ନୂଆଦିଲ୍ଲୀ, ୨୯।୪: ଶିଳ୍ପପତି ଅନିଲ ଅମ୍ବାନୀଙ୍କ ଅଡୁଆ ପୁଣି ବଢ଼ିବାରେ ଲାଗିଛି । ଅନିଲଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି । ମଙ୍ଗଳବାର ଦିନ ED ପକ୍ଷରୁ ଅନିଲ ଅମ୍ବାନୀ ଗ୍ରୁପର ପ୍ରାୟ ୩୦୩୪.୯୦ କୋଟି ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ଜବତ କରାଯାଇଛି । ଏହି ନୂତନ କାର୍ଯ୍ୟାନୁଷ୍ଠାନ ପରେ ରିଲାୟନ୍ସ ଅନିଲ ଅମ୍ବାନୀ ଗ୍ରୁପ୍ (RAAG) ସହ ଜଡ଼ିତ ମାମଲାରେ ଜବତ ହୋଇଥିବା ସମ୍ପତ୍ତିର ମୋଟ ମୂଲ୍ୟ ବର୍ତ୍ତମାନ ୧୯,୩୪୪ କୋଟି ଟଙ୍କାରେ ପହଞ୍ଚିଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଜାରି କରାଯାଇଥିବା ବିବୃତ୍ତି ଅନୁଯାୟୀ, ମନି ଲଣ୍ଡରିଂ ପ୍ରତିରୋଧ ଅଧିନିୟମ (PMLA) ର ଧାରା ୫ ଅନୁଯାୟୀ, ଏହି ସମ୍ପତ୍ତି ଜବତ କରାଯାଇଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଗଠିତ ଏକ ବିଶେଷ ଅନୁସନ୍ଧାନକାରୀ ଦଳ (SIT) ଏହି ମାମଲାର ଯାଞ୍ଚ କରୁଛନ୍ତି । ବ୍ୟାଙ୍କ ଋଣ ଏବଂ ସାଧାରଣ ଜନତାଙ୍କ ଅର୍ଥର ଅପବ୍ୟବହାର ତଥା ହେରଫେର ରୋକିବା ପାଇଁ ଏହି କଠୋର ପଦକ୍ଷେପ ନିଆଯାଇଥିବା କୁହାଯାଇଛି ।
୪୦,୧୮୫ କୋଟିର ବକେୟା ଋଣ:
ଅନୁସନ୍ଧାନରୁ ଜଣାପଡ଼ିଛି ଯେ, RCom ଏବଂ ଏହାର ସହଯୋଗୀ କମ୍ପାନୀଗୁଡ଼ିକ ଦେଶୀ ଏବଂ ବିଦେଶୀ ବ୍ୟାଙ୍କଗୁଡ଼ିକରୁ ବିପୁଳ ପରିମାଣର ଋଣ ନେଇଥିଲେ । ସୂଚନା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ଏହି ଗ୍ରୁପ୍ ଉପରେ ୪୦,୧୮୫ କୋଟି ଟଙ୍କାର ବକେୟା ରହିଛି । ଭାରତୀୟ ଷ୍ଟେଟ୍ ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ବରୋଦା ଏବଂ LICର ଅଭିଯୋଗ ଆଧାରରେ CBI ଦ୍ୱାରା ରୁଜୁ ହୋଇଥିବା FIR ଭିତ୍ତିରେ ED ଏହି ମନି ଲଣ୍ଡରିଂ ମାମଲାର ତଦନ୍ତ କରୁଛି ।
ଜବତ ହୋଇଥିବା ମୁଖ୍ୟ ସମ୍ପତ୍ତିର ତାଲିକା:
EDର ଯାଞ୍ଚ ପରେ ପ୍ରମୋଟର ଗ୍ରୁପର କେତେକ ଗୁରୁତ୍ୱପୂର୍ଣ୍ଣ ସମ୍ପତ୍ତିକୁ ଅକାମୀ କରାଯାଇଛି, ସେଗୁଡ଼ିକ ହେଲା:
ମୁମ୍ବାଇ: ଉଷା କିରଣ ବିଲ୍ଡିଂରେ ଥିବା ଏକ ବିଳାସପୂର୍ଣ୍ଣ ଫ୍ଲାଟ୍ ।
ଖଣ୍ଡାଲା (ପୁଣେ): ଏକ ବଡ଼ ଫାର୍ମହାଉସ ।
ସାଣନ୍ଦ (ଅହମ୍ମଦାବାଦ): ଏକ ବିଶାଳ ଜମି ।
ସେୟାର: ରିଲାୟନ୍ସ ଇନଫ୍ରାଷ୍ଟ୍ରକଚର ଲିମିଟେଡର ୭.୭୧ କୋଟି ସେୟାର, ଯାହା ‘RiseE Infinity Pvt Ltd’ ପାଖରେ ଗଚ୍ଛିତ ଥିଲା ।
ED ର ଅନୁସନ୍ଧାନରୁ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ଅନିଲ ଅମ୍ବାନୀଙ୍କ ପରିବାର 'RiseE Trust' ନାମକ ଏକ ସଂସ୍ଥା ଗଠନ କରିଥିଲେ । ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ନିଜର ବ୍ୟକ୍ତିଗତ ଋଣ ଅର୍ଥାତ୍ ପର୍ସନାଲ ଗ୍ୟାରେଣ୍ଟିରୁ ସମ୍ପତ୍ତିଗୁଡ଼ିକୁ ସୁରକ୍ଷିତ ରଖିବା । ଯେଉଁ ବ୍ୟାଙ୍କଗୁଡ଼ିକର ଋଣ NPA (Non-Performing Assets) ହୋଇଯାଇଛି, ସେମାନଙ୍କୁ ଟଙ୍କା ଫେରସ୍ତ କରିବା ପରିବର୍ତ୍ତେ ପରିବାରର ଫାଇଦା ପାଇଁ ଏହି ସମ୍ପତ୍ତିଗୁଡ଼ିକୁ ବ୍ୟବହାର କରାଯାଉଥିବା ED ଅଭିଯୋଗ କରିଛି । PMLAର ଧାରା ୮ ଅନୁଯାୟୀ, ଯଦି ଅଭିଯୋଗ ପ୍ରମାଣିତ ହୁଏ, ତେବେ ଏହି ଜବତ ସମ୍ପତ୍ତିଗୁଡ଼ିକୁ ବିକ୍ରି କରି ବ୍ୟାଙ୍କ ଏବଂ ଆର୍ଥିକ ପ୍ରତିଷ୍ଠାନଗୁଡ଼ିକର କ୍ଷତିପୂରଣ କରାଯାଇପାରିବ । ED ସ୍ପଷ୍ଟ କରିଛି ଯେ, ସାଧାରଣ ଜନତାଙ୍କ ଅର୍ଥର ଅପବ୍ୟବହାରକୁ ରୋକିବା ପାଇଁ ଏହି ତଦନ୍ତ ଜାରି ରହିବ ।
ଆହୁରି ପଢ଼ନ୍ତୁ... ପଶ୍ଚିମବଙ୍ଗରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ : ୧୪୨ ଆସନରେ ମତଦାନ, ଭୋଟ୍ ଦେବେ ୩.୨ କୋଟି ଭୋଟର୍