ନୂଆଦିଲ୍ଲୀ : ଶୁକ୍ରବାର ସକାଳୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଅନିଲ ଅମ୍ବାନୀଙ୍କ ରିଲାଏନ୍ସ ପାୱାର ଏବଂ ଏହାର ସହଯୋଗୀ କମ୍ପାନୀ ଗୁଡ଼ିକର ଠିକଣାରେ ଏକ ବଡ ଧରଣର ଚଢାଉ ଆରମ୍ଭ କରିଛି। ସୂଚନା ଅନୁଯାୟୀ, ଇଡିର ୧୫ଟି ଦଳ ଏକକାଳୀନ ମୁମ୍ବାଇର ୧୦ ରୁ ୧୨ ଟି ସ୍ଥାନରେ ଚଢ଼ାଉ କରିଛି। ବ୍ୟାଙ୍କ ଠକେଇ ଏବଂ ମନି ଲଣ୍ଡରିଂ ସହିତ ଜଡିତ ପୁରୁଣା ମାମଲାର ତଦନ୍ତକୁ ଆଗକୁ ବଢ଼ାଇବା ପାଇଁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।
ଅନିଲଙ୍କ କମ୍ପାନୀ ସହିତ ଜଡିତ ଅଧିକାରୀଙ୍କ ଘର ଏବଂ କାର୍ଯ୍ୟାଳୟରେ ଚଢ଼ାଉ…
ED ରିଲାଏନ୍ସ ପାୱାରର ପୂର୍ବତନ ନିର୍ଦ୍ଦେଶକ, ସହଯୋଗୀ ଏବଂ ଜଡିତ ବ୍ୟକ୍ତି ମାନଙ୍କ ଘର ଏବଂ କାର୍ଯ୍ୟାଳୟ ଉପରେ ନଜର ଦେଇଛି। ଏହି ଚଢ଼ାଉ ୪୦ ହଜାର କୋଟିରୁ ଅଧିକ ଟଙ୍କାର ଏକ କଥିତ ବ୍ୟାଙ୍କ ଠକେଇ ଏବଂ ମନି ଲଣ୍ଡରିଂ ମାମଲାର ଏକ ଅଂଶ। ଗତ କିଛି ମାସ ମଧ୍ୟରେ, ED ଅନିଲ ଅମ୍ବାନୀଙ୍କୁ ପଚରାଉଚରା ପାଇଁ ଅନେକ ଥର ସମନ ଜାରି କରିଛି, ଯେଉଁଥିରେ ଫେବୃଆରୀ ୨୦୨୬ ରେ ୯ ଘଣ୍ଟାରୁ ଅଧିକ ସମୟ ପାଇଁ ପଚରାଉଚରା ମଧ୍ୟ ସାମିଲ ଅଛି।
ସୂତ୍ର ଅନୁଯାୟୀ, ଆଜିର ଚଢାଉ ରିଲାଏନ୍ସ ପାୱାର ସହିତ ଜଡିତ। ଡକ୍ୟୁମେଣ୍ଟ, ଡିଜିଟାଲ୍ ଡିଭାଇସ୍ ଏବଂ ଅନ୍ୟାନ୍ୟ ପ୍ରମାଣ ଜବତ କରାଯାଇଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ପୂର୍ବରୁ ଅନିଲ ଅମ୍ବାନୀଙ୍କ ମୁମ୍ବାଇର ବିଳାସପୂର୍ଣ୍ଣ ବାସଭବନ "ଆବୋଡ୍" କୁ ୩୭୧୬ କୋଟିରେ ଆଟାଚ୍ କରିସାରିଛି। ଏହା ସହିତ ୧୫,୦୦୦ କୋଟି ମୂଲ୍ୟର ସମ୍ପତ୍ତି ଆଟାଚ୍ କରାଯାଇଛି। ଏହି କାର୍ଯ୍ୟାନୁଷ୍ଠାନ ୟେସ୍ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ବରୋଦା ଏବଂ ଅନ୍ୟାନ୍ୟ ବ୍ୟାଙ୍କରୁ ନିଆଯାଇଥିବା ଋଣର ଅପବ୍ୟବହାର ଏବଂ ପାଣ୍ଠି ସ୍ଥାନାନ୍ତର ଅଭିଯୋଗ ଉପରେ ଆଧାରିତ। ପୂର୍ବରୁ, ଅନିଲ ଅମ୍ବାନୀଙ୍କ ରିଲାଏନ୍ସ କମ୍ୟୁନିକେସନ୍ସ (RCOM) ଉପରେ ଚଢାଉ କରାଯାଇଛି ।
ରିଲାଏନ୍ସ ପକ୍ଷରୁ ଚଢାଉକୁ ଅସ୍ୱୀକାର କରାଯାଇଛି …
ରିଲାଏନ୍ସ ପାୱାର ଲିମିଟେଡ୍ ଗଣମାଧ୍ୟମ ରିପୋର୍ଟକୁ ସ୍ପଷ୍ଟ କରିଛି ଯେ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) କମ୍ପାନୀର କୌଣସି କାର୍ଯ୍ୟାଳୟ କିମ୍ବା ପରିସରରେ ଚଢାଉ କରିନାହିଁ। ୬ ମାର୍ଚ୍ଚ, ୨୦୨୬ ରେ BSE ଏବଂ NSE କୁ ପଠାଯାଇଥିବା ଏକ ଚିଠିରେ, କମ୍ପାନୀ କହିଛି ଯେ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ED ରିଲାଏନ୍ସ ପାୱାର ସହିତ ଜଡିତ ସ୍ଥାନ ଗୁଡ଼ିକରେ ଚଢାଉ କରିଛି, କିନ୍ତୁ କମ୍ପାନୀର ଜ୍ଞାତ ଅନୁସାରେ, ଏପରି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ ।