ନୂଆଦିଲ୍ଲୀ, ୨୦/୦୮: ହିମାଚଳ ପ୍ରଦେଶର ଚମ୍ବା ଜିଲ୍ଲାରେ ବୁଧବାର ଭୋରୁ ଭୂମିକମ୍ପ ଅନୁଭୂତ ହୋଇଛି । ଘଣ୍ଟାଏ ଭିତରେ ୨ଥର ଭୂକମ୍ପ ଝଟକା ଲାଗିଛି । ପ୍ରଥମଟି ଭୋର ୩ଟା ୨୭ରେ ହୋଇଥିଲା । ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା ୩.୩ ରେକର୍ଡ କରାଯାଇଥିବା ବେଳେ ଏହାର କେନ୍ଦ୍ରସ୍ଥଳି ଭୂପୃଷ୍ଠରୁ ୨୦ କିଲୋମିଟର ଗଭୀରତାରେ ଥିଲା । ସେହିପରି ଦ୍ବିତୀୟ ଝଟକା ଭୋର ୪ଟା ୩୯ ମିନିଟରେ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲ୍ରେ ଯାହାର ତୀବ୍ରତା ୪.୦ ରେକର୍ଡ କରାଯାଇଛି । ସେପଟେ ପାକିସ୍ତାନରେ ୩.୭ ତୀବ୍ରତା ବିଶିଷ୍ଟ ଭୂକମ୍ପ ଅନୁଭୂତ ହୋଇଛି । ବର୍ତ୍ତମାନ ସୁଦ୍ଧା ଉଭୟ ସ୍ଥାନରୁ କୌଣସି କ୍ଷୟକ୍ଷତିର ରିପୋର୍ଟ ସାମ୍ନାକୁ ଆସିନାହିଁ ।
ବିଗତ ଦିନରେ ହିମାଚଳ ପ୍ରଦେଶର ଅନେକ ସ୍ଥାନରେ ବାଦଲଫଟା ବର୍ଷା ହେବାର ଖବର ସାମ୍ନାକୁ ଆସିଥିବା ବେଳେ ବର୍ତ୍ତମାନ ଏହି ଭୂକମ୍ପ ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି । ପ୍ରଥମେ ଧରାଲି, ପରେ ହର୍ଷିଲ ଏବଂ ଏବେ କୁଲ୍ଲୁରେ ମଧ୍ୟ ବାଦଲଫଟା ବର୍ଷା ହୋଇଥିଲା । ଏବେ ଭୂମିକମ୍ପ ଝଟକା ପ୍ରଶାସନ ପାଇଁ ଚିନ୍ତାର ବିଷୟ ପାଲଟିଛି ।
ଏହା ପୂର୍ବରୁ ସୋମବାର ସଂଧ୍ୟାରେ ହିମାଚଳ ପ୍ରଦେଶର କାଂଗଡ଼ା ଜିଲ୍ଲାରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା । ରାତି ୯ଟା ୨୮ରେ ଧର୍ମଶାଳା ଆଖପାଖ ଏରିଆରେ ଭୂକମ୍ପ ଝଟକା ଲାଗିଥିଲା । ଯାହାର ତୀବ୍ରତା ରିକ୍ଟର ସ୍କେଲ୍ରେ ୩.୯ ରେକର୍ଡ କରାଯାଇଥିଲା । ଏହି ଭୂକମ୍ପ କେନ୍ଦସ୍ଥଳୀ ଧର୍ମଶାଳାଠାରୁ ୨୩ କିଲୋମିଟର ଦୂରରେ ରହିଥିବା ବେଳେ ଗଭୀରତା ଭୂପୃଷ୍ଠରୁ ୧୦ କିଲୋମିଟର ତଳେ ରହିଥିଲା । ପାଣିପାଗ ବିଭାଗର ଅଧିକାରୀ ଦେଇଥିବା ସୂଚନା ଅନୁସାରେ, ଭୂମିକମ୍ପର କେନ୍ଦ୍ରସ୍ଥଳି ୩୨.୨୩ ଡିଗ୍ରୀ ଉତ୍ତର ଅକ୍ଷାଂଶ ଏବଂ ୭୬.୩୮ ଡିଗ୍ରୀ ପୂର୍ବ ଦ୍ରାଘୀମାରେ ଥିଲା ।
କାଙ୍ଗଡ଼ା ଭୂକମ୍ପୀୟ କ୍ଷେତ୍ର ୫ରେ ଅବସ୍ଥିତ-
କାଙ୍ଗଡ଼ା ଜିଲ୍ଲା ଭୂକମ୍ପ ଜୋନ୍ -୫ରେ ରହିଛି । ଯାହାକୁ ଏକ ଉଚ୍ଚ କ୍ଷୟକ୍ଷତି ବିପଦ ଅଞ୍ଚଳ ଭାବରେ ବିବେଚନା କରାଯାଏ। ଏହି କାରଣରୁ, ଏଠାରେ ମୃଦୁ ଭୂମିକମ୍ପ ମଧ୍ୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିଥାଏ । ତଥାପି ରାଜ୍ୟ ପ୍ରଶାସନ ସ୍ପଷ୍ଟ କରିଛି ଯେ, ଏହି ଭୂମିକମ୍ପରେ କୌଣସି ଜୀବନ କିମ୍ବା ସମ୍ପତ୍ତି କ୍ଷତି ହୋଇନାହିଁ । କୌଣସି ବିପର୍ଯ୍ୟୟ ସମ୍ବନ୍ଧୀୟ ରିପୋର୍ଟ ମଧ୍ୟ ସାମ୍ନାକୁ ଆସିନାହିଁ।
ହିମାଚଳ ପ୍ରଦେଶ ଏବଂ ଆଖପାଖ ଅଞ୍ଚଳଗୁଡ଼ିକ ସମ୍ବେଦନଶୀଳ-
ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ, ହିମାଚଳ ପ୍ରଦେଶ ଏବଂ ଏହାର ଆଖପାଖ ଅଞ୍ଚଳ ଭୂମିକମ୍ପ ପାଇଁ ବହୁତ ସମ୍ବେଦନଶୀଳ। ଏଠାରେ ଅଧିକାଂଶ ସମୟରେ ଭୂକମ୍ପ ଝଟକା ଅନୁଭୂତ ହୁଏ । ଗତ କିଛି ମାସ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ମୃଦୁ ଭୂମିକମ୍ପ ହୋଇଛି।