ଥିରୁଅନନ୍ତପୁରମ୍,୨୭।୫: କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ବାସଭବନ ବାହାରେ ଇଡି ଅଧିକାରୀଙ୍କୁ ଆକ୍ରମଣ। ବିଜୟନଙ୍କ ଥିରୁଅନନ୍ତପୁରମ୍ ସ୍ଥିତ ବାସଭବନରୁ ବାହାରିବା ମାତ୍ରେ ଇଡି ଅଧିକାରୀଙ୍କ ଉପରେ ସିପିଆଇଏମ୍ କର୍ମୀମାନେ ଇଟା-ପଥର ମାଡ କରିଥିଲେ। ତାଙ୍କ ଗାଡିକୁ ଟାର୍ଗେଟ କରି ଇଟା ଏବଂ ପଥର ମାଡ କରି କାଚ ଭାଙ୍ଗି ଦେଇଥିଲେ।
ବୁଧବାର ସକାଳେ ପିନାରାଇ ବିଜୟନଙ୍କ ବହୁ ଠିକଣା ଉପରେ ଯେତେବେଳେ ଇଡି ଚଢାଉ କରିଥିଲା ସେତେବେଳେ ଏହି ଆକ୍ରମଣ ଶିକାର ହୋଇଥିଲା। ଟିମ୍ ମଧ୍ୟାହ୍ନ ପରେ ବିଜୟନଙ୍କ ବାସଭବନରୁ ବାହାରିବା ମାତ୍ରେ ସେଠାରେ ଥିବା ଦଳୀୟ କର୍ମୀ ଓ ବିଜୟନଙ୍କ ସମର୍ଥକ ଇଡି ଅଧିକାରୀଙ୍କ ଗାଡିକୁ ଘେରିବା ସହ ନାରାବାଜି କରିଥିଲେ। ସ୍ଥିତି ସମ୍ଭାଳିବା ପାଇଁ ଦଳର ବରିଷ୍ଠ ନେତା ଓ ସ୍ଥାନୀୟ ପଦାଧିକାରୀ ସମର୍ଥକଙ୍କୁ ଶାନ୍ତ କରିଥିଲେ। ବହୁ ସମୟ ପର୍ଯ୍ୟନ୍ତ ଦେଖିବାକୁ ମିଳିଥିଲା ପ୍ରବଳ ଉତ୍ତେଜନା। ଇଡି ଅଧିକାରୀଙ୍କୁ ଠେଲାପେଲା ଏବଂ ଧକ୍କା ମରାମରି ହୋଇଥିବାର ଅଭିଯୋଗ ହୋଇଛି।
କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ବର୍ତ୍ତମାନର ବିରୋଧି ଦଳ ନେତା ପିନାରାଇ ବିଜୟନଙ୍କ ଘର ବାହାରେ ଇଡିର କାର୍ଯ୍ୟାନୁଷ୍ଠାନକୁ ନେଇ ରାଜନୈତିକ ବିବାଦ ସୃଷ୍ଟି ହୋଇଛି। ଏହି ମାମଲାରେ ସିପିଆଇଏମ୍ ମହାସଚିବ ଏମ୍ଏ ବେବି କେନ୍ଦ୍ର ସରକାର ଓ ଇଡିକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଏହି ପୁରା କାର୍ଯ୍ୟାନୁଷ୍ଠାନ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଏବଂ ବିରୋଧୀ ନେତାମାନଙ୍କୁ ଟାର୍ଗେଟ କରିବାର ଏକ ରଣନୀତିର ଅଂଶ।
ବୁଧବାର ଇଡି କେରଳର ୧୦ ଟି ସ୍ଥାନରେ ଚଢାଉ କରିଥିଲା। ଏଥିରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ କେରଳ ବିଧାନସଭାର ବିରୋଧୀ ଦଳ ନେତା ପିନାରାଇ ବିଜୟନ ଏବଂ ତାଙ୍କ ଝିଅ ବୀଣା ବିଜୟନଙ୍କ ବାସଭବନ ମଧ୍ୟ ଅନ୍ତର୍ଭୁକ୍ତ। ରିପୋର୍ଟ ଅନୁଯାୟୀ ଏହି କାର୍ଯ୍ୟାନୁଷ୍ଠାନ ପିନାରାଇ ବିଜୟନଙ୍କ ଝିଅ ଏବଂ ତାଙ୍କ କମ୍ପାନୀ, ଏକ୍ସାଲୋଜିକ୍ ସଲ୍ୟୁସନ୍ସ ପ୍ରାଇଭେଟ୍ ଲିମିଟେଡ ସହିତ ଜଡିତ ଏକ କଥିତ ମନି ଲଣ୍ଡରିଂ ମାମଲା ସହିତ ଜଡିତ ଥିଲା। ଏହି ମାମଲାଟି କୋଚିର କୋଚି ମିନେରାଲ୍ସ ଆଣ୍ଡ ରୁଟାଇଲ୍ ଲିମିଟେଡ୍ (CMRL) ସହିତ ଦେୟ ଏବଂ ଆର୍ଥିକ ଅନିୟମିତତା ସହିତ ଜଡିତ। ଏହି ଚଢାଉ ଏପ୍ରିଲ ୨୦୨୫ ରେ ସିରିୟସ୍ ଫ୍ରଡ୍ ଇନଭେଷ୍ଟିଗେସନ୍ ଅଫିସ୍ (SFIO) ଦ୍ୱାରା ଦାଖଲ କରାଯାଇଥିବା ଏକ ଚାର୍ଜସିଟ୍ ଉପରେ ଆଧାରିତ। ଏସଫ୍ଆଇଓ ବୀଣା ବିଜୟନଙ୍କ ଆଇଟି କମ୍ପାନୀ, ଏକ୍ସାଲୋଜିକ୍ ସଲ୍ୟୁସନ୍ସ ପ୍ରାଇଭେଟ୍ ଲିମିଟେଡ୍ (ESPL) ବିରୁଦ୍ଧରେ ଗମ୍ଭୀର ଅଭିଯୋଗ ଆଣିଛି।