ନୂଆଦିଲ୍ଲୀ,୨୮।୯:  ନିର୍ବାଚନ କମିଶନ (ECI) ବିହାରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଏବଂ କିଛି ରାଜ୍ୟର ଉପନିର୍ବାଚନ ପାଇଁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ (ସାଧାରଣ, ପୋଲିସ ଏବଂ ଖର୍ଚ୍ଚ) ନିୟୋଜନ କରିବାକୁ ନିଷ୍ପତ୍ତି ନେଇଛି। କମିଶନ ବିଭିନ୍ନ ରାଜ୍ୟରେ କାର୍ଯ୍ୟରତ ମୋଟ ୪୭୦ ଅଧିକାରୀଙ୍କୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତ କରିବାକୁ ନିଷ୍ପତ୍ତି ନେଇଛି। ଏହି ଅଧିକାରୀମାନଙ୍କ ମଧ୍ୟରେ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ରୁ ୩୨୦ ଅଧିକାରୀ, ଭାରତୀୟ ପୋଲିସ ସେବା (ଆଇପିଏସ୍) ରୁ ୬୦ ଅଧିକାରୀ ଏବଂ ଭାରତୀୟ ରାଜସ୍ୱ ସେବା (ଆଇଆରଏସ୍‌) ରୁ ୯୦ ଅଧିକାରୀ ରହିବେ।ଏହା ସହିତ ଆଇଆରଏସଏସ୍, ଆଇସିଏଏସ୍ ଭଳି ସେବାର ଅଧିକାରୀମାନେ ମଧ୍ୟ ସାମିଲ ହେବେ।

କମିଶନଙ୍କ ଅନୁଯାୟୀ, ଏହି ଅଧିକାରୀଙ୍କୁ ବିହାରରେ ହେବାକୁ ଥିବା ବିଧାନସଭା ସାଧାରଣ ନିର୍ବାଚନ ଏବଂ ଜମ୍ମୁ-କାଶ୍ମୀର, ରାଜସ୍ଥାନ, ଝାଡ଼ଖଣ୍ଡ, ତେଲେଙ୍ଗାନା, ପଞ୍ଜାବ, ମିଜୋରାମ ଏବଂ ଓଡିଶାରେ ହେବାକୁ ଥିବା ଉପନିର୍ବାଚନ ପାଇଁ ନିଯୁକ୍ତ କରାଯାଉଛି।

ନିର୍ବାଚନ କମିଶନ ଏକ ପ୍ରେସ୍ ନୋଟରେ କହିଛନ୍ତି, ‘ବିହାର ବିଧାନସଭା ନିର୍ବାଚନ ଏବଂ କିଛି ରାଜ୍ୟର ଉପନିର୍ବାଚନ ପାଇଁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ   ନିୟୋଜିତ ହେବେ। କମିଶନ ସମ୍ବିଧାନର ଧାରା ୩୨୪ ଏବଂ ଜନପ୍ରତିନିଧି ଆଇନ, ୧୯୫୧ ର ଧାରା 20B ଅନୁଯାୟୀ ପ୍ରଦତ୍ତ କ୍ଷମତା ଅନୁଯାୟୀ ନିର୍ବାଚନମଣ୍ଡଳୀରେ ନିର୍ବାଚନ ତଦାରଖ କରିବା ପାଇଁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକମାନଙ୍କୁ ନିଯୁକ୍ତି କରନ୍ତି। ପର୍ଯ୍ୟବେକ୍ଷକମାନେ ନିଯୁକ୍ତି ତାରିଖରୁ ନିର୍ବାଚନ ପ୍ରକ୍ରିୟା ସମାପ୍ତ ହେବା ପର୍ଯ୍ୟନ୍ତ କମିଶନଙ୍କ ତଦାରଖ, ନିୟନ୍ତ୍ରଣ ଏବଂ ଶୃଙ୍ଖଳା ଅଧୀନରେ କାର୍ଯ୍ୟ କରନ୍ତି।ସେମାନେ କମିଶନଙ୍କ ଆଖି ଏବଂ କାନ ଭଳି କାମ କରନ୍ତି। ସମୟାନୁସାରେ ରିପୋର୍ଟ ପ୍ରଦାନ କରନ୍ତି। ପର୍ଯ୍ୟବେକ୍ଷକମାନେ ମୁକ୍ତ, ନିରପେକ୍ଷ, ସ୍ୱଚ୍ଛ ଏବଂ ସମାବେଶୀ ନିର୍ବାଚନ ପରିଚାଳନାରେ କମିଶନକୁ ସହାୟତା କରନ୍ତି ଏବଂ ଭୋଟର ସଚେତନତା ଏବଂ ଅଂଶଗ୍ରହଣ ବୃଦ୍ଧି କରିବାରେ ମଧ୍ୟ ଯୋଗଦାନ ଦିଅନ୍ତି।’