PTI ଦଳର ଅଧ୍ୟକ୍ଷ ପଦରୁ ବିଦାହେବେ ଇମ୍ରାନ ଖାନ, ଦାମୀ ଉପହାର ସବୁ ବିକ୍ରିକରି ଚଳୁ କରିଥିଲେ କୋଟି କୋଟି ଟଙ୍କା

ଇସଲାମାବାଦ ୦୬/ ୧୨ : ପ୍ରଥମେ ପ୍ରଧାନମନ୍ତ୍ରୀ ପଦ ଗଲା ଆଉ ଏବେ ଦଳୀୟ ମୁଖିଆ ପଦବୀ ବି ଯିବ । ଇମ୍ରାନ ଖାନଙ୍କ ପିଛା ଛାଡୁନି ବିବାଦ । ଗୋଟିଏ ପରେ ଗୋଟିଏ ମାମଲାରେ ଛନ୍ଦି ହେଉଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହରିକ୍-ଇ-ଇନସାଫ (ପିଟିଆଇ) ଦଳର ମୁଖ୍ୟ ଇମ୍ରାନ ଖାନ । ଏବେ ଇମ୍ରାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ପାକିସ୍ତାନ ନିର୍ବାଚନ କମିଶନର ।
ତୋସାଖାନା (ପାକିସ୍ତାନର ଟ୍ରେଜେରୀ) ହେରଫେର୍ ମାମଲାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସଂପୃକ୍ତି ଆସିବା ପରେ ନିର୍ବାଚନ କମିଶନ କାର୍ଯ୍ୟାନୁଷ୍ଠାନ ନେବେ । ଇମ୍ରାନଙ୍କ ନାଁ ରେ ଅଭିଯୋଗ ଥିଲା ଯେ, ତାଙ୍କୁ ଦେଶ ବିଦେଶକୁ ମିଳୁଥିବା ଦାମୀ ଉପହାର ଗୁଡିକୁ ବିକ୍ରି କରିଦେଉଥିଲେ । ନିଜର ବ୍ୟକ୍ତିଗତ ସ୍ବାର୍ଥ ଏବଂ ଲାଭ ପାଇବା ପାଇଁ ସେ ଏଭଳି କରିଥିବା ତଦନ୍ତ ବେଳେ ଜଣାପଡିଥିଲା । ନିର୍ବାଚନ କମିଶନଙ୍କ ନିକଟରେ ଇମ୍ରାନ ମିଥ୍ୟା ତଥ୍ୟ ଏବଂ ଭୁଲ ଘୋଷଣାପତ୍ର ଦେଇଥିବା ତଦନ୍ତରୁ ଜଣାପଡିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅନୁମାନ କରାଯାଉଥିଲା । ଆଉ ଏବେ ତାହା ହିଁ ହୋଇଛି ।
ପାକିସ୍ତାନର ନିୟମ ଅନୁଯାୟୀ, ବିଦେଶରୁ ମିଳୁଥିବା ଉପହାର କିମ୍ବା ଯେକୌଣସି ଦାମୀ ଜିନିଷ ତୋସାଖାନା ବା ଟ୍ରେଜେରୀରେ ଜମା କରିବା କଥା । ମୂଲ୍ୟାୟନ ପାଇଁ ଏଭଳି କରାଯିବାର ନିୟମ ରହିଛି । କେବଳ ନେତା ନୁହେଁ କୌଣସି ଅଧିକାରୀଙ୍କୁ ମଧ୍ୟ ଯଦି ଏଭଳି କିଛି ମିଳୁଛି ତେବେ ତାହାର ପୂର୍ଣ୍ଣ ତଥ୍ୟ ପ୍ରଦାନ କରିବାକୁ ସେମାନେ ବାଧ୍ୟ । କିନ୍ତୁ ଇମ୍ରାନ ଖାନ ତାହା ନକରି ମାତ୍ର କିଛି ଉପହାରର ତଥ୍ୟ ପ୍ରଦାନ କରିଥିଲେ ଏବଂ ବଡ ଧରଣର ହେରଫେର୍ କରିଥିଲେ । ଯାହା ପରବର୍ତ୍ତୀ ସମୟରେ ଜଣାପଡିବା ପରେ ଇମ୍ରାନ ଖାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ଅନୁମାନ କରାଯାଉଛି । ଏଥିପାଇଁ ନିର୍ବାଚନ କମିଶନର ପ୍ରକ୍ରିୟା ମଧ୍ୟ ଆରମ୍ଭ କରିଦେଇଛନ୍ତି ।