ନୂଆଦିଲ୍ଲୀ,୦୯/୦୬: ବିଶ୍ୱକୁ ଅଧିକ ତତାଇବାକୁ ଆସିଗଲାଣି ଏଲ୍ ନିନୋ । ପୂର୍ବ ପ୍ରଶାନ୍ତ ମହାସାଗରର ବିଶୁବମଣ୍ଡଳୀୟ ଅଞ୍ଚଳରେ ଆରମ୍ଭ ହେଲାଣି ‘ଏଲ୍ ନିନୋ’ । ବର୍ଷ ଶେଷ ବେଳକୁ ଏଲ୍ ନିନୋର ମାତ୍ରା ସର୍ବୋଚ୍ଚ ସ୍ତର ଛୁଇଁବ ବୋଲି ୟୁକେ ମେଟ୍ ଅଫିସ୍ କହିଛି । ଏପରି ହେଲେ ବିଶ୍ୱ ତାପମାନ ଓ ପାଣିପାଗକୁ ଆଗାମୀ ବର୍ଷ ଓଲଟପାଲଟ କରିଦେବ ଏଲ୍ ନିନୋ ।
ପ୍ରଶାନ୍ତ ମହାସାଗରରେ ପେରୁ ନିକଟବର୍ତ୍ତୀ ସମୁଦ୍ର ତଟ ଅତ୍ୟଧିକ ଗରମ ହେବା ଘଟଣାକୁ ଏଲ୍ ନିନୋ କୁହାଯାଏ । ସହଜ ଭାଷାରେ ସାମୁଦ୍ରିକ ତାପମାତ୍ରା ଓ ବାୟୁମଣ୍ଡଳୀୟ ସ୍ଥିତିରେ ଆସୁଥିବା ପରିବର୍ତ୍ତନକୁ ଏଲ୍ ନିନୋ ନାମ ଦିଆଯାଇଛି । ଆମେରିକୀୟ ବୈଜ୍ଞାନିକମାନେ ସ୍ପଷ୍ଟ କରିଛନ୍ତି, ଏହାଦ୍ୱାରା ୨୦୨୪ରେ ବିଶ୍ୱ ତାପମାତ୍ରା ସବୁ ରେକର୍ଡ ଭାଙ୍ଗିବା ନେଇ ଆଶଙ୍କା କରାଯାଉଛି । ବିଶ୍ୱର ହାରାହାରି ତାପମାତ୍ରା ସ୍ୱାଭାବିକ ଠାରୁ ୧.୫ ଡିଗ୍ରୀରୁ ଅଧିକ ବୃଦ୍ଧି ପାଇବ ।
ଅଷ୍ଟ୍ରେଲିଆ ପାଇଁ ଏହା ଭୟଙ୍କର ମରୁଡ଼ି ଆଣିବ । ଆମେରିକାର ଦକ୍ଷିଣ ଭାଗରେ ଏହାଯୋଗୁ ପ୍ରବଳ ତଥା ଅସ୍ୱାଭାବିକ ବୃଷ୍ଟିପାତ ହେବ । ସେହିଭଳି ଭାରତର ମୌସୁମୀ ଗଣିତକୁ ଏଲ୍ ନିନୋ ଗୋଳମାଳିଆ କରିପକାଇବ ବୋଲି କୁହାଯାଉଛି । ଏଲ୍ ନିନୋର ପ୍ରଭାବ ଆସନ୍ତା ବର୍ଷ ବସନ୍ତ ଋତୁ ପର୍ଯ୍ୟନ୍ତ ଜାରି ରହିବ ।
{"id":219571,"width":800,"height":446,"sizeSlug":"full","linkDestination":"none"}
ବ୍ରିଟେନ୍ର ପାଣିପାଗ କାର୍ଯ୍ୟାଳୟର ଦୀର୍ଘମିଆଦୀ ଆକଳନ ବିଭାଗ ମୁଖ୍ୟ ଆଦାମ୍ ସ୍କେଫ୍ କହିଛନ୍ତି, ଏଲ୍ ନିନୋ ଯୋଗୁ ଆସନ୍ତା ବର୍ଷ ବିଶ୍ୱ ତାପମାତ୍ରା ଏକ ନୂଆ ରେକର୍ଡ ସ୍ତରରେ ପହଞ୍ଚିଯିବ । ଏହାକୁ ରୋକିହେବ ନାହିଁ । ଯଦି ଏହାର ଆକାର ବଡ଼ ହୁଏ, ତେବେ ୨୦୨୪ ତାପମାତ୍ରା ସବୁ ରେକର୍ଡକୁ ଭାଙ୍ଗିଦେବ ।
ଏହା ପୂର୍ବରୁ ୨୦୧୬ରେ ରେକର୍ଡ ତାପମାତ୍ରା ଅନୁଭୂତ ହୋଇଥିଲା । ଏହା ପଛରେ ମୁଖ୍ୟ କାରଣ ଥିଲା ଶକ୍ତିଶାଳୀ ଏଲ୍ ନିନୋ ।
ଆମେରିକାର ବୈଜ୍ଞାନିକଙ୍କ କହିବାନୁସାରେ ଏଲ୍ ନିନୋ ଆସିବା ପରେ ପ୍ରଥମ ମାସ ସମୁଦ୍ର ଜଳ ସ୍ୱାଭାବିକ ଠାରୁ ୦.୫ ଡିଗ୍ରୀ ଗରମ ହୋଇଥାଏ । ଏହାପରେ ଉତ୍ତାପ ବଢ଼ି ବଢ଼ି ଚାଲିଥାଏ । ଗତ ମେ ମାସରେ ତାହା ଦେଖିବାକୁ ମିଳିଛି । ଏହାର ଅର୍ଥ ଏଲ୍ ନିନୋ ତାହାର ପ୍ରଭାବ ଦେଖାଇ ସାରିଛି ବୋଲି ୟୁଏସ୍ ନ୍ୟାସନାଲ୍ ଓସନ୍ ଆଣ୍ଡ୍ ଆଟ୍ମୋସ୍ଫରିକ୍ ଆଡ୍ମିନିଷ୍ଟ୍ରେସନ୍ (ଏନ୍ଓଏଏ) ଏକ ବିବୃତିରେ କହିଛି ।
ଏନ୍ଓଏଏ ବୈଜ୍ଞାନିକ ମିସେଲ୍ ଏଲ୍’ହ୍ୟୁରକ୍ସ କହିଛନ୍ତି, ବର୍ତ୍ତମାନ ଏଲ୍ ନିନୋର ସଂକେତ ଦୁର୍ବଳ ରହିଛି । କିନ୍ତୁ ଏହାର ପ୍ରଭାବ ଘନୀଭୂତ ହେବା ନେଇ ଆମର ବିଶ୍ୱାସ । ବର୍ଷ ଶେଷ ସୁଦ୍ଧା ଏଲ୍ ନିନୋ ପ୍ରଭାବ ସ୍ୱାଭାବିକ ସ୍ତରଠାରୁ ଅଧିକ ହେବା ନେଇ ୮୪% ଆଶଙ୍କା ଥିବା ଗବେଷକମାନେ କହିଛନ୍ତି । ଏମିତି କି ଏହା ଶୀର୍ଷ ସ୍ତର ଛୁଇଁବା ବେଳେ ୨ ପାର୍ କରିଯିବା ଆଶଙ୍କା ରହିଛି, ଯାହାକୁ ‘ସୁପର୍ ଏଲ୍ ନିନୋ’ କୁହାଯିିବ । ସମଗ୍ର ବିଶ୍ୱରେ ଏହାକୁ ମାସ ମାସ ଅନୁଭବ କରାଯିବା ସମ୍ଭାବନା ରହିଛି ।
ଏଲ୍ ନିନୋ ପ୍ରଭାବରେ ଭାରତରେ ମୌସୁମୀକୁ ଏହା ଦୁର୍ବଳ କରିପକାଇବ । ମୌସୁମୀ ଦୁର୍ବଳ ହୋଇ ବର୍ଷା ପରିମାଣ କମିଲେ ଚାଷ ଉପରେ ଏହା ପ୍ରତିକୂଳ ପ୍ରଭାବ ପକାଇବ । କେତେକ ସ୍ଥାନରେ ମରୁଡ଼ି ଆଶଙ୍କାକୁ ଏଡ଼ାଇ ହେବନାହିଁ ।
wp:embed {"url":"https://www.prameya.com/weather-update-heavy-heat-wave-in-odisha-2/","type":"wp-embed","providerNameSlug":"prameya"}ଅନ୍ୟପକ୍ଷରେ ଏଲ୍ ନିନୋ ପ୍ରଭାବରେ ଆମେରିକାର କେତେକ ଦକ୍ଷିଣ ପ୍ରଦେଶରେ ପ୍ରବଳ ବୃଷ୍ଟିପାତ ହୋଇପାରେ । ଶୀତଋତୁରେ ବର୍ଷା ପରିମାଣ ବଢ଼ିବା ଦ୍ୱାରା ଲୋକଙ୍କ ଜୀବନ ଦୁର୍ବିସହ ହୋଇପଡ଼ିବ । ଏଲ୍ ନିନୋ ଆଫ୍ରିକାରେ ସାଧାରଣତଃ ମରୁଡ଼ି ସ୍ଥିତିକୁ ଅଧିକ ମଜଭୁତ କରିଥାଏ । ମୋଟାମୋଟି ଭାବେ ଏଲ୍ ନିନୋ ପ୍ରଭାବରେ ଧନଜୀବନ ହାନି ହେବା ଆଶଙ୍କା ରହିଛି ।