ପୃଥିବୀ କେନ୍ଦ୍ରର ଘୂର୍ଣ୍ଣନ ବନ୍ଦ, ବଦଳାଇପାରେ ଇନର୍ କୋର୍

ନୂଆଦିଲ୍ଲୀ, ୨୫।୧: ଜୀବନ୍ତ ଗ୍ରହ ପୃଥିବୀର କେନ୍ଦ୍ର ଘୂର୍ଣ୍ଣନ ବନ୍ଦ କରି ସ୍ଥିର ହୋଇଯାଇଛି । ନେଚର ଜିଓସାଇନ୍ସର ଏକ ରିପୋର୍ଟରେ ଏହା ପ୍ରକାଶ ପାଇଛି । ଏଣିକି ଆର୍ଥର ଇନର୍ କୋର୍ ବା ପୃଥିବୀର କେନ୍ଦ୍ର ଏହାର ଦିଗ ବଦଳାଇପାରେ ଅନୁମାନ କରଯାଇଛି । ଏହାର ପ୍ରଭାବ କ’ଣ ରହିପାରେ ତାହାକୁ ନେଇ ନାନା ପ୍ରଶ୍ନ ସୃଷ୍ଟି ହୋଇଛି । ଭୂକମ୍ପ ବୈଜ୍ଞାନିକ ଏବଂ ଗବେଷକମାନେ ଜାଣିବାକୁ ପାଇଛନ୍ତି ଯେ, ପୃଥିବୀର କେନ୍ଦ୍ର ଘୂର୍ଣ୍ଣନ ବନ୍ଦ କରିବା ସହ ନିଜର ଦିଗ ପରିବର୍ତ୍ତନ କରିବା ନିମନ୍ତେ ପ୍ରସ୍ତୁତ ହେଉଛି । ଅନ୍ୟ ଦିଗରେ ଘୂର୍ଣ୍ଣନ ଆରମ୍ଭ କରିବା ପୂର୍ବରୁ ଏହା କିଛି ସମୟ ବ୍ରେକ୍ ନେଇପାରେ । ଆର୍ଥ କୋର୍ର ରୋଟଶନ ବା ଘୂର୍ଣ୍ଣନ ଦ୍ୱାରା ପୃଥିବୀ ପୃଷ୍ଠର ସ୍ଥିରତା ନିଶ୍ଚିତ ହୋଇଥାଏ । ପ୍ରାୟ ୭୦ ବର୍ଷ ପରେ ଏହି ଘୂର୍ଣ୍ଣନରେ ପରିବର୍ତ୍ତନ ଆସିଥାଏ । ଏବେ ସେହିଭଳି ସମୟ ଆସିଛି । ତେଣୁ ପୃଥିବୀର କେନ୍ଦ୍ର ଏହାର ଘୂର୍ଣ୍ଣନ କିଛି ସମୟ ବନ୍ଦ କରିବା କିମ୍ବା ଦିଗ ବଦଳାଇବା ଦ୍ୱାରା ପୃଥିବୀ ପୃଷ୍ଠରେ ସେତେ କିଛି ପ୍ରଭାବ ଦେଖିବାକୁ ମିଳିବ ନାହିଁ ବୋଲି ବୈଜ୍ଞାନିକଙ୍କ ମତ ।
ପୃଥିବୀ କେନ୍ଦ୍ରରେ ଲୁହାର ଏକ ଜଳନ୍ତା ପିଣ୍ଡୁଳା କ୍ରମାଗତ ଘୂରିଥାଏ । ଆର୍ଥ କୋର୍ର ଘୂର୍ଣ୍ଣନ ସ୍ଥିତି ଜାଣିବା ପାଇଁ ବୈଜ୍ଞାନିକମାନେ ଏକ ମଡେଲ ପ୍ରସ୍ତୁତ କରିଛନ୍ତି । ପୃଥିବୀ ପୃଷ୍ଠ ସହ ଏହା କିପରି ଜଡ଼ିତ ତାହା ଜାଣିବା ନିମନ୍ତେ ଅଧ୍ୟୟନ ଜାରି ରହିଛି । ବେଜିଂ ସ୍ଥିତ ପେକିଂ ୟୁନିଭର୍ସିଟିର ଭୂକମ୍ପ ବିଜ୍ଞାନୀ ଡ. ଜିଓଡାଙ୍ଗ୍ ସଙ୍ଗ୍ କହିଛନ୍ତି, ଆମ ଗ୍ରହର କେନ୍ଦ୍ରର ଘୂର୍ଣ୍ଣନ ସ୍ଥିତି ଜାଣିବା ବେଶ୍ ଜରୁରୀ । ଏହାଦ୍ୱାରା ଅନେକ କିଛି ଆକଳନ କରିହେବ ଏବଂ ପୃଥିବୀ ପୃଷ୍ଠରେ କୌଣସି ବିପଦ ଆଶଙ୍କାକୁ ଏଡ଼ାଇଯାଇପାରିବ ।
୧୯୩୬ରେ ନେଦରଲାଣ୍ଡ୍ସ ବୈଜ୍ଞାନିକ ଇଙ୍ଗ୍ ଲେହମ୍ୟାନ୍ ପୃଥିବୀର ଲିକ୍ୟୁଇଡ୍ ଆଉଟର କୋର୍ ଏକ ଠୋସ୍ ମେଟାଲ ବଲ୍ର ଚାରିପଟେ ଗୁଡ଼ାଇହୋଇ ରହିଥିବା ଆବିଷ୍କାର କରିଥିଲେ । ସେବେଠାରୁ ପୃଥିବୀର କେନ୍ଦ୍ର ବା ଇନର୍ କୋର୍ ବୈଜ୍ଞାନିକମାନଙ୍କୁ ଅନେକ ସମୟରେ ଆଶ୍ଚର୍ଯ୍ୟ କରୁଛି । ୟୁନିଭର୍ସିଟି ଅଫ୍ ସଦର୍ନ କାଲିଫର୍ଣ୍ଣିଆର ଭୂକମ୍ପ ବିଜ୍ଞାନୀ ଜନ୍ ୱିଡାଲେ କୁହନ୍ତି, ଏକ ଜଳନ୍ତା ଲୁହା ପିଣ୍ଡ ପୃଥିବୀ କେନ୍ଦ୍ରରେ ଘୂରିବା ଏକ ବିଚିତ୍ର ଘଟଣା । ସଙ୍ଗ୍ଙ୍କ ମତରେ, ପୃଥିବୀର ବାହ୍ୟ କୋର୍ରୁ ପଡ଼ୁଥିବା ଚାପ ଯୋଗୁ ଇନର କୋର୍ ଘୂରିବା ଏକ କାରଣ । ଲିକ୍ୟୁଇଡ୍ ଆଉଟର କୋର୍ ଉକ୍ତ ଲୁହା ପିଣ୍ଡୁଳାକୁ ନିଜ ଆଡ଼କୁ ଟାଣିଥାଏ । ଏଥିରୁ ବାହାରୁଥିବା ତରଙ୍ଗ ମେଟାଲକୁ ଦୋହଲାଇଦେଇଥାଏ । ଫଳରେ ମାଧ୍ୟାକର୍ଷଣ ବଳ ସୃଷ୍ଟି ହୋଇଥାଏ ।