୩ ମାସରେ ପଦକ୍ଷେପ ନେବ ଗଣଶିକ୍ଷା ବିଭାଗ

କଟକ, ୨୫।୧: ଜଣେ ଶିକ୍ଷକଙ୍କୁ ଉପଯୁକ୍ତ ପ୍ରାପ୍ୟ ନମିଳିବା ଘଟଣାରେ ହାଇକୋର୍ଟ ରାଜ୍ୟ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗକୁ ଆବେଦନକାରୀଙ୍କ ସ୍ମାରକପତ୍ର ଉପରେ ଆସନ୍ତା ତିନି ମାସ ମଧ୍ୟରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆବେଦନକାରୀ ପ୍ରଫୁଲ୍ଲ କୁମାର ଦାସଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ହାଇକୋର୍ଟର ବିଚାରପତି ଡକ୍ଟର ଜଷ୍ଟିସ୍ ବିଦ୍ୟୁତ୍ ରଞ୍ଜନ ଷଡ଼ଙ୍ଗୀ ଏହି ନିର୍ଦ୍ଦେଶ ଦେବା ସହ ମାମଲାର ଅନ୍ତ ଘଟାଇଛନ୍ତି । ପ୍ରଫୁଲ୍ଲ ଦାସ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ୍ ବଡ଼ସିରାଇପୁର ୟୁଜିଏମ୍ଇ ବିଦ୍ୟାଳୟରେ ୧୯୭୯ ମସିହା ଜାନୁଆରୀରେ ଶିକ୍ଷକ ଭାବେ ଯୋଗ ଦେଇଥିଲେ । ପରେ ସେ ପ୍ରଧାନଶିକ୍ଷକ ହେବା ସହ ୨୦୧୯ ଜୁନ୍ ୩୦ରେ ଅବସର ନେଇଥିଲେ । ତେବେ ତାଙ୍କୁ ତାଙ୍କ ପ୍ରାପ୍ୟ ମିଳିନଥିଲା । ଫଳରେ ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଆବେଦନକାରୀଙ୍କ ପକ୍ଷରୁ ଏହି ମାମଲାକୁ ଜ୍ଞାନରଞ୍ଜନ ମିଶ୍ର ଏବଂ କୈଳାସ ଶତପଥୀ ପରିଚାଳନା କରୁଥିଲେ ।