ପୁରୀ, ୧୬/୦୭: ବଡ଼ଦେଉଳ  ଭିତରେ ଦତ୍ତ ମହାପାତ୍ର-କମାଣ୍ଡର  ମୁହାଁମୁହିଁ । ବନକଲାଗି ଚାଲିଥିବା ବେଳେ ଶ୍ରୀଜଗନ୍ନାଥ ମନ୍ଦିର କମାଣ୍ଡର ଓ ପୂର୍ବତନ ନୀତି ପ୍ରଶାସକ ବଡ଼ଦେଉଳ ଭିତରକୁ  ଆସିବାକୁ ବିରୋଧ କରି ଏହି ତୁମୁଳକାଣ୍ଡ  ଘଟିଛି । ବନକଲାଗି ମହାପ୍ରଭୁଙ୍କ ଗୁପ୍ତ ନୀତି  ହୋଇଥିବାରୁ ପ୍ରାଶାସନିକ ଅଧିକାରୀଙ୍କୁ ବିରୋଧ କରିଥିଲେ ପାଳିଆ ଦତ୍ତ ସେବକ ରଶ୍ମିରଞ୍ଜନ ଦତ୍ତ ମହାପାତ୍ର । ଉଭୟ ପକ୍ଷ ମଧ୍ୟରେ ପ୍ରଥମେ ଯୁକ୍ତିତର୍କ ଓ ପରେ  ଠେଲାପେଲା ହୋଇଥିଲା । ଘଟଣାରେ  ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବିଶୃଙ୍ଖଳା ସୃଷ୍ଟି  କରିଥିବା ଅଭିଯୋଗରେ ରଶ୍ମିରଞ୍ଜନଙ୍କୁ  ସେବାରୁ ନିଲମ୍ବନ କରାଯାଇଛି ।  ଅନ୍ୟପଟେ ଏନେଇ ଶ୍ରୀମନ୍ଦିର ପ୍ରଶାସନ  ପକ୍ଷରୁ ସିଂହଦ୍ୱାର ଥାନାରେ ଏନେଇ  ଏତଲା ମଧ୍ୟ ଦିଆଯାଇଛି ।

ଅଧିକ ପଢ଼ନ୍ତୁ :-  Rath Security: ଘୋଷଯାତ୍ରା ପାଇଁ ପୁରୀରେ ପୁଲିସ ଛାଉଣି; ୧୯ ଜଣ ଆଇପିଏସ୍‌, ୧୩ ହଜାର ପୁଲିସ ନିୟୋଜିତ, ଜଗିଛନ୍ତି NSG କମାଣ୍ଡୋ

ଶ୍ରୀମନ୍ଦିର ପ୍ରଶାସନ ପ୍ରେସ୍‌  ବାର୍ତ୍ତାରେ ଜଣାଇଛି ଯେ ଶ୍ରୀମନ୍ଦିରରେ  ନୀତି ସମ୍ପାଦନରେ ଶୃଙ୍ଖଳା ରକ୍ଷା ପ୍ରତି  ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ସର୍ବଦା ସର୍ବୋଚ୍ଚ ଗୁରୁତ୍ୱ ଦେଇଆସୁଛି । ବୁଧବାର ଉଭାପର୍ବରେ ନୀତିକାନ୍ତି ପାଳନ ସମୟରେ ଦତ୍ତ ମହାପାତ୍ର ସେବାୟତ ରଶ୍ମିରଞ୍ଜନ  ଦତ୍ତ ମହାପାତ୍ର ବିଶୃଙ୍ଖଳ ଆଚରଣ  ପ୍ରଦର୍ଶନ କରିଥିଲେ । ଏଥିପାଇଁ ଶ୍ରୀମନ୍ଦିର କମାଣ୍ଡରଙ୍କ ରିପୋର୍ଟ ଆଧାରରେ ମୁଖ୍ୟ ପ୍ରଶାସକ ସଂପୃକ୍ତ ସେବାୟତଙ୍କୁ ଅନ୍ୟାଦେଶ ପର୍ଯ୍ୟନ୍ତ ଶ୍ରୀମନ୍ଦିର ସେବାରୁ  ନିଲମ୍ବନ କରିଛନ୍ତି । ସେହିପରି ରଥଯାତ୍ରା  ନିମନ୍ତେ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି  ସମୟାନୁବତ୍ତିର୍ତା, ଶୃଙ୍ଖଳା ଏବଂ  ଭକ୍ତିଭାବର ସହ ସମ୍ପାଦିତ ହୋଇଚାଲିବ  ବୋଲି ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି ।

ସୂଚନା ଥାଉକି, ମଙ୍ଗଳବାର ରାତି  ପ୍ରାୟ ସାଢ଼େ ୪ଟାରେ ଦତ୍ତ ମହାପାତ୍ର  ବନକଲାଗି ନିମନ୍ତେ ବଡ଼ଦେଉଳରେ  ପ୍ରବେଶ କରିଥିଲେ । ବନକଲାଗି  ସାରି ସକାଳ ୯ଟାରେ ବାହାରିଥିଲେ ।  ପରେ ମହାପ୍ରଭୁଙ୍କ ମଙ୍ଗଳଆଳତି  ଓ ଅନ୍ୟାନ୍ୟ ନୀତି ହୋଇଥିଲା ।