ଆସ୍ଥା ଜିତିଲେ ସିନ୍ଦେ ସରକାର; ଫ୍ଳୋରଟେଷ୍ଟରେ ବହୁମତ ହାସଲ କରି ବିଜୟ ହେଲେ ସିନ୍ଦେ ସରକାର

ମୁମ୍ବାଇ,୦୪/୦୭: ମହାରାଷ୍ଟ୍ର ରାଜନୀତିରେ ପୁଣିଥରେ ଏକନାଥଙ୍କ ବାଜିମାତ୍। ଫ୍ଳୋର ଟେଷ୍ଟ ବା ଆସ୍ଥା ପରୀକ୍ଷାକୁ ନେଇ ଯେଉଁ କଳ୍ପନାଜଳ୍ପନା ଲାଗି ରହିଥିଲା, ତାହାର ଅନ୍ତ ଘଟିଚି। ଫ୍ଳୋର ଟେଷ୍ଟ ବହୁମତ ହାସଲ କରି ସିନ୍ଦେ ସରକାରଙ୍କର ବାଜିମାତ୍ ହୋଇଛି। ସିନ୍ଦେଙ୍କୁ ୧୬୪ ସଦସ୍ୟ ସମର୍ଥନ କରିଥିବା ସୂଚନା। ଏହା ସହିତ ଉଦ୍ଧବ ଠାକରେଙ୍କ ଶିବସେନା ତୁଳନାରେ ସିନ୍ଦେଙ୍କର ଫାଇନାଲରେ ବାଜିମାତ୍ ହୋଇଛି। ସିନ୍ଦେଙ୍କ ସରକାରକୁ ସମର୍ଥନ କରି ମୋଟ ୧୬୪ ଭୋଟ୍ ଦିଆଯାଇଥିବାବେଳେ ୯୯ଟି ଭୋଟ୍ ବିରୋଧୀଙ୍କ ଖାତାକୁ ଯାଇଛି। ଏହାପୂର୍ବରୁ ରବିବାର ଦିନ ବିଜେପି ଏବଂ ଏକନାଥ ସିନ୍ଦେ ଦଳର ପ୍ରାର୍ଥୀ ରାହୁଲ ନର୍ଭେକର ମଧ୍ୟ ସମାନ ସଂଖ୍ୟକ ଭୋଟ୍ ପାଇ ବାଚସ୍ପତି ନିର୍ବାଚନରେ ବିଜୟୀ ହୋଇଥିଲେ।
ଏହି ମତଦାନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନଙ୍କ ସମେତ ୫ ଜଣ କଂଗ୍ରେସ ବିଧାୟକ ଭୋଟ୍ ଗ୍ରହଣ କରିପାରିନଥିଲେ। କୁହାଯାଉଛି ଯେ ଏହି ଲୋକମାନେ ନିର୍ଦ୍ଧାରିତ ସମୟ ୧୧ଟା ପରେ ବିଧାନସଭାରେ ପହଞ୍ଚିଥିଲେ ଏବଂ ସେତେବେଳକୁ ଗେଟ୍ ବନ୍ଦ ହୋଇଯାଇଥିଲା। ତେଣୁ ସେ ଭୋଟ୍ ଦେବାର ସୁଯୋଗ ପାଇପାରିନଥିଲେ। ଏଥିସହିତ ଦଳର ହ୍ବିପ ଆଧାରରେ କେବଳ ୧୫ଜଣ ଶିବସେନା ବିଧାୟକ ସରକାରଙ୍କ ବିରୋଧରେ ଭୋଟ୍ ଦେଇଥିବାବେଳେ ୪୦ ଜଣ ବିଧାୟକ ସିନ୍ଦେ ସରକାରଙ୍କୁ ସମର୍ଥନ କରି ଭୋଟ୍ ଦେଇଛନ୍ତି। କେବଳ ଏତିକି ନୁହେଁ, ଏହାରି ଭିତରେ ଉଦ୍ଧବ ଠାକରେଙ୍କ ଶିବସେନା ମଧ୍ୟ ପୂର୍ବ ଅପେକ୍ଷା ଦୁର୍ବଳ ସ୍ଥିତିରେ ରହିଥିଲା। ତାଙ୍କ ସମର୍ଥକ ବିଧାୟକ ସନ୍ତୋଷ ଓ୍ବାଙ୍ଗଡେ ଏବଂ ଶ୍ୟାମ ସୁନ୍ଦର ସିନ୍ଦେ ମଧ୍ୟ ସୋମବାର ଏକନାଥ ସିନ୍ଦେ ସରକାରଙ୍କ ସପକ୍ଷରେ ହାଜର ହୋଇଥିଲେ।