ପାଟନା: ନିର୍ବାଚନ କମିଶନ ମଙ୍ଗଳବାର ଜନସୁରାଜ ପାର୍ଟିର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋରଙ୍କୁ ନୋଟିସ ଜାରି କରିଛନ୍ତି । କାହିଁକି ତାଙ୍କ ନାଁରେ ଦୁଇଟି ଭୋଟର ପରିଚୟପତ୍ର ରହିଛି ସେନେଇ ୩ ଦିନ ମଧ୍ୟରେ ଜବାବ ଦେବାକୁ କହିଛନ୍ତି ନିର୍ବାଚନ କମିଶନ । ବିହାର ଏବଂ ପଶ୍ଚିମବଙ୍ଗର ଭୋଟର ତାଲିକାରେ ପ୍ରଶାନ୍ତ କିଶୋରଙ୍କ ନାମ ରହିଛି । ସୋମବାର ନିର୍ବାଚନ କମିଶନ ୧୪ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଭୋଟର ତାଲିକାର ଏସଆଇଆର (ସ୍ବତନ୍ତ୍ର ବ୍ୟାପକ ସଂଶୋଧନ) ଲାଗୁ ହେବ ବୋଲି ଘୋଷଣା କରିଥିଲେ । ଏହି ତାଲିକାରେ ପଶ୍ଚିମବଙ୍ଗର ନାଁ ଥିଲା । ତେବେ ଆଜିଠୁ ଦ୍ବିତୀୟ ପର୍ଯ୍ୟାୟ ଏସଆଇଆର ଆରମ୍ଭ ହୋଇଛି । ଏହା ପୂର୍ବରୁ ବିହାରରେ ଏସଆଇଆର ଲାଗୁ ହୋଇଥିଲା । 

ସେପଟେ ବିହାର ନିର୍ବାଚନକୁ ନେଇ ସାରା ଦେଶରେ ଚର୍ଚ୍ଚା ଲାଗି ରହିଛି । ଏହାରି ମଧ୍ୟରେ, ମହାମଣ୍ଟେ ଆଜି ନିଜର ନିର୍ବାଚନୀ ଇସ୍ତାହାର ଘୋଷଣା କରିଛି । ଏହି ସମୟରେ ଆରଜେଡି ନେତା ତେଜସ୍ବୀ ଯାଦବ କହିଛନ୍ତି, ‘ଆମେ ଆମର ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରିଛୁ ।କିନ୍ତୁ ଏନଡିଏ ଏପର୍ଯ୍ୟନ୍ତ ନିଜର ମୁଖ୍ୟମନ୍ତ୍ରୀ ଚେହେରା ସଂପର୍କରେ ଘୋଷଣା କରିନାହିଁ ।’ ଏନଡିଏ ନିଜର ନିର୍ବାଚନୀ ଇସ୍ତାହାର ଅକ୍ଟୋବର ୩୦ରେ ପ୍ରକାଶ କରିବ ।

ଦୁଇଟି ପର୍ଯ୍ୟାୟରେ ହେବାକୁ ଥିବା ବିହାର ନିର୍ବାଚନ ପୂର୍ବରୁ ରାଜନୈତିକ ଦଳ ଜୋରଦାର ପ୍ରଚାର କରୁଛନ୍ତି । କଂଗ୍ରେସ ନେତା ରାହୁଲ ଏବଂ ପ୍ରିୟଙ୍କା ଗାନ୍ଧୀ  ବୁଧବାର ପାଖରୁ ନିର୍ବାଚନୀ ପ୍ରଚାରରେ ସାମିଲ ହେବ । ରାହୁଲ ଗାନ୍ଧୀ ମୁଜାଫରପୁର ଏବଂ ଦରଭଙ୍ଗା ରାଲି କରିବାକୁ ଥିବା ବେଳେ ପ୍ରିୟଙ୍କା ବେଗୁସରାଇ ଜିଲ୍ଲାର ବଛାଓ୍ବାଡ଼ାରେ ରାଲି କରିବେ ।

ମହାମେଣ୍ଟର ନେତାମାନେ ବିହାର ବିଧାନସଭା ନିର୍ବାଚନ ପାଇଁ  ଇସ୍ତାହାର ପ୍ରକାଶ କରିଛନ୍ତି। "ବିହାରର ତେଜସ୍ୱୀ ପ୍ରତିଜ୍ଞା" ଶୀର୍ଷକ ଏହି ଇସ୍ତାହାରରେ ତେଜସ୍ୱୀଙ୍କ ୨୦ଟି ପ୍ରତିଶ୍ରୁତି ରହିଛି। ସବୁଠାରୁ ବଡ଼ ଘୋଷଣା ହେଉଛି, ୨୦ ମାସ ମଧ୍ୟରେ ପ୍ରତ୍ୟେକ ପରିବାରର ଜଣେ ସଦସ୍ୟଙ୍କୁ ସରକାରୀ ଚାକିରି ଯୋଗାଇ ଦିଆଯିବ ।  ୨୦ ଦିନ ମଧ୍ୟରେ ଏଥିପାଇଁ ଏକ ଆଇନ ପାସ୍ କରାଯିବ।