PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ସ୍ମାର୍ଟସିଟିର ବିପଜ୍ଜନକ ଡ୍ରେନେଜ୍‌ ବ୍ୟବସ୍ଥା: ଡ୍ରେନ୍‌ରେ ଭାସିଗଲେ ବୃଦ୍ଧା

ଭୁବନେଶ୍ୱର,୨୬/୦୭: ପୁଣି ରାଜଧାନୀରେ ମୁକୁଳା ଡ୍ରେନ୍‌ ନେଲା ଜୀବନ । ଆଜି ସନ୍ଧ୍ୟାରେ ଲଗାଣ ବର୍ଷା ବେଳେ ମୁକୁଳା ଡ୍ରେନ୍‌ରେ ଭାସିଯାଇ ଜଣେ ଗରିବ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି । ଏହି ଘଟଣା ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ବେପରୱା ମନୋଭାବକୁ ପଦାରେ ପକାଇଛି । ଆଉ ସ୍ମାର୍ଟସିଟିର ବିପଦଜନକ ଡ୍ରେନେଜ୍‌ ବ୍ୟବସ୍ଥା ଉପରକୁ ଅଙ୍ଗୁଳି ଉଠାଇଛି ।

ଗୁରୁବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ଟା । ବର୍ଷା ଚାଲିଥିଲା । ସ୍ୱାମୀଙ୍କ ସହ କଣ୍ଟ୍ରୋଲରୁ ଚାଉଳ ନେଇ ଘରକୁ ଫେରୁଥିଲେ ସାଲିଆ ସାହିର ଟି. ଆପଲାମା (୬୭) । ମଝି ବାଟରେ ପଡି଼ଥିଲା ନିର୍ମାଣଧୀନ ମୁକୁଳା ଡ୍ରେନ୍‌ । ଏଇ ଡ୍ରେନ୍‌ ସୁଅ ଟାଣିନେଲା ଆପଲାମାଙ୍କୁ । ଆଖି ପିଛୁଳାକେ ଭାସିଗଲେ ସେ । ଦେଢ଼ ଘଣ୍ଟା ପରେ ଉଦ୍ଧାର ହେଲା ବେଳକୁ ଆଉ ଜୀବନ ନଥିଲା । ମୁକୁଳା ଡ୍ରେନ୍‌ ଏଭଳି ଭାବେ ରାଜଧାନୀରେ ଆଜି ଆଉ ଗୋଟିଏ ଜୀବନ ନେଇଯାଇଛି । ୨୧ ନମ୍ବର ୱାର୍ଡ ଅଧୀନ ସାଲିଆ ସାହିର ଏକାମ୍ର ଭିଲ୍ଲା ରାସ୍ତାରେ କାମ ଚାଲିଥିବା ଡ୍ରେନ୍‌ରେ ଭାସି ଯାଇ ତାଙ୍କର ମୃତ୍ୟୁ ଘଟିଛି ।

ଘଟଣାଟି ଏମିତି । ଟି. ଆପଲାମା ତାଙ୍କ ସ୍ୱାମୀ ଟି. ମାଧିଆ ଓ ପୁଅ ଟି ସତ୍ୟନାରାୟଣ ଓ ଦୁଇ ଝିଅଙ୍କ ସହ ସାଲିଆ ସାହି ଆଦିବାସୀ ଗାଁରେ ରହୁଥିଲେ । ଆଜି ଅପରାହ୍ଣରେ ରାସନକାର୍ଡ ଧରି ଚାଉଳ ଆଣିବାକୁ କଣ୍ଟ୍ରୋଲ ଡିଲର ପାଖକୁ ଯାଇଥିଲେ । ପ୍ରାୟ ୨ ଘଣ୍ଟା ଅପେକ୍ଷା କରିବା ପରେ ତାଙ୍କୁ ଚାଉଳ ମିଳିଥିଲା । ଆକାଶରେ କଳାହାଣ୍ଡିଆ ମେଘ ଘୋଟାଇବା ଦେଖି ପୁଅ ହାତରେ ଚାଉଳ ଦେଇ ଘରକୁ ପଠାଇ ଦେଇଥିଲେ । ରାତିରେ ରାନ୍ଧିବା ପାଇଁ ଛକ ଦୋକାନରୁ କିଛି ଗ୍ରୋସରୀ କିଣିଥିଲେ । ବର୍ଷାକୁ ଖାତିର୍‌ ନ କରି ସ୍ୱାମୀଙ୍କ ସହ ଚାଲି ଚାଲି ଘରକୁ ଫେରୁଥିଲେ । ଘରେ ପହଞ୍ଚିଥିଲେ ରାତି ପାଇଁ ରୋଷେଇ କରିଥାନ୍ତେ ।
କିନ୍ତୁ ଏକ୍ରାମଭିଲ୍ଲା ରାସ୍ତାରେ ନିର୍ମାଣଧୀନ ଥିବା ୪ ନମ୍ବର ପ୍ରାକୃତିକ ଡ୍ରେନ୍‌ ପାର ହେବା ବେଳେ ବର୍ଷା ପାଣିରେ ମୁକୁଳା ଡ୍ରେନ୍‌ ଜଣାପଡିନଥିଲା ।

ସେ ଡ୍ରେନରେ ଖସି ପଡିଥିଲେ । ପାଣିର ସୁଅ ପ୍ରଖର ଥିବାରୁ ଡ୍ରେନ୍‌ ଭିତରେ ଭାସି ଯାଇଥିଲେ ଟି. ଆପଲାମା । ସ୍ୱାମୀ ଚେଷ୍ଟା କରି ବି ତାଙ୍କୁ ରକ୍ଷା କରିପାରିନଥିଲେ । ପାଟି କରି ସେ ଲୋକଙ୍କୁ ଡାକିଥିଲେ । ବର୍ଷାରେ କିଛି ଲୋକ ଧାଇଁ ଆସିଥିଲେ ବି ଡ୍ରେନ୍‌ ଭିତରେ ପଶି ଖୋଜିବାକୁ ସାହାସ କରିନଥିଲେ । କିଛି ସମୟ ପରେ ଅଗ୍ନିଶମ ଟିମ୍‌ ଆସି ସେଠାରେ ପହଞ୍ଚିଥିଲା । ବୃଦ୍ଧାଜଣକ ଦୂରକୁ ଭାସିଯାଇଥିବା ସନ୍ଦେହ କରି ଅଗ୍ନିଶମ ଟିମ୍‌ କିଛି ଦୂରକୁ ଯାଇ ତାଙ୍କୁ ଖୋଜାଖୋଜି କରିଥିଲା । ଟି. ଆପଲାମା ଯେଉଁ ଜାଗାରେ ଖସିପଡିଥିଲେ, ସେଠୁ କିଛି ଦୂରରେ ନୂଆ କରି ପଡିଥିବା ସ୍ଲାବରେ ତାଙ୍କ ଲୁଗା ଲାଗିଥିବା ଦେଖି ପୁଅ ଟି. ସତ୍ୟନାରାୟଣ ଡ୍ରେନ୍‌ ଭିତରେ ପଶିଥିଲା । ଭିତରେ ପଶିବା ପରେ ସ୍ଲାବ୍‌ର ଗୋଟିଏ କଡ଼ରେ ତାଙ୍କ ମା’ ଟି. ଆପଲାମା ଲାଖିଥିବା ସେ ଦେଖିବାକୁ ପାଇଥିଲେ । ଏହାପରେ ତାଙ୍କୁ ଟାଣି ବାହାରକୁ ଅଣାଯାଇଥିଲା । କିନ୍ତୁ ସେତେବେଳକୁ ପ୍ରାୟ ଦେଢ଼ ଘଣ୍ଟା ବିତିଯାଇଥିଲା । ଆଉ ଟି. ଆପଲାମାଙ୍କ ଦେହରେ ଜୀବନ ନଥିଲା ।

ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ବିଏମ୍‌ସିର ଏଭଳି ଖାମଖିଆଲି ଓ ବେପରୁୱା କାମକୁ ଦାୟୀ କରି ରାସ୍ତାକୁ ଓହ୍ଲାଇଥିଲେ । ମୃତଦେହକୁ ଜୟଦେବବିହାର-ଏକାମ୍ରକାନନ ରାସ୍ତାରେ ରଖି ଅବରୋଧ କରିଥିଲେ । ଅଭିଯୋଗ ବାଢ଼ିଥିଲେ, ଏହି ଡ୍ରେନ୍‌ଟି ବର୍ଷେ କି ଦୁଇବର୍ଷ ନୁହେଁ, ୮-୧୦ ବର୍ଷ ହେଲା ଏ ଅଞ୍ଚଳର ସମସ୍ୟା ପାଲଟିଛି । ଦୀର୍ଘ ୩ ମାସ ଧରି ଡ୍ରେନ୍‌ ଉପରେ ଚାଲିଥିବା କଲଭର୍ଟ କାମ ସରୁନଥିଲା । ଗଲା ୧୫ ଦିନ ହେଲା ରାସ୍ତାରେ କଭର ସ୍ଲାବ ପଡିଥିଲେ ହେଁ, ରାସ୍ତାକୁ ସମତୁଲ କରାଯାଇନଥିଲା । ସେଇ ଅଧାପନ୍ତରିଆ ଭାବେ ପଡିଥିବା ମୁକୁଳା ଡ୍ରେନ୍‌ ଦେଇ ସବୁଦିନ ଲୋକମାନେ ବାଧ୍ୟରେ ଯାତାୟତ କରୁଥିଲେ ।

ଉତ୍ତ୍ୟକ୍ତ ଲୋକ ଏହି ଡ୍ରେନ୍‌ କାମ ତୁରନ୍ତ ସାରିବାକୁ ଦାବି କରିଥିଲେ । ଏହାସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ମଧ୍ୟ ଜିଦ୍‌ ଧରିଥିଲେ । ନୂଆପଲ୍ଲୀ ଥାନା ପୁଲିସ ସେମାନଙ୍କୁ ବୁଝାଇ ରାସ୍ତାରୁ ହଟାଇବାରେ ଫେଲ୍‌ ମାରିଥିଲା । ଏକାମ୍ର ଛକରେ ଉତ୍ତେଜନା ବଢ଼ିଥିଲା । କମିଶନର ସତ୍ୟଜିତ୍‌ ମହାନ୍ତି ଓ ଡିସିପି ଅନୁପ ସାହୁ ପହଞ୍ଚି ପରିସ୍ଥିତି ସମ୍ଭାଳିଥିଲେ । ଘଟଣାସ୍ଥଳରେ ଉତ୍ତର ଭୁବନେଶ୍ୱର ବିଧାୟକ ସୁଶାନ୍ତ ରାଉତ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ । ମୃତକଙ୍କ ପରିବାର ଲୋକଙ୍କୁ ଏକ ଲକ୍ଷ ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ।ଦୀର୍ଘ ସାଢ଼େ ୧୦ଟା ବେଳକୁ ରାସ୍ତା ଉପରୁ ହଟିଥିଲେ ଉତ୍ତ୍ୟକ୍ତ ଲୋକେ । ପରେ ଟି. ଆପଲାମାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା ।
ଏମିତି ଏକ ଅଭାବନୀୟ ଘଟଣା ପୁଣି ଥରେ ବିଏମ୍‌ସିର ହୁଗୁଳା ଡ୍ରେନେଜ୍‌ ବ୍ୟବସ୍ଥାକୁ ଅଙ୍ଗୁଳି ଉଠାଇଛି । ସ୍ୱରେଜ ବିଭାଗ ଓ ବିଏମ୍‌ସିର ଦାୟିତ୍ୱହୀନତା ପୁଣି ଜଣେ ନିରୀହର ଜୀବନ ନେଇଛି । ଡ୍ରେନ୍‌ରେ ଭାସି ଜୀବନ ହରାଇଥିବା ମୃତକଙ୍କ ପରିବାରକୁ ୧ଲକ୍ଷ ଟଙ୍କାର ତତ୍କାଳ ସହାୟତା ରାଶି ଘୋଷଣା କରିଛନ୍ତି ରାଜ୍ୟ ସରକାର । ସେପଟେ ଘଟଣାସ୍ଥଳରେ ନିର୍ମାଣ ଚଳାଇଥିବା ଠିକାଦାର ସହ ସ୍ୱରେଜ ବିଭାଗ ଓ ବିଏମ୍‌ସି ପରସ୍ପର ମଧ୍ୟରେ ଦୋଷ ଲଦାଲଦି ଆରମ୍ଭ କରି ସାରିଲେଣି ।