ନୂଆଦିଲ୍ଲୀ ୧୫/୦୫; ଏକ ନୂଆ ଅଧ୍ୟୟନରୁ ଜଣାପଡ଼ିଛି, ଏଲ୍-ନିନୋ ଘଟଣା ବିଶ୍ୱରେ ହିଂସାତ୍ମକ ସଂଘର୍ଷ ଓ ଯୁଦ୍ଧର ବିପଦ ବଢ଼ାଏ । ବୈଜ୍ଞାନିକମାନେ ୧୯୫୦ରୁ ୨୦୨୩ ଯାଏ ସଂଘଟିତ ୫୫୫ ସଶସ୍ତ୍ର ସଂଘର୍ଷକୁ ବିଶ୍ଳେଷଣ କରି ଜାଣିବାକୁ ପାଇଲେ, ଯେତେବେଳେ ଏଲ୍-ନିନୋ ସକ୍ରିୟ ହୁଏ, ହିଂସାର ଆଶଙ୍କା ବଢ଼ିଯାଏ । ଏହି ଅଧ୍ୟୟନ ଜଳବାୟୁ ପରିବର୍ତ୍ତନ ଓ ସଂଘର୍ଷ ମଧ୍ୟରେ ବଢୁଥିବା ସମ୍ପର୍କକୁ ଆହୁରି ଦୃଢ଼ ଭାବେ ପ୍ରମାଣିତ କରେ ।

ପ୍ରଶାନ୍ତ ମହାସାଗରର ଉଷ୍ଣ ପର୍ଯ୍ୟାୟକୁ ଏଲ୍-ନିନୋ କୁହାଯାଏ । ଏହା ପ୍ରତି ୩-୭ ବର୍ଷରେ ଆସେ । ବିଶ୍ୱର ଅନେକ ସ୍ଥାନରେ ଏହା ଜଳବାୟୁକୁ ପୂରା ବଦଳାଇ ଦିଏ । କିଛି ସ୍ଥାନରେ ଭୀଷଣ ବର୍ଷା ହୁଏ । କିଛି ସ୍ଥାନରେ ଭୟଙ୍କର ମରୁଡ଼ି ପଡ଼େ । ଅଧ୍ୟୟନରୁ ଜଣାପଡ଼ିଛି, ଏଲ୍-ନିନୋ ଯୋଗୁ ଯେଉଁଠି ମରୁଡ଼ି ଆସେ ଯଥା- ମଧ୍ୟ ଆମେରିକା ଓ ଦକ୍ଷିଣ ଆମେରିକାରେ, ସେଠାରେ ହିଂସାତ୍ମକ ସଂଘର୍ଷର ବିପଦ ଅଧିକ ବଢ଼ିଯାଏ ।

ଅଧ୍ୟୟନକର୍ତ୍ତା ୭୩ ବର୍ଷର ୫୫୫ ସଶସ୍ତ୍ର ସଂଘର୍ଷକୁ ଗଭୀର ଭାବେ ବିଶ୍ଳେଷଣ କଲେ । ଏଲ୍-ନିନୋ ସମୟରେ ମରୁଡ଼ି ପଡ଼ିଥିବା କ୍ଷେତ୍ରରେ ଯୁଦ୍ଧ ଓ ହିଂସା ଘଟଣା ବଢ଼ିଯାଏ । ଏଲ୍-ନିନୋ ଓ ସଂଘର୍ଷ ମଧ୍ୟରେ ସମ୍ପର୍କକୁ ଦର୍ଶାଉଥିବା ଏହା ପ୍ରଥମ ଅଧ୍ୟୟନ ନୁହେଁ, କିନ୍ତୁ ଏହା ଏପର୍ଯ୍ୟନ୍ତର ସବୁଠୁ ବିସ୍ତୃତ ଅଧ୍ୟୟନ । ଅଧ୍ୟୟନରେ ଇଣ୍ଡିଆନ ଓସନ୍ ଡାଇପୋଲ (ଯାହାକୁ ବେଳେବେଳେ ଇଣ୍ଡିଆନ ନିନୋ ମଧ୍ୟ କୁହାଯାଏ) କଥା ମଧ୍ୟ ଉଲ୍ଲେଖ ହୋଇଛି । ଏହା ଭାରତ ମହାସାଗରରେ ଘଟୁଥିବା ଘଟଣା ଯାହା ଏସିଆ ଓ ଆଫ୍ରିକାର କିଛି କ୍ଷେତ୍ରରେ ବର୍ଷା ଓ ଭୟଙ୍କର ମରୁଡ଼ି ଆଣେ । ଅତ୍ୟଧିକ ବର୍ଷା ବା ମରୁଡ଼ି ଦକ୍ଷିଣ-ପୂର୍ବ ଏସିଆ ଓ ଆଫ୍ରିକାର ହର୍ନ ଅଫ୍ ଆଫ୍ରିକା କ୍ଷେତ୍ରରେ ସଂଘର୍ଷର ଆଶଙ୍କା ବଢ଼ାଇଥାଏ ।

ଅଧିକ ପଢ଼ନ୍ତୁ :-  Fuel Crisis : ପର୍ଯ୍ୟାପ୍ତ ନୁହେଁ ସାଧାରଣ ପରିବହନ ବ୍ୟବସ୍ଥା, କେମିତି ଚାଲିବ ଜୀବନଜୀବିକା ? ଘରୁ ଗାଡ଼ି ନକାଢିଲେ ରୋଜଗାର ଆସିବ କେଉଁଠୁ ?

ରାଇସ ବିଶ୍ୱବିଦ୍ୟାଳୟର ଜଳବାୟୁ ବୈଜ୍ଞାନିକ ସିଲ୍ଭିୟା ଡି କହିଛନ୍ତି, ଭାରତ ମହାସାଗର ଡାଇପୋଲ ଖୁବ୍ ଦ୍ରୁତ ବେଗରେ ବଦଳିପାରେ । ଏହା ଦ୍ୱାରା ଜଳବାୟୁରେ ହଠାତ୍ ପରିବର୍ତ୍ତନର ସ୍ଥିତି ଉପୁଜେ । ଏହା ପୂର୍ବରୁ ହିଁ ଦୁର୍ବଳ କ୍ଷେତ୍ରରେ ଅରାଜକତା ଓ ହିଂସା ବଢ଼ିବାର ଆଶଙ୍କା ଥାଏ । ପ୍ରୋସିଡିଂସ ଅଫ୍ ଦ ନ୍ୟାସନାଲ ଏକାଡେମୀ ଅଫ୍ ସାଇନ୍ସେଜ୍ ପତ୍ରିକାରେ ଅଧ୍ୟୟନଟି ପ୍ରକାଶ ପାଇଛି ।

ଅଧ୍ୟୟନକର୍ତ୍ତାଙ୍କ ଅନୁସାରେ, ଏହା ଦ୍ୱାରା ସରକାର ଓ ମାନବୀୟ ସହାୟତା ସଂଗଠନ ବୁଝିପାରିବେ ଯେ କେତେବେଳେ ଓ କେଉଁଠି ଜଳବାୟୁ ସଙ୍କଟ ସଂଘର୍ଷକୁ ବଢ଼ାଇପାରେ । ଏହି ଗ୍ରୀଷ୍ମ ଋତୁରେ ଆଉ ଏକ ଏଲ୍-ନିନୋ ଆସିବ, ଯାହା ବିଗତ ଅନେକ ଦଶନ୍ଧିରେ ସବୁଠୁ ଶକ୍ତିଶାଳୀ ହୋଇପାରେ । ଏହା ହେଲେ, ମରୁଡ଼ି, ଖାଦ୍ୟାଭାବ ଓ ଜଳ ସଙ୍କଟ ଯୋଗୁ ଅନେକ ଦୁର୍ବଳ ଦେଶରେ ହିଂସା ବଢ଼ିବାର ଆଶଙ୍କା ରହିଛି । ଜଳବାୟୁ ପରିବର୍ତ୍ତନ ଏବେ କେବଳ ପରିବେଶ ସମସ୍ୟା ହୋଇ ନାହିଁ, ବରଂ ସାମାଜିକ ଅସ୍ଥିରତା, ଖାଦ୍ୟାଭାବ ଓ ହିଂସାତ୍ମକ ସଂଘର୍ଷକୁ ମଧ୍ୟ ଜନ୍ମ ଦେଉଛି ବୋଲି ଅଧ୍ୟୟନ ପୁଣି ଥରେ ପ୍ରମାଣ କରିଛି । ଏଲ୍-ନିନୋ ଓ ଇଣ୍ଡିଆନ ଓସନ୍ ଡାଇପୋଲ ଭଳି ଘଟଣା ବିଶ୍ୱର ଦୁର୍ବଳ କ୍ଷେତ୍ରରେ ଶାନ୍ତି ପାଇଁ ଆହ୍ୱାନ ହୋଇଛି ।