ଏଲି ନିନୋ! ଏ ଅଜବ ଶବ୍ଦଟି ପୁଣି କ'ଣ? ସାଧାରଣ ଲୋକଟିଏ ନିଶ୍ଚୟ ମନ ଭିତରେ ଆଧୁନିକତାର ଅଭିଧାନରୁ ଗୋଟିଏ ଭୟ ସୃଷ୍ଟି କରିସାରିଥିବ । ପୂର୍ବ ଇତିହାସ ଭଳି ଚଳିତ ବର୍ଷ ଏଲ୍ ନିନୋର ଘଟଣା ପୁଣିଥରେ ଚର୍ଚ୍ଚାରେ । ଏହା ସାରା ବିଶ୍ୱରେ ପାଣିପାଗ ବ୍ୟବସ୍ଥାକୁ ପ୍ରଭାବିତ କରୁଥିବା ସବୁଠାରୁ ପ୍ରଭାବଶାଳୀ ଜଳବାୟୁ ଘଟଣା । ତେଣୁ ଏହିବର୍ଷ ବୈଜ୍ଞାନିକ ଏବଂ ପରିବେଶବିତ୍ମାନେ ସେଥିପ୍ରତି କଡ଼ା ନଜର ରଖିଛନ୍ତି, କାରଣ ଏହା ସିଧାସଳଖ ମୌସୁମୀର ଢାଞ୍ଚା, କୃଷି, ମତ୍ସ୍ୟଚାଷ, ଜଳର ସୁରକ୍ଷା, ଜନସ୍ୱାସ୍ଥ୍ୟ ଏବଂ ଅର୍ଥନୈତିକ ସ୍ଥିରତା ଉପରେ ଗଭୀର ପ୍ରଭାବ ପକାଇବ । ଯଦିଓ ଏଲ୍ ନିନୋ ପ୍ରକୃତିର ଏକ ପୁନରାବୃତ୍ତିଶୀଳ ଜଳବାୟୁ ଘଟଣା, ଜଳବାୟୁ ପରିବର୍ତ୍ତନ ସହିତ ଏହାର ପାରସ୍ପରିକ କ୍ରିୟା, ପୁନରାବୃତ୍ତି ଏବଂ ତୀବ୍ରତାକୁ ବୃଦ୍ଧି କରିଛି । ତେଣୁ ଚଳିତ ବର୍ଷର ଏଲ୍ ନିନୋ କେବଳ ଏକ ପାଣିପାଗ ଘଟଣା ଭାବରେ ନୁହେଁ ବରଂ ସାମାଜିକ, ଅର୍ଥନୈତିକ ଏବଂ ପରିବେଶଗତ ପ୍ରଭାବ ସହିତ ଏକ ବହୁମୁଖୀ ଆହ୍ୱାନ ।

ସୂଚନାଯୋଗ୍ୟ, ଯୁକ୍ତରାଷ୍ଟ୍ର ଆମେରିକାର ଜାତୀୟ ସମୁଦ୍ର ଏବଂ ବାୟୁମଣ୍ଡଳୀୟ ପ୍ରଶାସନ ଚଳିତ ବର୍ଷର ଏଲ୍ ନିନୋକୁ ମଇରୁ ଜୁଲାଇ ମାସ ମଧ୍ୟରେ ହେବା ୮୨% ନିଶ୍ଚିତ କରିଛି । ତେବେ ଏଲ୍ ନିନୋ ଆମର କ'ଣ ବିଗାଡ଼ିବ? ସଂକ୍ଷେପରେ ବୁଝିବା ଏବେ । ଆମେ ନିଜେ ସିନା ନିଜ ବିଲବାଡ଼ିର ସରହଦ ତିଆରି କରିପାରୁଛେ କିନ୍ତୁ ବାୟୁମଣ୍ଡଳର? ନୁହେଁ ନା? କହିବା ତାତ୍ପର୍ଯ୍ୟ, ଅନ୍ୟ କେଉଁଆଡ଼େ ବାୟୁମଣ୍ଡଳର ଅବସ୍ଥା ଯଦି ବିଗିଡ଼ିଯାଏ ତେବେ ତାହାର ପ୍ରଭାବ ନିଶ୍ଚୟ ଆମ ଉପରେ ପଡ଼ିବ । ସଂକ୍ଷିପ୍ତରେ, ଏଲ୍ ନିନୋ ଏକ ବାୟୁମଣ୍ଡଳୀୟ ଘଟଣା । ଆମ ପୃଥିବୀର ସବୁଠୁଁ ବଡ଼ ମହାସାଗର ହେଉଛି ପ୍ରଶାନ୍ତ ମହାସାଗର ଏବଂ ଏହାର ଉପର ବାୟୁମଣ୍ଡଳ ଆମ ଦେଶର ଜଳବାୟୁକୁ ମଧ୍ୟ ପ୍ରଭାବ ପକାଏ । ଏହି ମହାସାଗରର ପୂର୍ବ ଭାଗରେ ଏବଂ ପଶ୍ଚିମ ଭାଗରେ ସଦା ଜଳ ତାପମାତ୍ରାର ତାରତମ୍ୟ ଥାଏ । ତାପମାତ୍ରାର ତାରତମ୍ୟ ଥିବା ଏହି ଜଳ ଉପରେ ପ୍ରବାହିତ ବାୟୁ ହିଁ କୌଣସି ବର୍ଷ ଏଲ୍ ନିନୋ ହେବ କି ନାହିଁ ନିର୍ଦ୍ଧାରଣ କରିଥାଏ । ଏହି ବାୟୁ ଚଳାଚଳ ଉପରେ ମଧ୍ୟ ଆମ ଦେଶର ଦକ୍ଷିଣ ପଶ୍ଚିମ ମୌସୁମୀ ନିର୍ଭରଶୀଳ । ଗ୍ରୀଷ୍ମଋତୁରେ ଭାରତର ସ୍ଥଳଭାଗ ଉତ୍ତପ୍ତ ଏବଂ ଅନ୍ୟପକ୍ଷରେ ଭାରତ ମହାସାଗର ଉପର ବାୟୁମଣ୍ଡଳ ଅପେକ୍ଷାକୃତ ଥଣ୍ଡା ଥାଏ । ତେଣୁ ବାୟୁମଣ୍ଡଳୀୟ ନିୟମ ଅନୁଯାୟୀ ଗରମ ଅଞ୍ଚଳରେ ବାୟୁ ଊଦ୍ଧ୍ୱର୍ମୁଖୀ ହୁଏ ତେଣୁ ସେଠାରେ ବାୟୁ ପତଳା ଥାଏ ।

ଦକ୍ଷିଣ ଭାରତ ମହାସାଗରର ଇଣ୍ଡୋନେସିଆ ନିକଟବର୍ତ୍ତୀ ଅଞ୍ଚଳରେ ଘନବାଦଲ ସମୟକ୍ରମେ ସୃଷ୍ଟି ହୋଇଥାଏ ଏବଂ ଗ୍ରୀଷ୍ମ ଯୋଗୁଁ ଭାରତ ମହାସାଗରର ଘନ ବାୟୁମଣ୍ଡଳରୁ ସ୍ଥଳଭାଗର ପତଳା ବାୟୁମଣ୍ଡଳକୁ ପ୍ରବେଶ କରିବା ହେତୁ କେରଳ ଦେଇ ଏହି ବାଦଲ ଭାରତ ମଧ୍ୟରେ ପ୍ରବେଶ କରେ । କିନ୍ତୁ ଇଣ୍ଡୋନେସିଆର ପୂର୍ବଭାଗରେ ଆଉ ଗୋଟିଏ ପ୍ରକ୍ରିୟା ମଧ୍ୟ ଚାଲୁଥାଏ ଯାହା ପ୍ରଶାନ୍ତ ମହାସାଗର ସହ ଜଡ଼ିତ । ପ୍ରଶାନ୍ତ ମହାସାଗରର ପୃଥିବୀର ବିଷୁବରେଖା ଅଞ୍ଚଳରେ ସଦା ସୂର୍ଯ୍ୟଙ୍କ ସର୍ବାଧିକ ଆଲୋକ ଓ ଉତ୍ତାପ ପାଇଥାଏ, ଯଦ୍ଦ୍ୱାରା ଏହାର ଉପର ଜଳଭାଗ ସଦା ଗରମ ଥାଏ । ପ୍ରଶାନ୍ତ ମହାସାଗରର ପୂର୍ବଭାଗ ଯାହା ଦକ୍ଷିଣ ଆମେରିକା ନିକଟତର, ସେଠାରୁ ପବନ ପୂର୍ବଦିଗକୁ ବହେ । ଏହି ପବନକୁ ପ୍ରକାରାନ୍ତରେ ‘ବଣିଜ ପବନ’ ମଧ୍ୟ କହନ୍ତି, କାରଣ ପୂର୍ବରୁ ଅନେକ ନାବିକ ଏହି ପବନ ସହାୟତାରେ ନିଜ ଜାହାଜ ନେଇ ବିଭିନ୍ନ ଦେଶକୁ ଯାତ୍ରା କରିପାରୁଥିଲେ । ଏହି ପବନ ପ୍ରଶାନ୍ତ ମହାସାଗରର ଉତ୍ତପ୍ତ ଜଳକୁ ଠେଲିଆଣି ଇଣ୍ଡୋନେସିଆ ପୂର୍ବ ପାଖରେ ଜମା କରେ, ତେଣୁ ଇଣ୍ଡୋନେସିଆର ପୂର୍ବ ଭାଗ ଗୋଟିଏ ପ୍ରକାର ଗରମ ଜଳର ଟାଙ୍କି ସଦୃଶ ହୋଇପଡେ । ଏହି ଗରମ ପାଣି ବାଷ୍ପୀଭୂତ ହୋଇ ବାଦଲ ରୂପ ନିଏ ଏବଂ ଭାରତର ଦକ୍ଷିଣ ପଶ୍ଚିମ ବାୟୁ ଆଡ଼କୁ ଟାଣିହୋଇ ଭାରତରେ ବୃଷ୍ଟିପାତ କରାଏ । ଏଲ୍ ନିନୋ ଯୋଗୁଁ ବଣିଜ ବାୟୁ ଦୁର୍ବଳ ହୋଇଥାଏ ।

ଏହାର କାରଣ ଏବେବି ଅସ୍ପଷ୍ଟ, କିନ୍ତୁ ବାୟୁମଣ୍ଡଳୀୟ ଚାପ ଏବଂ ସୂର୍ଯ୍ୟଙ୍କ ରଶ୍ମି ଓ ତାପର ତାରତମ୍ୟ ଯୋଗୁଁ ବଣିଜ ପବନ ଦୁର୍ବଳ ହେବା ଅନୁମିତ ହୁଏ । ବଣିଜ ବାୟୁ ଦୁର୍ବଳ ଯୋଗୁଁ ପ୍ରଶାନ୍ତ ମହାସାଗରର ଗରମ ପାଣି ଇଣ୍ଡାନେସିଆ ଆଡ଼କୁ ନଆସି ବିପରୀତ ଦିଗ ଅର୍ଥାତ୍ ପ୍ରଶାନ୍ତ ମହାସାଗରର ପୂର୍ବକୁ ଯାଇ ଦକ୍ଷିଣ ଆମେରିକା ପହଞ୍ଚିଯାଏ । ଯେହେତୁ ଏଲ୍ ନିନୋ ଇଣ୍ଡୋନେସିଆ ଉପରେ ସୃଷ୍ଟି ହୋଇଥିବା ବାଦଲକୁ ଭାରତର ବିପରୀତ ଦିଗକୁ ଟାଣିନିଏ । ତେଣୁ ସୃଷ୍ଟି ହୋଇଥିବା ବାଦଲ ଭାରତଠାରୁ ଦୂରେଇଯାଏ ଏବଂ ଭାରତରେ ବର୍ଷା ହୁଏନାହିଁ । ପରିଣାମରେ ସମସ୍ତ ବିପତ୍ତି ବିନା ନିମନ୍ତ୍ରଣରେ ଆସି ପହଞ୍ଚିଯାନ୍ତି । ଭାରତୀୟ ପାଣିପାଗ ବିଭାଗ ଏବଂ ଜଳବାୟୁ ବୈଜ୍ଞାନିକମାନେ ଏଲ୍ ନିନୋ ସହ ଭାରତର ପରିସ୍ଥିତିକୁ ନେଇ ଗଭୀର ବିପତ୍ତିକୁ ସୂଚେଇବାରେ ଲାଗିଲେଣି । ବର୍ଷାର ଅନିଶ୍ଚିତତା, ଅଧିକ ଗରମ ଏବଂ ମରୁଡ଼ି ଏଥିମଧ୍ୟରେ ଅନ୍ତର୍ଭୁକ୍ତ । କୃଷି ଗୁରୁତର କ୍ଷତି ସହିବ । ଯେପରିକି ଧାନ, ଡାଲି ଓ ତୈଳବୀଜ ଆଦି ଶସ୍ୟର ଗଜାମରୁଡ଼ି ହେବ । ଫଳଚାଷ ଅତ୍ୟଧିକ ତାପମାତ୍ରା ସହିପାରିବନି, ତେଣୁ ଫଳର ଗୁଣବତ୍ତା ସହ ବୃକ୍ଷର ଆୟୁଷ ମଧ୍ୟ ହ୍ରାସପାଇବ । ଅତ୍ୟଧିକ ତାପମାତ୍ରା ଯୋଗୁଁ ପଶୁଚାରାର ଉତ୍ପାଦନ ମଧ୍ୟ କମିବ, ପଶୁମାନଙ୍କ ସ୍ୱାସ୍ଥ୍ୟ ଖରାପ ହେବ ଏବଂ ଦୁଗ୍ଧ ଉତ୍ପାଦନର ବ୍ୟତିକ୍ରମ ହେବ । ଏଲ୍ ନିନୋ ପ୍ରାୟତଃ ସାରା ଭାରତରେ ବର୍ଷା, ନଦୀପ୍ରବାହ, ଜଳଭଣ୍ଡାର ଏବଂ ଭୂତଳ ଜଳ ପୁନଃଭରଣ ହ୍ରାସକରି ଗୁରୁତ୍ୱପୂର୍ଣ୍ଣ ଜଳସମ୍ପଦ ଉପରେ ଚାପ ସୃଷ୍ଟି କରିବ । ଫଳସ୍ୱରୂପ, ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳ ଉଭୟ ଜଳାଭାବକୁ ସାମ୍ନା କରିବେ । ଏଲ୍ ନିନୋର ଜନସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପଡ଼ିବ । ବର୍ଦ୍ଧିତ ତାପମାତ୍ରା, ପରିବର୍ତ୍ତିତ ଆର୍ଦ୍ରତା ସ୍ତର ଏବଂ ଜଳାଭାବ ଷ୍ଟ୍ରୋକ, ଡିହାଇଡ୍ରେସନ୍, ଥକ୍କାପଣ ଏବଂ ହୃଦରୋଗର ଆଶଙ୍କା ବଢ଼ାଇବ । କୃଷି କ୍ଷତି ଏବଂ ବର୍ଦ୍ଧିତ ଖାଦ୍ୟମୂଲ୍ୟ ମଧ୍ୟ ପୁଷ୍ଟିକର ସୁରକ୍ଷାକୁ ପ୍ରଭାବିତ କରିବ । ଏହା ସହିତ ଫସଲ ବିଫଳତା, କୃଷି ଆୟ ହ୍ରାସ, ଋଣବୋଝ ଏବଂ ଜୀବିକା ନିର୍ବାହ ବିଷୟରେ ଅନିଶ୍ଚିତତା ଚିନ୍ତା ଅନ୍ୟାନ୍ୟ ମାନସିକ ସ୍ୱାସ୍ଥ୍ୟ ସମସ୍ୟାକୁ ବଢ଼ାଇବ ।

ଏଲ୍ ନିନୋ ମତ୍ସ୍ୟସମ୍ପଦ ଏବଂ ଉପକୂଳୀୟ ଜୀବିକା ଉପରେ ଗୁରୁତର ପ୍ରଭାବ ପକାଇବ । ମତ୍ସ୍ୟଜୀବୀ ପରିବାର ସମୁଦ୍ର ଏବଂ ଅନ୍ତର୍ଦେଶୀୟ ଜଳଜ ସମ୍ପଦ ଉପରେ ନିର୍ଭରଶୀଳ ଥିବାରୁ ସେମାନଙ୍କର ଜୀବିକା ଓ ଆୟ ପ୍ରଭାବିତ ହେବ । ଏଲ୍ ନିନୋ ସମୟରେ ସମୁଦ୍ରପୃଷ୍ଠର ତାପମାତ୍ରାରେ ପରିବର୍ତ୍ତନ ଘଟିବା ଫଳରେ ମାଛମାନଙ୍କର ଗତିବିଧି, ପ୍ରଜନନ ଚକ୍ର ଓ ସାମୁଦ୍ରିକ ଉତ୍ପାଦନ କ୍ଷମତା ବଦଳିଯିବ, ଯାହା ମାଛଧରା ପରିମାଣକୁ ହ୍ରାସକରିବ ଏବଂ ଉପକୂଳୀୟ ମତ୍ସ୍ୟଜୀବୀମାନଙ୍କ ଆୟ କମାଇଦେବ । କମ୍ ବର୍ଷା ହେତୁ ପୋଖରୀ, ଜଳାଶୟ ଓ ଜଳଭଣ୍ଡାରଗୁଡ଼ିକରେ ଜଳର ଉପଲବ୍ଧତା ହ୍ରାସପାଇବ, ଯାହା ଅନ୍ତର୍ଦେଶୀୟ ମତ୍ସ୍ୟଚାଷ କାର୍ଯ୍ୟକଳାପକୁ ପ୍ରଭାବିତ କରିବ । ଏହା ସହିତ ଲବଣାକ୍ତତାର ପରିବର୍ତ୍ତନ ଓ ଜଳପ୍ରବାହ ବ୍ୟବସ୍ଥାରେ ବିକୃତି ଘଟିବା ଫଳରେ ହେନ୍ତାଳବଣ ପରିବେଶଗତ ଚାପର ସମ୍ମୁଖୀନ ହେବ । ବର୍ଷା ହ୍ରାସପାଇବା ଓ ତାପମାତ୍ରା ବୃଦ୍ଧି ଘଟିବାରୁ ଜଙ୍ଗଲ ଅଧିକ ଶୁଷ୍କ ହୋଇପଡ଼ିବ ଏବଂ ବନାଗ୍ନିର ଆଶଙ୍କା ବହୁଗୁଣ ହେବ । ଜଳାଭାବ ଯୋଗୁଁ ବନ୍ୟଜନ୍ତୁମାନଙ୍କର ଚଳପ୍ରଚଳ, ଖାଦ୍ୟ ସଂଗ୍ରହ ଏବଂ ପ୍ରାକୃତିକ ବାସସ୍ଥାନ ପ୍ରଭାବିତ ହେବ । ଏସବୁ ପ୍ରକାରାନ୍ତରେ ଜୈବ ବିବିଧତାର କ୍ଷୟ ମଧ୍ୟ ଘଟାଇବେ । ଅଣକାଠ ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭରଶୀଳ ଆଦିବାସୀ ସମୁଦାୟମାନଙ୍କର ଜୀବନ ଓ ଜୀବିକା ଉପରେ ମଧ୍ୟ ପ୍ରତିକୂଳ ପ୍ରଭାବ ପକାଇବ ।

ସର୍ବୋପରି ଏଲ୍ ନିନୋ ଦେଶର ଅର୍ଥନୀତି ଉପରେ ବିଭିନ୍ନ ପ୍ରଭାବ ପକାଇବ । ଅନିୟମିତ କିମ୍ବା କମ୍ ବର୍ଷା ହେତୁ କୃଷି ଉତ୍ପାଦନ ହ୍ରାସ ପାଇଲେ ଖାଦ୍ୟଦ୍ରବ୍ୟର ମୂଲ୍ୟ ବଢ଼ିବ । ଅତ୍ୟଧିକ ଉଷ୍ଣତା କାରଣରୁ ଶୀତଳୀକରଣ ପାଇଁ ବିଦ୍ୟୁତ ଚାହିଦା ବଢ଼ିବ, ଯାହା ବିଦ୍ୟୁତ ଯୋଗାଣ ବ୍ୟବସ୍ଥା ଓ ଶକ୍ତି ଭିତ୍ତିଭୂମି ଉପରେ ଅତିରିକ୍ତ ଚାପ ସୃଷ୍ଟି କରିବ । ପ୍ରତିକୂଳ ପାଣିପାଗ ଯୋଗୁଁ ଫସଲ ବୀମା ଦାବି ବୃଦ୍ଧିପାଇବ ଏବଂ କୃଷି ସହ ଜଡ଼ିତ ବୀମା କମ୍ପାନୀ, ବ୍ୟାଙ୍କ ଓ ଅନ୍ୟାନ୍ୟ ଆର୍ଥିକ ସଂସ୍ଥାମାନେ ଅଧିକ ଆର୍ଥିକ ବିପଦର ସାମ୍ନା କରିବେ । ଏହି ସମସ୍ତ କାରଣ ମିଶି ଦେଶର ସାମଗ୍ରିକ ଆର୍ଥିକ ସ୍ଥିରତା ଓ ବିକାଶ ଉପରେ ନକାରାତ୍ମକ ପ୍ରଭାବ ପକାଇବେ ।

ଏଲ୍ ନିନୋକୁ ସମ୍ପୂର୍ଣ୍ଣ ରୂପେ ରୋକିବା ମାନବ ପକ୍ଷରେ ସମ୍ଭବ ନୁହେଁ । ଜଳବାୟୁ ପରିବର୍ତ୍ତନ ରୋକିଲେ ପରୋକ୍ଷରେ ଏହାର ପ୍ରଭାବକୁ ଯଥେଷ୍ଟ ହ୍ରାସ କରାଯାଇପାରିବ । ଏହାର ପ୍ରଭାବକୁ ପୂର୍ବରୁ ଅନୁମାନ କରି, କ୍ଷୟକ୍ଷତିକୁ ସର୍ବନିମ୍ନ ସ୍ତରକୁ ଆଣି ଏବଂ ଏକ ଜଳବାୟୁ-ସହନଶୀଳ ବିଶ୍ୱ ଗଠନ କରିବା ହିଁ ଅଧୁନା ଆମର ସର୍ବବୃହତ ଦାୟିତ୍ୱ ।