହାପରେ  ଅନ୍ୟମାନେ ଆତ୍ମସମର୍ପଣ କରିବାକୁ ଯୋଜନା  ଥିଲେ ବି ତାହା ଫେଲ୍‌ ମାରିଛି । ଏବେ ବି  ୧୨ ଜଣ କ୍ୟାଡର ମାଓବାଦୀ ସକ୍ରିୟ ଅଛନ୍ତି ।  ସେମାନଙ୍କ ସମ୍ପର୍କରେ ପୁଲିସ୍‌ ନିକଟରେ  କୌଣସି ଖବର ନାହିଁ। ୨୦୨୬ ମାର୍ଚ୍ଚ ୩୧  ସୁଦ୍ଧା ସରକାର ଆତ୍ମସମର୍ପଣ ପାଇଁ ଯେଉଁ  ଘୋଷଣା କରିଥିଲେ ସେଥିପ୍ରତି ଧ୍ୟାନ ଦେଇ  ନ ଥିବା ଏଥିରୁ ସ୍ପଷ୍ଟ ହୋଇଛି । ସେମାନେ  ରାୟଗଡ଼ା, କନ୍ଧମାଳ ଓ ଗଞ୍ଜାମ ଜିଲ୍ଲା ସୀମାନ୍ତରେ  ବର୍ତ୍ତମାନ ରହିଥିବା ଆଲୋଚନା ହେଉଛି ।  ଆତ୍ମସମର୍ପଣ କରିବା ଲାଗି ନିଖିଲ ସେମାନଙ୍କୁ  ଅପିଲ୍‌ କରିଥିଲେ । ଏହାକୁ ସେମାନେ କର୍ଣ୍ଣପାତ  କରିନାହାନ୍ତି । ଗୁଇନ୍ଦା ଆଖି ସେମାନଙ୍କୁ  ଧରିବାକୁ ଘୂରି ବୁଲୁଛି । ବିଭିନ୍ନ ସମୟରେ  ସର୍ଚ୍ଚ ଅପରେସନ ଜାରି ରହିଛି ।  

ବାଘୁନା ଡିଭିଜନରେ ମୋଟ ୨୫ରୁ ୨୭  ଜଣ ମାଓବାଦୀ ଥିଲେ । ଗତ ଫେବୃଆରୀ ୬  ତାରିଖରେ ୧୫ ଜଣ ଆତ୍ମସମର୍ପଣ କରିଥିଲେ ।  ବର୍ତ୍ତମାନ ଆହୁରି ୧୨ ଜଣ ରହିଛନ୍ତି । ସେମାନଙ୍କୁ  ଆତ୍ମସମର୍ପଣ କରିବା ଲାଗି ଅପିଲ୍‌ ପରେ  ମଧ୍ୟ ନଶୁଣି ବାରମ୍ବାର ସ୍ଥାନ ପରିବର୍ତ୍ତନ କରି  ଜଙ୍ଗଲରେ ଲୁଚିରହିଛନ୍ତି । ଏଭଳିକି ନିଖିଲ  ଅଡିଓ ଜାରି କରି ସଶସ୍ତ୍ର ଆନ୍ଦୋଳନ ଛାଡ଼ି  ପାଇଁ ନିବେଦନ କରିଥିଲେ । ସାମାଜିକ, ଆଥି ର୍କ  ଓ ରାଜନୈତିକ ପରିସ୍ଥିତିରେ ସଶସ୍ତ୍ର ବିପ୍ଲବ  କରିବା କଷ୍ଟକର ବୋଲି ବୁଝାଇଥିଲେ ।

ଅଧିକ ପଢ଼ନ୍ତୁ :- ଚୌଦ୍ୱାର ଜେଲ୍‌ ଅଧୀକ୍ଷକଙ୍କୁ ଅନୁକମ୍ପା କାହିଁକି ? ଭଦ୍ରକ ଜେଲ୍‌ରେ ବି ଅର୍ଥ ହେର୍‌ଫେର୍‌ କରିଥିଲେ!

ସଶସ୍ତ୍ର  ଆନ୍ଦୋଳନ ତ୍ୟାଗ କରି ଭାରତୀୟ ସମ୍ବିଧାନ  ଅନୁଯାୟୀ ରାସ୍ତା ଆପଣାଇବାକୁ ପରାମର୍ଶ  ଦେଇଥିଲେ ସୁଦ୍ଧା ଏହି ୧୨ ଜଣଙ୍କ ଉପରେ  କୌଣସି ପ୍ରଭାବ ପଡ଼ି ନାହିଁ । ଏହି ୧୨ ଜଣିଆ  ଗୋଷ୍ଠୀର ନେତୃତ୍ୱ ନେଉଛନ୍ତି ଶିଲା । ତାଙ୍କ ସହ  ରହିଛନ୍ତି ମାଙ୍ଗୁ, ସୁଷମା, ରଜିତା, ସନ୍ତୋଷ,  ଜିବିନି ଓ ସସ୍ମିତା । ଅନ୍ୟମାନଙ୍କ ପରିଚୟ  ହସ୍ତଗତ ହୋଇ ନାହିଁ। ପୂର୍ବରୁ ଓଡ଼ିଶା,  ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, ଛତିଶଗଡ଼ରେ  ଅନେକ ମାଓବାଦୀଙ୍କ ମୃତ୍ୟୁ ଘଟିଛି । ଅନେକ  ପୁଲିସ୍‌ ନିକଟରେ ଆତ୍ମସମର୍ପଣ କରିଛନ୍ତି ।  ବର୍ତ୍ତମାନ ମଧ୍ୟ ବାଘୁନା ଡିଭିଜନ କାର୍ଯ୍ୟ କରୁଛି  ବୋଲି ସ୍ପଷ୍ଟ ହୋଇଛି । ଶିଲାଙ୍କ ନେତୃତ୍ୱରେ  ରାୟଗଡ଼ା, କନ୍ଧମାଳ ଓ ଗଞ୍ଜାମ ଜିଲ୍ଲା ସୀମାନ୍ତରେ  ସେମାନେ ରହିଥିବା ଗୁଇନ୍ଦା ବିଭାଗ ଖବର  ପାଇଛି । ସେମାନେ ଆତ୍ମସମର୍ପଣ ପାଇଁ ବାଟ  ଖୋଜୁଥିବା ଜଣାପଡ଼ିଛି ବୋଲି ଆଲୋଚନା  ହେଉଛି । ସେଥିରେ କେତେ ସତ୍ୟତା ଅଛି  ତାହା ଜଣାପଡ଼ିନି। ଏହି ମାଓ ଗୋଷ୍ଠୀକୁ  ଧରିବା ପାଇଁ ପୁଲିସ୍‌ ପକ୍ଷରୁ କମ୍ବିଂ ଅପରେସନ  ଚାଲିଛି । ୩ ଜିଲ୍ଲା ପୁଲିସ୍‌ ପକ୍ଷରୁ ଉଦ୍ୟମ  ଜାରି ରହିଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି ।  କିଛିଦିନ ପୂର୍ବରୁ ପୁଲିସ୍‌ ଡିଜି ୱାଇ.ବି ଖୁରାନିଆ  ମଧ୍ୟ ଆତ୍ମସମର୍ପଣ କରିବା ପାଇଁ ମାଓବାଦୀଙ୍କୁ  ଅପିଲ କରିଥିଲେ । ପୂର୍ବରୁ ଏ ସମ୍ପର୍କରେ ଏଡିଜି  ସଞ୍ଜୀବ ପଣ୍ଡା କହିଥିଲେ, ସମସ୍ତ ମାଓବାଦୀ  ଆତ୍ମସମର୍ପଣ କରିବା ପାଇଁ ଆମେ ଲଗାତାର  ଅପିଲ୍‌ କରୁଛୁ । ସେମାନଙ୍କୁ ସରକାର ସ୍ୱାଗତ  ମଧ୍ୟ କରୁଛନ୍ତି ବୋଲି କହିଥିଲେ ।