ଜଗତସିଂହପୁର, ୧୧।୫: ଜିଲ୍ଲାରେ ଶିଶୁଙ୍କ ଅଧିକାର, ସୁରକ୍ଷା ଏକପ୍ରକାର ବିପନ୍ନ ହୋଇପଡ଼ିଛି । ପୁଣି ଜଣେ ୧୪ ବର୍ଷୀୟା ନାବାଳିକା ବାଲ୍ୟ ବିବାହର ଶିକାର ହୋଇ ଗର୍ଭବତୀ ଅଛନ୍ତି । ଗର୍ଭଯନ୍ତ୍ରଣା ହେତୁ ଆଜି ସେ ଜଗତସିଂହପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଜଗତସିଂହପୁର ପୁଲିସ ଘଟଣା ସଂକ୍ରାନ୍ତରେ ଜାଣି ପ୍ରାଥମିକ ଅନୁଧ୍ୟାନ ଚଳାଇଛି । ଉଦ୍ବେଗର ବିଷୟ, ନାବାଳିକାଙ୍କ ଘର ଠିକଣା କେନ୍ଦୁଝର ଜିଲ୍ଲା । ତେବେ ରଘୁନାଥପୁର ଥାନା ଅଞ୍ଚଳରେ ରହିବା ଭିତରେ ଜଗତସିଂହପୁର ସହରର ଜଣେ ନାବାଳକଙ୍କ ସହ ତାଙ୍କର କେହି ବିବାହ କରାଇ ଦେଇଥିବା ଚର୍ଚ୍ଚାର ପରିଧିକୁ ଆସିଛି । ୨୦୦୮ ମସିହା ଡିସେମ୍ବର ମାସ ରହିଛି ନାବାଳକଙ୍କ ଜନ୍ମ ତାରିଖ । ଅର୍ଥାତ୍ ଏବେ ବି ସେ ପ୍ରାପ୍ତ ବୟସ୍କ ହୋଇନାହାନ୍ତି । ସେହିପରି ନାବାଳିକାଙ୍କ ଜନ୍ମ ତାରିଖ ୨୦୧୨ ମସିହା ଜାନୁଆରୀ ମାସ ରହିଥିବା ଆଧାର କାର୍ଡରେ ଦର୍ଶାଯାଇଛି । ତଥାପି କିଭଳି, କେଉଁ ପରିସ୍ଥିତିରେ, କେଉଁ ସ୍ଥାନରେ ଏବଂ କାହା ତତ୍ତ୍ୱାବଧାନରେ ଉଭୟଙ୍କ ବିବାହ ସଂପନ୍ନ ହେଲା, ଅଥଚ ପ୍ରଶାସନ ଜାଣିପାରିଲା ନାହିଁ ତାହା ହିଁ ଆଶ୍ଚର୍ଯ୍ୟର ବିଷୟ ହୋଇଛି ।
ବର୍ତ୍ତମାନ ସିଡବ୍ଲୁସି(ଶିଶୁ ମଙ୍ଗଳ ସମିତି) ଏ ବାବଦରେ ଅବଗତ ହୋଇସାରିଛନ୍ତି । ସେ ଦୃଷ୍ଟିରୁ ଆଗକୁ ଏହି ଘଟଣାଟି ଆଇନଗତ ମୋଡ଼ ନେଉଛି ନା ନାହିଁ ତାହା କେବଳ ଦେଖିବାକୁ ବାକି । ଅପରପକ୍ଷେ ଦେଖିଲେ ପୂର୍ବରୁ ବି ଜିଲ୍ଲାରେ କିଛି ନାବାଳିକା ଅନ୍ତସତ୍ତ୍ୱା ରହିଥିବାର ନଜିର ଅଛି । ବାଲ୍ୟବିବାହର ପାରାଗ୍ରାଫ୍ ମଧ୍ୟ ଉପର ମୁହାଁ ରହିଥିଲା । ଯଦିଓ ନିଖୋଜ ବାଳିକା ଉଦ୍ଧାର କ୍ଷେତ୍ରରେ ପୁଲିସର ଭୂମିକା ଉଲ୍ଲେଖନୀୟ ରହିଥିଲା, ତଥାପି ଏବେ ସେଇ ପରିସ୍ଥିତି ଲାଗି ରହିଛି । ଯାହାକି ପୁଲିସ ପାଇଁ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି । ଏପଟେ ନିଖୋଜ ରହୁଥିବା ବାଳିକାଙ୍କୁ ଉଦ୍ଧାର ନିମନ୍ତେ ସରକାର ଅନେକ ଗୁଡ଼ିଏକ ପଦକ୍ଷେପ ଗ୍ରହଣ କରୁଛନ୍ତି । ବିଭିନ୍ନ ସ୍କୁଲ୍ ଓ କଲେଜରେ ଶିଶୁ ନିଖୋଜ ସଂପର୍କରେ ସଚେତନତା କାର୍ଯ୍ୟକ୍ରମ ସହ ଅଭିଭାବକଙ୍କ ମଧ୍ୟରେ ସଚେତନତା ଓ ସମନ୍ୱୟ ସ୍ଥାପନ, ଗ୍ରାମ ମାନଙ୍କରେ ପୁଲିସ, ସିଡବ୍ଲୁସି ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନଗୁଡ଼ିକ ନିରନ୍ତର ସଚେତନତା କାର୍ଯ୍ୟକ୍ରମ ଜାରି ରଖିବା ସାଙ୍ଗକୁ ନିଖୋଜ ଶିଶୁ ଓ ବାଳିକାଙ୍କୁ ଉଦ୍ଧାର ପାଇଁ ଅନ୍ୱେଷଣ, ମୁସ୍କାନ, ଅପରେସନ୍ ସ୍ମାଇଲ୍ ଅଭିଯାନ, ପ୍ରତି ଜିଲ୍ଲାରେ ସ୍ୱତନ୍ତ୍ର କିଶୋର ପୁଲିସ ୟୁନିଟ୍, ବିପଦରେ ଥିବା ମହିଳା ଓ ଶିଶୁଙ୍କୁ ତୁରନ୍ତ ସହାୟତା ନିମନ୍ତେ ଇଆରଏସ୍ଏସ୍-୧୧୨, ମହିଳା ହେଲ୍ପଲାଇନ୍-୧୮୧ ଏବଂ ଚାଇଲ୍ଡ ହେଲ୍ପଲାଇନ୍ ନମ୍ବର ୧୦୯୮ ଭଳି ଜରୁରିକାଳୀନ ସେବା ବ୍ୟବସ୍ଥାକୁ ସରକାର କାର୍ଯ୍ୟକାରୀ କରାଇଛନ୍ତି । ଶିଶୁ ସୁରକ୍ଷା ୟୁନିଟ୍ ଓ ସିଡବ୍ଲୁସି ମଧ୍ୟ କାର୍ଯ୍ୟ କରୁଛନ୍ତି । ଏହାସତ୍ତ୍ୱେ ବାଲ୍ୟବିବାହ ଏବଂ ୧୪ ବର୍ଷୀୟା ନାବାଳିକା ଗର୍ଭବତୀ ହେବା ସରକାରୀ ବ୍ୟବସ୍ଥା ପ୍ରତି ବିଦ୍ରୁପ କରିଛି ।
ଏପଟେ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରରେ ଆଦଭିକା କାର୍ଯ୍ୟକ୍ରମ ମାଧ୍ୟମରେ କିଶୋରୀ ତଥା ନାବାଳିକାଙ୍କୁ ସଚେତନ କରାଯାଉଛି । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ହୋର୍ଡ଼ିଂ ଜରିଆରେ ଶିଶୁ ସୁରକ୍ଷା ସମ୍ବନ୍ଧରେ ଜନସାଧାରଣଙ୍କୁ ଅବଗତ କରାଉଛନ୍ତି । ଉଭୟ ବ୍ଲକ ଓ ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷା କମିଟି (ବିଏଲସିପିସି/ପିଏଲସିପିସି) ଗଢାଯାଇଛି । ଉକ୍ତ କମିଟି ନିଜ ନିଜ ଅଞ୍ଚଳରେ ବାଲ୍ୟ ବିବାହକୁ ରୋକିବା ସହ ଶିଶୁଙ୍କ କ୍ଷେତ୍ରରେ ଉପୁଜୁଥିବା ସମସ୍ୟାକୁ ପ୍ରଶାସନର ନଜରକୁ ଆଣିବେ । ଗ୍ରାମାଞ୍ଚଳ ସ୍ତରରେ ଆଶାକର୍ମୀଙ୍କ ଏଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବା ସହ ଡିସିପିଓଙ୍କ ଅଧୀନରେ ଚାଇଲ୍ଡ ହେଲ୍ପ ଲାଇନ୍ ଏବଂ ଡିଏସଡବ୍ଲୁଓଙ୍କ ଅଧୀନରେ ମହିଳା ହେଲ୍ପ ଲାଇନ କାର୍ଯ୍ୟକାରୀ କରାଯାଇଛି । ସିଡିପିଓମାନେ ମଧ୍ୟ ଏ ଦିଗ ଉପରେ କାର୍ଯ୍ୟ କରିବାର ନିୟମ ରହିଛି । ପ୍ରଶାସନ ପକ୍ଷରୁ ‘ଶିଶୁ ପାଇଁ ଦିନଟିଏ’ ବୈଠକ କରାଯାଉଛି । ତଥାପି ବ୍ୟବସ୍ଥାରେ ପୁଳା ପୁଳା ଛିଦ୍ର ଥିବା ବାରି ହୋଇପଡ଼ୁଛି ।
ତିର୍ତ୍ତୋଲରେ ଆଉ ଜଣେ ନାବାଳିକା ଅନ୍ତସତ୍ତ୍ୱା, ଶୋଇପଡ଼ିଛି କି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ?
୧୪ ବର୍ଷୀୟା ନାବାଳିକା ଗର୍ଭବତୀ ରହିବା ଏବଂ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ସନ୍ତାନ ପ୍ରସବ କରିବା ଘଟଣାକୁ ସ୍ୱୀକାର କରିଛନ୍ତି ସିଡବ୍ଲୁସି ଅଧ୍ୟକ୍ଷା ଶୁଭଶ୍ରୀ ପାଇଟାଳ । ଜଗତସିଂହପୁର ଏସଡିପିଓ ଓ ଚାଇଲ୍ଡ ଲାଇନକୁ ଜଣାଇ ଦିଆଯାଇଛି । ଚାଇଲ୍ଡ ଲାଇନ୍ ପକ୍ଷରୁ ଜଗତସିଂହପୁର ଥାନାକୁ ଲିଖିତ ଦରଖାସ୍ତ ମଧ୍ୟ କରାଯାଇଛି । ପୁଲିସ ରିପୋର୍ଟକୁ ଅପେକ୍ଷା ସହ ଆସନ୍ତାକାଲି ସିଡବ୍ଲୁସି ପକ୍ଷରୁ ଏଦିଗରେ ପ୍ରାଥମିକ ଅନୁସନ୍ଧାନ କରାଯିବ ବୋଲି କହିଛନ୍ତି ଅଧ୍ୟକ୍ଷା ଶୁଭଶ୍ରୀ ପାଇଟାଳ । କେବଳ ଏହି ୧୪ ବର୍ଷୀୟା ନାବାଳିକା ନୁହନ୍ତି କିଛି ଦିନ ତଳେ ତିର୍ତ୍ତୋଲ ଥାନା ଅଞ୍ଚଳର ଜଣେ ୧୭ ବର୍ଷୀୟା ନାବାଳିକା ଗର୍ଭବତୀ ଥିବା ଜଣାପଡ଼ିଥିଲା । ସମ୍ଭବତଃ ପୀଡ଼ିତାଙ୍କ ପରିବାର ପକ୍ଷରୁ ଏତଲା ହେବା ପରେ ସ୍ଥାନୀୟ ପୁଲିସ ଅନ୍ତସତ୍ତ୍ୱା ନାବାଳିକାଙ୍କୁ ଉଦ୍ଧାର କରି ସିଡବ୍ଲୁସି ସମ୍ମୁଖରେ ପହଞ୍ଚାଇଥିଲେ । ଉକ୍ତ ଘଟଣାରେ ବାପା, ମା’ ପୀଡ଼ିତାଙ୍କ ଗର୍ଭ ରଖିବାକୁ ଚାହୁଁ ନାହାନ୍ତି । ସେ ଦୃଷ୍ଟିରୁ ଏ ସମ୍ବନ୍ଧୀୟ ବିଭିନ୍ନ ଆଇନଗତ ଦିଗ ଉପରେ ସମୀକ୍ଷା ସହ ବର୍ତ୍ତମାନ ନାବାଳିକାର ସୁରକ୍ଷା ପ୍ରତି ଅଧିକ ଗୁରୁତ୍ୱ ଦିଆଯାଉଥିବା କହିଛନ୍ତି ସିଡବ୍ଲୁସି ଅଧ୍ୟକ୍ଷା । ଲଗାତାର ଭାବେ ପୁଣି ଦୁଇ ନାବାଳିକା ଗର୍ଭବତୀ ହେବା ଉଦ୍ବେଗର ବିଷୟ ହୋଇଛି ।
ଜଗତସିଂହପୁର ଅଞ୍ଚଳର ଜଣେ ୧୭ ବର୍ଷୀୟା ନାବାଳିକା କୌଣସି କାରଣରୁ ଘରଠାରୁ ଦୂରେଇ ଯାଇଥିଲେ । ଏବଂ ସହର ଭିତରେ ଘର ଭଡ଼ା ନେଇ ରହିଥିଲେ । ନାବାଳିକା ଏକୁଟିଆ ରହୁଥିବା ଜାଣି ଜଣେ ଯୁବକ ତାଙ୍କ ପ୍ରତି ବଳାତ୍କାର ଉଦ୍ୟମ କରିଥିଲେ । ପୁଲିସ ଅବଶ୍ୟ ଅଭିଯୁକ୍ତକୁ ଗିରଫ କରିଥିଲେ । ଏଣେ କିନ୍ତୁ ନାବାଳିକା ଘରକୁ ଫେରିବା ବଦଳରେ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ଭଲ ପାଉଥିବା ଦର୍ଶାଇ ତାଙ୍କ ଘରକୁ ଯିବାକୁ ଜିଦ୍ କରିଥିଲେ । ହେଲେ ସିଡବ୍ଲୁସିଙ୍କ ନିର୍ଦ୍ଦେଶକ୍ରମେ ସଂପୃକ୍ତା ନାବାଳିକାଙ୍କୁ ସଖି କେନ୍ଦ୍ରରେ ଅବସ୍ଥାପିତ ସହ କାଉନ୍ସେଲିଂ କରାଯାଉଥିବା ନେଇ ସିଡବ୍ଲୁସି ଅଧ୍ୟକ୍ଷା ସ୍ୱୀକାର କରିଛନ୍ତି । ଅନୁରୂପ ଏକ ଘଟଣା ପାରାଦୀପ ଲକ୍ ଥାନା ଅଞ୍ଚଳରେ ଘଟିଯାଇଛି । ୧୭ ବର୍ଷୀୟା ଏହି ନାବାଳିକା ମା’ ଛେଉଣ୍ଡ । ହଠାତ୍ ନାବାଳିକା ନିଜର ନାବାଳକ ପ୍ରେମିକ ଘରକୁ ପଳାଇ ଆସିଥିଲେ । ଖବର ପାଇ ଚାଇଲ୍ଡ ଲାଇନ୍ ନାବାଳିକାଙ୍କୁ ଉଦ୍ଧାର କରିଥିଲେ । ଏବେ ନାବାଳିକାଙ୍କୁ ସ୍ଥାନୀୟ ଶ୍ରୀଲୋକନାଥ ଶିକ୍ଷାଶ୍ରମରେ ଥଇଥାନ କରାଯାଇଛି । ସେହିପରି ନାଉଗାଁ ଥାନା ଅଞ୍ଚଳର ଜଣେ ୧୭ ବର୍ଷୀୟା ନାବାଳିକା ଘର ହଠାତ୍ ନିଖୋଜ ହୋଇଯାଇଥିଲେ । ପରବର୍ତ୍ତୀ ସମୟରେ ପୁଲିସ ଉଦ୍ଧାର କରିଥିଲେ । ହେଲେ ନାବାଳିକାଙ୍କୁ ଆଉ ଘରକୁ ନେବାକୁ ରାଜି ହୋଇନଥିଲେ ପରିବାର ଲୋକ ।
ଫଳରେ ସିଡବ୍ଲୁସିଙ୍କ ନିର୍ଦ୍ଦେଶରେ ଉଦ୍ଧାର ନାବାଳିକାଙ୍କୁ ସଖି କେନ୍ଦ୍ରରେ କିଛି ଦିନ ରଖାଯାଇଥିଲା । ବର୍ତ୍ତମାନ ସଂପୃକ୍ତା ନାବାଳିକାଙ୍କୁ ଜଗତସିଂହପୁର ଶିଶୁ ଆଶ୍ରମରେ ଥଇଥାନ କରାଯାଇଛି । ଏସବୁ ଘଟଣା ଉପରେ ଅନୁଧ୍ୟାନ ଚାଲିଥିବା ସିଡବ୍ଲୁସି ଅଧ୍ୟକ୍ଷା ଶୁଭଶ୍ରୀ ପାଇଟାଳ ସ୍ୱୀକାର କରିଛନ୍ତି । ଆଶ୍ଚର୍ଯ୍ୟ, ଏତେସବୁ ଘଟଣା ନିରବଚ୍ଛିନ୍ନ ଭାବେ ସୃଷ୍ଟି ହେଉଥିବା ବେଳେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ପ୍ରକୃତରେ କାହା ସ୍ୱାର୍ଥ ପୂରଣ ପାଇଁ କାର୍ଯ୍ୟ କରୁଛି ତା’ର ଉଚ୍ଚ ସ୍ତରୀୟ ତଦନ୍ତ ଅପରିହାର୍ଯ୍ୟ ହୋଇପଡ଼ିଛି । ଏଣେ ମୁଖ୍ୟ ଡାକ୍ତରଖାନାରେ ସଂପୃକ୍ତା ୧୪ ବର୍ଷୀୟା ନାବାଳିକା ଏକ ସନ୍ତନାକୁ ଜନ୍ମ ଦେଇଥିବା ବେଳେ ଘଟଣା ବାବଦରେ ଜାଣିବାକୁ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ସୁଦ୍ଧା ଏଡିଏମଓ(ମେଡିକାଲ) ଡା. ସରୋଜ ଜେନା ଫୋନ୍ ଉଠାଇ ନଥିଲେ ।
ଆହୁରି ପଢ଼ନ୍ତୁ... Shocking News : ଝିଅ ବିବାହ ଦିନ ଚାଲିଗଲା ବାପାଙ୍କ ଜୀବନ, ଲୁହରେ ଭିଜିଲା କନିଆଁ ଘର