ଭୁବନେଶ୍ୱର, ୨୪।୧୧: ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ଅଞ୍ଚଳକୁ ନେଇ ଇକୋନୋମିକ୍ ରିଜିଅନ୍ ଗଠନ କରାଯିବ । ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏହି ଇକୋନୋମିକ୍ ରିଜିଅନ୍ ଗଠନ ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ଏହି ସମଗ୍ର ଅଞ୍ଚଳରେ ଥିବା ସହରଗୁଡ଼ିକୁ ‘ଗ୍ରୋଥ୍ ହବ୍’ ଭାବେ ବିକଶିତ କରିବା ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ବୈଠକରେ ପରାମର୍ଶ ଦେଇଥିଲେ ।  

ଏହି ଇକୋନୋମିକ୍ ରିଜିଅନ୍‌ ରେ ୩ଟି ରିଙ୍ଗ୍ ରୋଡ୍ ନିର୍ମାଣ କରାଯିବ । ଏଥିରେ କ୍ୟାପିଟାଲ ରିଙ୍ଗ୍ ରୋଡ୍ ଅଧିନରେ ପାରାଦୀପରୁ ଟାଙ୍ଗୀ, ସପ୍ତଶଯ୍ୟା, ରାମେଶ୍ୱର ଦେଇ ପୁରୀ ପର୍ଯ୍ୟନ୍ତ ୪୩୨ କିଲୋମିଟରର ରିଙ୍ଗ୍ ରୋଡ୍ ନିର୍ମାଣ କରାଯିବ । ଏହାକୁ କେନ୍ଦ୍ର ସରକାରଙ୍କ କ୍ୟାପିଟାଲ୍ ରିଜିଅନ୍ ରିଙ୍ଗ୍ ରୋଡ୍ (୧୧୧ କିଲୋମିଟର) ସହିତ ସମନ୍ୱିତ କରି ନିର୍ମାଣ କରାଯିବାର ପ୍ରସ୍ତାବ ରହିଛି । ଏହା ସହିତ କଟକ ଜିଲ୍ଲା ଜାତମୁଣ୍ଡିଆ-ତ୍ରିଶୁଳିଆ-ଉରାଳି ଦେଇ ବାଲିପାଟଣା-ପିପିଲି-ଜଟଣୀ-ଖୋର୍ଦ୍ଧା ପର୍ଯ୍ୟନ୍ତ ୧୪୮ କିଲୋମିଟରର ଏକ ଆଉଟର ରିଙ୍ଗ୍ ରୋଡ୍ ଏବଂ ଖୋର୍ଦ୍ଧା ଜିଲ୍ଲା ତମାଣ୍ଡୋଠାରୁ ଚନ୍ଦକା-ପାହାଳ-ଧଉଳି ଦେଇ ୬୫ କିଲୋମିଟରର ଏକ ଇନ୍‍ର ରିଙ୍ଗ୍ ରୋଡ୍ ନିର୍ମାଣ କରାଯିବାର ଯୋଜନା ରହିଛି । ଏହିପରି ସମୁଦାୟ ୬୪୫ କିମିର ୩ଟି ରିଙ୍ଗ୍ ରୋଡ୍ ନିର୍ମାଣ କରାଯିବ । ଏଥି ସହିତ ଏହି ଯୋଜନାରେ ପୁରୀଠାରୁ କୋଣାର୍କ ପର୍ଯ୍ୟନ୍ତ ୩୨ କିଲୋମିଟର ରେଳପଥ ଏବଂ କୋଣାର୍କରୁ ଭୁବନେଶ୍ୱର ଭାୟା ନିମାପଡ଼ା ଦେଇ ୭୦ କିମିର ରେଳପଥ ନିର୍ମାଣ କରାଯିବାର ଯୋଜନା ରହିଛି ।

ଯେହେତୁ ଏହା ପାରାଦୀପକୁ ସଂଯୋଗ କରୁଛି, ତେଣୁ ଏହି ଇକୋନୋମିକ୍ ରିଜିଅନ୍ ଗଠନ ହେବା ପରେ ସମ୍ପୃକ୍ତ ଅଞ୍ଚଳଗୁଡ଼ିକରେ ଶିଳ୍ପ କ୍ଷେତ୍ରରେ ବ୍ୟାପକ ଅଭିବୃଦ୍ଧି ଘଟିବ । ଏହି ରିଜିଅନ୍ ମଧ୍ୟରେ କୃଷି ଓ ମତ୍ସ୍ୟ ଉଦ୍ୟୋଗ, ମାନୁଫାକଚରିଙ୍ଗ୍, ପରିବହନ, ବନ୍ଦର ଭିତ୍ତିକ ଶିଳ୍ପ, କେମିକାଲ୍ସ, ଟେକ୍ସଟାଇଲ୍, ଆଇ.ଟି ଭଳି ଅନେକ ଶିଳ୍ପାନୁଷ୍ଠାନ ଗଢ଼ି ଉଠିବ । ଏସବୁ ଅଞ୍ଚଳଗୁଡ଼ିକରେ ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ଅଭିବୃଦ୍ଧି ଘଟିବ । ବୈଠକରେ ମୁଖ୍ୟମନ୍ତ୍ରୀ ନୀତି ଆୟୋଗ ସହିତ ନିୟମିତ ଯୋଗାଯୋଗରେ ରହି ଏହି ପ୍ରକଳ୍ପ କାମ ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ପ୍ରକଳ୍ପର କାର୍ଯ୍ୟକାରିତା ପାଇଁ ନୂଆ ନୀତି ଆଣିବା ସହିତ ଆବଶ୍ୟକସ୍ଥଳେ ପ୍ରଚଳିତ ନୀତିରେ ସଂଶୋଧନ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ଏଥିସହିତ ଏସବୁ ଅଞ୍ଚଳଗୁଡ଼ିକରେ ପର୍ଯ୍ୟଟନ କ୍ଷେତ୍ରରେ ବିକାଶ ପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସେ କହିଥିଲେ । ବୈଠକରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର, ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର, ପୌର ନିର୍ଦ୍ଦେଶକ ଶ୍ରୀ ଅରିନ୍ଦମ୍ ଡାକୁଆ ପ୍ରମୁଖ ଉପସ୍ଥିତ ଥିଲେ ।