ଭୁବନେଶ୍ୱର, ୨୦/୦୨: ଜାତୀୟ ସ୍ତରରେ କୃଷି ଓ ଅନୁସଙ୍ଗିକ କ୍ଷେତ୍ର ୩.୧ ପ୍ରତିଶତ ହାରରେ ବଢ଼ିଛି । ଓଡ଼ିଶାରେ ବଢ଼ିଛି ୫.୩ ପ୍ରତିଶତ । ଶିଳ୍ପ କ୍ଷେତ୍ରରେ ରାଜ୍ୟ ୬.୪ ପ୍ରତିଶତ ଅଭିବୃଦ୍ଧି ହାସଲ କରିଥିବା ବେଳେ ଜାତୀୟ ସ୍ତରରେ ଏ ହାର ୬.୨ ପ୍ରତିଶତ । ସେବା କ୍ଷେତ୍ରରେ ବି ଓଡ଼ିଶା ଆଗୁଆ । ସର୍ବଭାରତୀୟ ସ୍ତରରେ ୯.୧% ବଢ଼ିଥିବା ବେଳେ ରାଜ୍ୟର ସେବା କ୍ଷେତ୍ର ୯.୩% ଅଭିବୃଦ୍ଧି ହାସଲ କରିଛି ।
ମୋଟାମୋଟି ଭାବେ ଓଡ଼ିଶାର ଅଭିବୃଦ୍ଧି ଜାତୀୟ ହାରକୁ ପଛରେ ପକାଇ ଦେଇଛି । ଆଗୁଆ ଆକଳନ କହୁଛି ୨୦୨୫-୨୬ରେ ରାଜ୍ୟର ମୋଟ ଘରୋଇ ଉତ୍ପାଦ (ଜିଏସ୍ଡିପି) ୭.୯% ହାରରେ ବଢ଼ିବ । ଜାତୀୟ ଅଭିବୃଦ୍ଧି ହାର ୭.୪% । ରାଜ୍ୟ ଅର୍ଥନୈତିକ ସର୍ଭେ ରିପୋର୍ଟରେ ଓଡ଼ିଶା ବିକାଶ ଦୌଡ଼ର ଏ ଚିତ୍ର ସ୍ପଷ୍ଟ ହୋଇଛି । ବିଶ୍ୱ ଅର୍ଥନୀତି ଓ ଯୋଗାଣ ଶୃଙ୍ଖଳରେ ଘୋର ଅନିଶ୍ଚିତତା ସତ୍ତେ୍ୱ ପ୍ରତିଟି କ୍ଷେତ୍ରରେ ଜବରଦସ୍ତ ଅଭିବୃଦ୍ଧି ହାସଲ କରିଛି ଓଡ଼ିଶା । ତଥାପି ଓଡ଼ିଶାର ମୁଣ୍ଡପିଛା ଆୟ ଜାତୀୟ ଆୟଠୁ ୩୨ ହଜାର ଟଙ୍କା କମ୍ । ରାଜ୍ୟର ମୁଣ୍ଡପିଛା ଆୟ ଗତବର୍ଷ ତୁଳନାରେ ୯.୨% ବଢ଼ି ବାର୍ଷିକ ୧ ଲକ୍ଷ ୮୬ ହଜାର ୭୬୧ କୋଟି ଟଙ୍କା ଛୁଇଁବ । ସର୍ବଭାରତୀୟ ସ୍ତରରେ ମୁଣ୍ଡପିଛା ଆୟ ୨ ଲକ୍ଷ ୧୯ ହଜାର ୫୭୫ ଟଙ୍କା ।
ଗୁରୁବାର ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୨୦୨୫- ୨୬ ଆର୍ଥିକ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ ରଖିଛନ୍ତି । ଏଥିରେ ଦର୍ଶାଯାଇଛି, ଆଗୁଆ ଆକଳନ ଅନୁଯାୟୀ ରାଜ୍ୟର ମୋଟ ଘରୋଇ ଉତ୍ପାଦ ବର୍ତ୍ତମାନ ମୂଲ୍ୟରେ ୯ ଲକ୍ଷ ୮୮ ହଜାର କୋଟି ଟଙ୍କାକୁ ଡେଇଁବ । ୨୦୨୪-୨୫ରେ ଏହା ୯ ଲକ୍ଷ ୩ ହଜାର କୋଟି ଥିଲା ।
ଡଲାର୍ ମୂଲ୍ୟ ୯୧ ଟଙ୍କା ହିସାବ କରାଗଲେ ଚଳିତ ଆର୍ଥିକ ବର୍ଷ ରାଜ୍ୟର ମୋଟ ଅର୍ଥନୀତିର ଆକାର ୧୦୯ ବିଲିଅନ୍ ଡଲାର୍ । ୨୦୩୬ ସୁଦ୍ଧା ଜିଏସ୍ଡିପିକୁ ୫୦୦ ବିଲିଅନ ଡଲାର ପହଞ୍ଚାଇବାକୁ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ସ୍ଥିର ମୂଲ୍ୟରେ (୨୦୧୧-୧୨) ଜିଏସ୍ଡିପି ୫ ଲକ୍ଷ ୩୨ ହଜାର କୋଟିରୁ ବଢ଼ି ୫ ଲକ୍ଷ ୭୪ ହଜାର କୋଟି ଟଙ୍କା ଛୁଇଁବ ବୋଲି ଦର୍ଶାଯାଇଛି । ହେଲେ ସଂଶୋଧିତ ଆକଳନରେ ୨୦୨୪-୨୫ର ବର୍ତ୍ତମାନ ମୂଲ୍ୟ ଜିଏସ୍ଡି ପି ୯ ଲକ୍ଷ ୪୯ ହଜାର କୋଟିରୁ ୯ ଲକ୍ଷ ୩ ହଜାର କୋଟିକୁ ଖସିଛି । ସ୍ଥିର ମୂଲ୍ୟ ଜିଏସ୍ଡିପି ମଧ୍ୟ ୫ ଲକ୍ଷ ୬୩ ହଜାର କୋଟିରୁ ୫ ଲକ୍ଷ ୩୨ ହଜାରକୁ ହ୍ରାସ ପାଇଛି ।
ଅନୁରୂପ ଭାବେ ଗତବର୍ଷ ଅର୍ଥନୈତିକ ସର୍ଭେରେ ମୁଣ୍ଡପିଛା ଆୟ ୧ ଲକ୍ଷ ୮୨ ହଜାର ୫୪୧ ଛୁଇଁବ ବୋଲି ଦର୍ଶାଯାଇଥିଲା । ପ୍ରଥମ ସଂଶୋଧିତ ଆକଳନରେ ଏହାକୁ ୧ ଲକ୍ଷ ୭୧ ହଜାର ୨୫ ଟଙ୍କାକୁ ହ୍ରାସ କରାଯାଇଛି । ରିପୋର୍ଟ ତଥ୍ୟ ଅନୁସାରେ କୃଷି ଓ ଆନୁସଙ୍ଗିକ କ୍ଷେତ୍ରରେ ସବୁଠାରୁ ଅଧିକ ଅଭିବୃଦ୍ଧି ହୋଇଛି ମତ୍ସ୍ୟ ଉତ୍ପାଦନରେ । ୬.୮ ପ୍ରତିଶତ ବଢ଼ିଛି ଏ କ୍ଷେତ୍ର । ଖାଦ୍ୟଶସ୍ୟ ଉତ୍ପାଦନରେ ୫.୧% ବୃଦ୍ଧି ହୋଇଥିବା ବେଳେ ପଶୁ ସମ୍ପଦ କ୍ଷେତ୍ରରେ ୪.୭% ଅଭିବୃଦ୍ଧି ହାସଲ ହୋଇଛି । ଖାଦ୍ୟଶସ୍ୟ ଉତ୍ପାଦନ ରେକର୍ଡ ସ୍ତର ୧୫୦ ଲକ୍ଷ ଟନକୁ ବୃଦ୍ଧି ପାଇଛି ୨୦୨୪-୨୫ରେ । ବିନିର୍ମାଣ କ୍ଷେତ୍ର ବଢ଼ିଛି ୮.୩% । ନିର୍ମାଣ କ୍ଷେତ୍ରରେ ୯.୪%, ହୋଟେଲ ଓ ରେସ୍ତୋରାଁ ୧୯.୪%, ପରିବହନ ଓ ଯୋଗାଯୋଗ ୮.୪ ପ୍ରତିଶତ ବଢ଼ିଛି ।
ଆହୁରି ପଢ଼ନ୍ତୁ :- ଆଜି ରାଜ୍ୟ ବଜେଟ୍; ୯% ବଢ଼ିପାରେ ବ୍ୟୟ,ବିକଶିତ ଓଡ଼ିଶାକୁ ବାଟ ଦେଖାଇବେ ମୁଖ୍ୟମନ୍ତ୍ରୀ
ଓଡ଼ିଶାରୁ ରପ୍ତାନି ଗତ ୫ ବର୍ଷ ଭିତରେ ପାଖାପାଖି ୭୯% ବଢ଼ିଛି । ୨୦୧୯-୨୦ରେ ୫୧ ହଜାର ୭୦୦ କୋଟି ଟଙ୍କାର ରପ୍ତାନି ହୋଇଥିଲା । ୨୦୨୪-୨୫ରେ ଏହା ୯୨ ହଜାର ୫୦୦ କୋଟିକୁ ବୃଦ୍ଧି ପାଇଛି । ମୋଟ ରପ୍ତାନିର ୨୬.୯% ଖଣିଜ ପଦାର୍ଥ । ୫୮% ଧାତବ ଦ୍ରବ୍ୟ, ସାମୁଦ୍ରିକ ଉତ୍ପାଦ ୫.୫% ତଥା ଇଂଜିନିୟରିଂ ଓ କେମିକାଲ ପଦାର୍ଥର ଭାଗ ୮.୨% ।
ନିଯୁକ୍ତି କ୍ଷେତ୍ରରେ ବି ଆଖିଦୃଶିଆ ପରିବର୍ତ୍ତନ ଆସିଛି । ୧୫ ବର୍ଷରୁ ଅଧିକ ଶ୍ରମ ଯୋଗ୍ୟ ଜନସଂଖ୍ୟା ୩ କୋଟି ୬୯ ଲକ୍ଷ ମଧ୍ୟରୁ ୨ କୋଟି ୨୯ ଲକ୍ଷ ବିଭିନ୍ନ କ୍ଷେତ୍ରରେ କାମ କରିଛନ୍ତି । ମହିଳା ଶ୍ରମ ନିଯୁକ୍ତି ୩୬.୭ରୁ ୪୮.୬%କୁ ବଢ଼ିଛି । ମୋଟ ଶ୍ରମ ଶକ୍ତିର ପାଖପାଖି ଅଧା (୪୮.୬%) କୃଷି କ୍ଷେତ୍ରରେ ନିୟୋଜିତ । ଶିଳ୍ପରେ ୨୭.୫% ଓ ସେବା କ୍ଷେତ୍ରରେ ୨୩.୯% ନିଯୁକ୍ତି ପାଇଛନ୍ତି । ୬୨.୭% ଆତ୍ମନିଯୁକ୍ତି ଜରିଆରେ ଜୀବିକା ଅର୍ଜନ କରୁଛନ୍ତି ।
ସାମଗ୍ରିକ ବିକାଶ ଯୋଗୁଁ ଲୋକଙ୍କ ଜୀବନଧାରଣ ମାନରେ ସକାରାତ୍ମକ ପରିବର୍ତ୍ତନ ଆସିଛି ବୋଲି ଦର୍ଶାଇ ରିପୋର୍ଟରେ କୁହାଯାଇଛି ମାସିକ ମୁଣ୍ଡପିଛା ବ୍ୟୟ ଗ୍ରାମାଞ୍ଚଳରେ ପାଖପାଖି ତିନି ଗୁଣା ବଢ଼ିଛି । ୨୦୧୧- ୧୨ରେ ଗ୍ରାମାଞ୍ଚଳରେ ଚଳିବା ପାଇଁ ଜଣେ ହାରାହାରି ୧୦୦୩ ଟଙ୍କା ଖର୍ଚ୍ଚ କରୁଥିଲା । ୨୦୨୩-୨୪ ବେଳକୁ ଏହା ୩,୩୫୭ ଟଙ୍କାକୁ ବଢ଼ିଛି । ସହାରାଞ୍ଚଳରେ ମାସିକ ମୁଣ୍ଡପିଛା ଖର୍ଚ୍ଚ ୧୯୪୧ ଟଙ୍କାରୁ ୫୮୨୫ ଟଙ୍କାକୁ ବୃଦ୍ଧି ପାଇଛି । ଗ୍ରାମାଞ୍ଚଳରେ ଏବେ ୩୮ ପ୍ରତିଶତ ଲୋକଙ୍କ ପାଖରେ ଦୁଇ ଚକିଆ ଯାନ ଉପଲବ୍ଧ । ସହରାଞ୍ଚଳରେ ୫୯% ଚଢ଼ୁଛନ୍ତି ଦୁଇ ଚକିଆ ଯାନ । ଏ ହିସାବ ୨୦୨୩-୨୪ର । ଗ୍ରାମାଞ୍ଚଳର ୧୫% ଲୋକ ଏବେ ରେଫ୍ରିଜେରେଟର ବ୍ୟବହାର କରିବାରେ ସକ୍ଷମ, ସହରାଞ୍ଚଳରେ ଏ ହାର ୪୬% । ଗାଁରେ ୮୬% ଲୋକ ଏବେ ମୋବାଇଲ୍ ଫୋନ୍ ବ୍ୟବହାର କରୁଥିବା ବେଳେ ସହରରେ ୯୫% ଜନସଂଖ୍ୟା ପାଖରେ ମୋବାଇଲ୍ ।
ରାଜ୍ୟକୁ ଉଚ୍ଚ ବିକାଶ ହାର ଦିଗରେ ଦ୍ରୁତ ଗତିରେ ଆଗେଇ ନେବାକୁ ସରକାରଙ୍କ ଯୋଜନା ସଂପର୍କରେ ସୂଚନା ଦେଇ ସର୍ଭେ ରିପୋର୍ଟରେ କୁହାଯାଇଛି, ଆସନ୍ତା ୧୫ରୁ ୨୦ ବର୍ଷ ଭିତରେ ରାଜ୍ୟକୁ ୩୦ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ଆଣିବା ଲାଗି ଲକ୍ଷ୍ୟ ରଖାଯାଇଛି । ଏହା ବଳରେ ଦେଶର ସର୍ବଶ୍ରେଷ୍ଠ ୫ଟି ଶିଳ୍ପ ସମୃଦ୍ଧ ରାଜ୍ୟ ତାଲିକାରେ ଓଡ଼ିଶା ରହିବ । ୨୦୩୬ ସୁଦ୍ଧା ଦେଶର ମୋଟ ରପ୍ତାନିର ଓଡ଼ିଶାର ଭାଗ ୫%କୁ ବୃଦ୍ଧି କରିବାକୁ ଯୋଜନା କରାଯାଇଛି, ଯାହା ୨୦୪୭ ବେଳକୁ ୭.୫% ହେବ । ଭିତ୍ତିଭୂମି କ୍ଷେତ୍ରର ବିଶ୍ୱସ୍ତରୀୟ ବିକାଶ କରାଯାଇ ଏହା ଜରିଆରେ ବିକଶିତ ଓଡ଼ିଶାର ଲକ୍ଷ୍ୟ ହାସଲ କରିବାକୁ ଯୋଜନା କରାଯାଇଛି ।