ପାରାଦ୍ଵୀପ,୧୩।୬; କୁଜଙ୍ଗ ଥାନା ଅନ୍ତର୍ଗତ ଆଲିଗଡ ଗ୍ରାମରେ ଏକ ନକଲି ଜର୍ଦ୍ଦା ତିଆରି କାରଖାନା ଠାବ କରାଯାଇଛି। ଏହି କାରଖାନା ରୁ ବିପୁଳ ପରିମାଣର ଜର୍ଦ୍ଦା ଜବତ କରାଯିବା ସହିତ କାରଖାନା ର ମାଲିକ ସମେତ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।
ଜଗତସିଂହପୁର ଏସପି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିବା ସହିତ ମୁଖ୍ୟ ଅଭିଯୁକ୍ତ ତଥା କାରଖାନାର ମାଲିକ ସୁବାସ ସ୍ବାଇଁ ନିଜ ଘର ନିକଟରେ ଏକ ଗୋଦାମ କରିଥିଲେ। ଯେଉଁଥିରେ ନକଲି ଗୁଟକା ଓ ଗୋପାଳ ଜର୍ଦ୍ଦା ପ୍ରସ୍ତୁତ କରାଯାଇ ବଜାରକୁ ଛଡା ଯାଉଥିଲା। ଏ ସମ୍ପର୍କରେ ପୋଲିସକୁ ସୂଚନା ମିଳିବା ପରେ ତିର୍ତ୍ତୋଲ ଏସଡିପିଓ ଓ କୁଜଙ୍ଗ ଆଇଆଇସି ଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ଟିମ୍ ଚଢାଉ କରି ୩୬୦ କିଲୋ ନକଲି ଜର୍ଦ୍ଦା ଓ ୬୬୦ କିଲୋ ଜର୍ଦ୍ଦା ତିଆରି ସାମଗ୍ରୀ ଜବତ କରିଥିଲେ। ଏଥିସହିତ ଏହି କାରଖାନା ରେ ୬ ଟି ଜର୍ଦ୍ଦା ଓ ଗୁଟକା ତିଆରି ମେସିନ୍, ବିପୁଳ ପରିମାଣର ବିଭିନ୍ନ ବ୍ରାଣ୍ଡ କମ୍ପାନୀ ର ଖୋଳ ଓ ଷ୍ଟିକର ମଧ୍ୟ ଜବତ କରାଯାଇଛି। ସେହିପରି ସେଠାରେ ଥିବା ନଗଦ ୧ ଲକ୍ଷ ଟଙ୍କା ଓ ଏକ କାର କୁ ମଧ୍ୟ ପୋଲିସ ଜବତ କରିଛି। ଏହି ଘଟଣାରେ କାରଖାନା ର ମ୍ୟାନେଜର ଭାବେ କାର୍ଯ୍ୟ କରୁଥିବା ବିଜୟ ମୁଦୁଲି କୁ ମଧ୍ୟ ଗିରଫ କରାଯାଇଛି। ଏମାନେ ଏଠାରେ ନକଲି ଗୁଟକା ଓ ଜର୍ଦ୍ଦା ପ୍ରସ୍ତୁତ କରି ଅସଲି ଖୋଳରେ ପ୍ୟାକିଂ କରି ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ଦୋକାନ ଓ ହୋଲସେଲ ଦୋକାନ ରେ ବିକ୍ରୟ କରିଥାନ୍ତି। ଏହି ଘଟଣାର ତଦନ୍ତ ଏବେବି ଚାଲିଛି। ଏହି ଘଟଣାରେ ଆଉ କେଉଁମାନେ ସାମିଲ ଅଛନ୍ତି ଓ ଏମାନେ ଅନ୍ୟ କେଉଁ ଜିଲ୍ଲା କୁ ସପ୍ଲାଏ କରନ୍ତି ତାହାର ତଦନ୍ତ ଜାରି ରହିଥିବା ଏସପି ପ୍ରକାଶ କରିଛନ୍ତି।