ନୂଆଦିଲ୍ଲୀ,୧୯/୦୪: ନିର୍ବାଚନ  ପ୍ରଚାର ଲାଗି କଣ୍ଟେଣ୍ଟ ପ୍ରସ୍ତୁତ କରିବାରେ  ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ(ଏଆଇ)ର  ଭୂମିକା କ୍ରମଶଃ ବଢ଼ୁଛି । ଏହାକୁ ଦୃଷ୍ଟିରେ  ରଖି ନିର୍ବାଚନ କମିଶନ (ଇସି) ଏହାର  ଦୁରୂପଯୋଗ ଉପରେ ରୋକ ଲଗାଇବା  ତଥା ସକାରାତ୍ମକ ବ୍ୟବହାରକୁ ପ୍ରୋତ୍ସାହନ  ଲାଗି ଗାଇଡ୍‌ଲାଇନ୍ସ (ମାର୍ଗଦର୍ଶିକା) ପ୍ରସ୍ତୁତ  କରୁଛନ୍ତି । ଆସନ୍ତା କିଛି ସପ୍ତାହ ମଧ୍ୟରେ ଏଥିନେଇ ବ୍ୟାପକ ଗାଇଡ୍‌ଲାଇନ୍‌ ଜାରି ହୋଇପାରେ । ଆଗକୁ ହେବାକୁ ଥିବା ବିହାର  ବିଧାନସଭା ନିର୍ବାଚନରେ ଏହାର ଉପଯୋଗ  ଦେଖିବାକୁ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ଏହାକୁ ଡିଜିଟାଲ ଯୁଗରେ ନିର୍ବାଚନରେ  ପାରଦର୍ଶିତା, ନିରପେକ୍ଷତା ଓ ମତଦାତାଙ୍କ  ଅଧିକାରର ରକ୍ଷା ଲାଗି ଏକ ଗୁରୁତ୍ୱପୂର୍ଣ୍ଣ  ପଦକ୍ଷେପ ଭାବେ ମନେ କରାଯାଉଛି ।  

ଇସିଙ୍କର ସୂତ୍ର ମୁତାବକ, ପ୍ରସ୍ତାବିତ  ଗାଇଡ୍‌ଲାଇନରେ ରାଜନୈତିକ ଦଳ, ମିଡିଆ  ସଂସ୍ଥା ଓ ସୋସିଆଲ୍‌ ମିଡିଆ ପ୍ଲାଟଫର୍ମ୍‌ଗୁଡିକ  ପାଇଁ ଏଆଇ ଜେନେରେଟେଡ୍‌ କଣ୍ଟେଣ୍ଟ  ନେଇ ସ୍ପଷ୍ଟ ଭାବେ ଖୁଲାସା କରିବା ଅନିବାର୍ଯ୍ୟ  ହେବ । ବିଶେଷକରି ଡିପଫେକ୍‌ ଓ ଜାଲ୍‌  ଭିଡିଓ/ଅଡିଓ ନେଇ ପାରଦର୍ଶିତା ସୁନିଶ୍ଚିତ  କରିବାକୁ କଡା଼ ପ୍ରାବଧାନ ସ୍ଥିର କରାଯିବ ।  ଭୋଟରମାନଙ୍କୁ ଭ୍ରମିତ କରିବା କିମ୍ବା  ସେମାନଙ୍କ ପସନ୍ଦକୁ ପ୍ରଭାବିତ କରିବା ଲାଗି  ଯେପରି ଏଆଇର ବ୍ୟବହାର ନ ହେବ ତାହା  ସୁନିଶ୍ଚିତ କରିବା ଗାଇଡଲାଇନ୍‌ର ଉଦ୍ଦେଶ୍ୟ ।  

ଆୟୋଗ ଅନୁସାରେ, ଏଆଇ ଗଣତାନ୍ତ୍ରିକ  ପ୍ରକ୍ରିୟାରେ ସହାୟକ ହୋଇପାରେ ।  କିନ୍ତୁ ଏହାର ଆଳରେ ଗୋପନୀୟତା ଓ  ନିରପେକ୍ଷତା ସହ ବୁଝାମଣା କରାଯିବା  ଅନୁଚିତ୍‌ । ଡିପଫେକ୍‌ ଜରିଆରେ ଅସଲି  ଭଳି ଲାଗୁଥିବା ସିନ୍ଥେଟିକ୍‌ କଣ୍ଟେଣ୍ଟ ପ୍ରସ୍ତୁତ  କରିହେବ । କିନ୍ତୁ ସେହି କଣ୍ଟେଣ୍ଟ ଡିପଫେକ୍‌  ବୋଲି ଦର୍ଶାଇବାକୁ ପଡି଼ବ । ବିରୋଧୀମାନଙ୍କୁ  ପରିହାସ କରୁଥିବା ଭ୍ରାମକ ଭିଡିଓ ଉପରେ  ବ୍ୟାନ୍‌ ଲାଗିପାରେ । ନିର୍ବାଚନୀ ରାଲିରେ  ସାମିଲ ଲୋକଙ୍କର ହାବଭାବ ଓ ପ୍ରତିକ୍ରିୟାର  ବିଶ୍ଳେଷଣ କରି ପ୍ରଚାର ରଣନୀତି ବନାଇବାକୁ  ଅନୁମତି ମିଳିବ । କିନ୍ତୁ ବିରୋଧୀ ଦଳର  ରାଲିରେ ଉପସ୍ଥିତ ଲୋକଙ୍କୁ ଚିହ୍ନଟ କରି  ସେମାନଙ୍କୁ ଟାର୍ଗେଟ୍‌ କରାଯିବା ଉପରେ  ରୋକ ରହିବ । ନିର୍ବାଚନୀ ପ୍ରଚାରରେ ଡାଟା  ଆନାଲିଟିକ୍ସ ଉପରେ ବି ନଜର ରଖାଯିବ ।