ମଧ୍ୟାହ୍ନଭୋଜନରେ ଛାତ୍ରଛାତ୍ରୀଙ୍କୁ ଦିଆଗଲା ଅଣ୍ଡା 273 ସ୍କୁଲର 40ହଜାର ପିଲା ଉପକୃତ

ଭୁବନେଶ୍ବର,12।1: ଏଣିକି ମଧ୍ୟାହ୍ନଭୋଜନରେ ଛାତ୍ରଛାତ୍ରୀଙ୍କୁ ସିଝା ଅଣ୍ଡା ମିଳିବ। ଯାହା ପରୀକ୍ଷାମୂଳକ ଭାବେ ରାଜଧାନୀ ଭୁବନେଶ୍ବରରୁ ଆରମ୍ଭ କରାଯାଇଛି। ଭୁବନେଶ୍ବର ଅନ୍ତର୍ଗତ 273ଟି ସ୍କୁଲର ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନଭୋଜନ ସହ ସିଝା ଅଣ୍ଡା ଦିଆଯାଇଛି। ଏହାଦ୍ବାରା 40 ହଜାର ଛାତ୍ରଛାତ୍ରୀ ଉପକୃତ ହେବେ। 2014 ଅକ୍ଟୋବର 9 ତାରିଖରୁ ଭୁବନେଶ୍ବର ମହାନଗର ନିଗମ ଓ 2018 ଜୁଲାଇ 25 ତାରିଖରୁ ଭୁବନେଶ୍ବର ବ୍ଲକ୍ର ବିଦ୍ୟାଳୟଗୁଡିକରେ ଛାତ୍ରଛାତ୍ରୀଙ୍କୁ ଅକ୍ଷୟ ପାତ୍ର ଫାଉଣ୍ଡେସନ୍ ପକ୍ଷରୁ ମଧ୍ୟାହ୍ନ ଭୋଜନ (ରନ୍ଧା ଖାଦ୍ୟ) ଯୋଗାଇ ଦିଆଯାଉଛି। ସରକାରଙ୍କ ପକ୍ଷରୁ ପ୍ରାଥମିକ ବିଦ୍ୟାଳୟରେ ଜଣ ପିଛା 4ଟଙ୍କା 80 ପଇସା ଓ ଉଚ୍ଚ ପ୍ରାଥମିକ ସ୍ତରରେ ଜଣ ପିଛା 7ଟଙ୍କା 16 ପଇସା ବ୍ୟବସ୍ଥା କରାଯାଇଛି। ଅକ୍ଷୟ ପାତ୍ର ଫାଉଣ୍ଡେସନ୍ ପକ୍ଷରୁ ଦିଆଯାଉଥିବା ଖାଦ୍ୟ ମଧ୍ୟରେ ଅଣ୍ଡାର ବ୍ୟବସ୍ଥା ନଥିଲା। ଛାତ୍ରଛାତ୍ରୀଙ୍କ ଆଗ୍ରହ ଅନୁସାରେ ସିଝା ଅଣ୍ଡା ଯୋଗାଣ ଦ୍ବାରା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆନନ୍ଦର ଲହରି ଖେଳିଯାଇଛି। ଭୁବନେଶ୍ବର ବିଇଓ ସସ୍ମିତା ମାଳି ଆଇଆରସି ଭିଲେଜ ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମର ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମଞ୍ଜୁଲତା ରଥ, ସିଆରସିସି ମଧୁସ୍ମିତା ଦାଶ, ପରିଚାଳନା କମିଟି ସଭାପତି ରଶ୍ମିତା ପ୍ରମୁଖ ଯୋଗ ଦେଇଥିଲେ। ଉଲ୍ଲେଖଯୋଗ୍ୟ ପ୍ରାଥମିକ ପର୍ଯ୍ୟ।ୟରେ ପୁରୀ, ନୟାଗଡ଼, ସୁନ୍ଦରଗଡ଼, ଖୋର୍ଦ୍ଧ। ଓ କଟକ 5ଟି ଜିଲ୍ଲାରେ ମଧ୍ୟାହ୍ନଭୋଜନରେ ଛାତ୍ରଛାତ୍ରୀଙ୍କୁ ସିଝା ଅଣ୍ଡା ଦେବାର ବ୍ୟବସ୍ଥା କରାଯାଇଛି।