୭୪ତମ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେବେ ଇଜିପ୍ଟ ରାଷ୍ଟ୍ରପତି

ନୂଆଦିଲ୍ଲୀ ୨୭/ ୧୧: ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେବେ ଇଜିପ୍ଟ ରାଷ୍ଟ୍ରପତି । ଦେଶର ୭୪ତମ ସାଧାରଣତନ୍ତ୍ର ଦିବସ ଅବସରରେ ଭାରତ ଆସିବେ ଇଜିପ୍ଟ ରାଷ୍ଟ୍ରପତି ଆବଦେଲ ଫତେହ ଅଲ୍-ସିସି । ଏ ନେଇ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ରବିବାର ସୂଚନା ଦିଆଯାଇଛି ।
ଆବଦେଲ ଫତେହ ଅଲ୍-ସିସି ଆରବ ରିପବ୍ଲିକ ଇଜିପ୍ଟର ପ୍ରଥମ ରାଷ୍ଟ୍ରପତି ଯିଏକି ପ୍ରଥମ ଥର ପାଇଁ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାକୁ ଯାଉଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଔପଚାରିକ ଭାବେ ଏକ ନିମନ୍ତ୍ରଣ ପତ୍ର ଇଜିପ୍ଟ ରାଷ୍ଟ୍ରପତିଙ୍କୁ ପଠାଇଥିଲେ । ଗତ ଅକ୍ଟୋବର ୧୬ରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ମାଧ୍ୟମରେ ନିମନ୍ତ୍ରଣ ପଠାଯାଇଥିଲା । ଯାହାକୁ କି ରାଷ୍ଟ୍ରପତି ଅଲ୍-ସିସି ସାଦରେ ଗ୍ରହଣ କରିବା ସହିତ ସାଧାରଣତନ୍ତ୍ର ଦିବସରେ ଯୋଗଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି ।
ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଭାରତ ଏବଂ ଇଜିପ୍ଟ ଚଳିତ ବର୍ଷ କୂଟନୈତିକ ସମ୍ପର୍କ ପ୍ରତିଷ୍ଠାର ୭୫ତମ ବର୍ଷ ପୂରଣ କରିବାକୁ ଯାଉଛନ୍ତି । ତେଣୁ ଆସନ୍ତା ବର୍ଷ ଅର୍ଥାତ ୨୦୨୨-୨୩ରେ ଭାରତ ଜି-୨୦ ସମିଟରେ ସଭାପତିତ୍ବ କରୁଥିବାରୁ ଇଜିପ୍ଟକୁ ମଧ୍ୟ ଗେଷ୍ଟ କଣ୍ଟ୍ରି ଭାବେ ନିମନ୍ତ୍ରଣ କରାଯାଇଛି । ଭାରତ ଏବଂ ଇଜିପ୍ଟ ମଧ୍ୟରେ କୂଟନୈତିକ ସମ୍ପର୍କ ସାଙ୍ଗକୁ ବ୍ୟବସାୟିକ ସମ୍ପର୍କ ବେଶ ଭଲ ରହିଆସିଛି ।
ଏହା ପୂର୍ବରୁ ୨୦୨୧ ମସିହାରେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥାନ୍ତେ । କିନ୍ତୁ କରୋନା ମହାମାରୀ କାରଣରୁ ଜନସନଙ୍କ ଗସ୍ତ ବାତିଲ କରିଦିଆଯାଇଥିଲା । ସେହିଭଳି ୨୦୨୦ ସାଧାରଣତନ୍ତ୍ର ଦିବସରେ ବ୍ରାଜିଲର ତତକାଳୀନ ରାଷ୍ଟ୍ରପତି ଜୈର ବୋଲସୋନାରୋ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ।