ପାଟଣାଗଡ଼,୧୯/୧୨ : ବଲାଙ୍ଗିର ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବିଦ୍ୟୁତ ତାର ଚୋରି କରି କଣ୍ଟାବାଞ୍ଜିର ଏକ ଆଲୁମିନିୟମ ଫ୍ୟାକ୍ଟ୍ରିରେ ବିକ୍ରି କରିଥିବା ୭ ଜଣ ଅଭିଯୁକ୍ତ ଓ ଉକ୍ତ ଚୋରି ତାର କିଣିଥିବା ଫ୍ୟାକ୍ଟ୍ରିର ମାଲିକ ଗିରଫ । ଏହାସହ ଆଲୁମିନିୟମ ଚୋରି ତାରରେ ପ୍ରସ୍ତୁତ କରାଯାଇଥିବା ବିଭିନ୍ନ ସାମଗ୍ରୀକୁ ଖପ୍ରାଖୋଲ ପୁଲିସ ଜବତ କରିଛି । ଏ ନେଇ ଶୁକ୍ରବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ସଦାନନ୍ଦ ପୁଝାରୀ ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତମାନେ ହେଲେ କଣ୍ଟାବାଞ୍ଜିର ଅଶୋକ ମଲ୍ଲିକ(୩୧), ନୃପ ବଗର୍ତ୍ତୀ(୨୫), ପ୍ରଶାନ୍ତ ବଗର୍ତ୍ତୀ(୨୭), ମୁକେଶ ନାଏକ (୨୬), ବେଲପଡା ଥାନା ବିଛୁବାହାଳି ଗ୍ରାମର ରୋହିତ କୁମ୍ଭାର(୨୩), ଭରତ କୁମ୍ଭାର(୨୪), ଉଡିଙ୍ଗ ଗ୍ରାମର ସଞ୍ଜୟ ତାଣ୍ଡି (୨୬)ଙ୍କ ସହ କଣ୍ଟାବାଞ୍ଜି ଆମପଡାରେ ଥିବା ଆଲୁମିନିୟମ ଫ୍ୟାକ୍ଟ୍ରିର ମାଲିକ ପ୍ରକାଶ ବେହେରା (୨୮)।

ଏଥିସହ ଚୋରି ବିଦ୍ୟୁତ ତାରକୁ ବିକ୍ରି ପରେ ଉକ୍ତ ତାରରେ ଫ୍ୟାକ୍ଟ୍ରିରେ ପ୍ରସ୍ତୁତ କରାଯାଇଥିବା ବିଭିନ୍ନ ଆଲୁମିନିୟମ ସାମଗ୍ରୀ, ଗୋଟିଏ ବଣ୍ଡଲ ୧୧କେଭି ବିଦ୍ୟୁତ ତାର, ସ୍କୃ ଡ୍ରାଇଭର, ଆରି କଟର, ରେଞ୍ଚି ପାନା, ନଗଦ ୧୫୮୫୦ ଟଙ୍କା, ବ୍ୟବହୃତ ବିଭିନ୍ନ କମ୍ପାନୀର ୮ଟି ମୋବାଇଲ, ୩ଟି ବାଇକ, ଗୋଟିଏ ଟାଟାଏସିକୁ ଜବତ କରାଯାଇଛି ।

ପ୍ରକାଶ ଯେ, ଏହି ଅଭିଯୁକ୍ତମାନେ ବିଗତ ଦିନମାନଙ୍କରେ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୧୧କେଭି ବୁଦ୍ୟୁତ ତାରକୁ ବିଭିନ୍ନ ଉପାୟରେ ଚୋରି କରି କଣ୍ଟାବାଞ୍ଜିର ଆଲୁମିନିୟମ୍ ଫ୍ୟାକ୍ଟ୍ରିରେ ବିକ୍ରି କରି ଆସୁଥିଲେ । ଏ ନେଇ ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କ ନାମରେ ବେଲପଡ଼ା, ଲରମ୍ଭା, ଖପ୍ରାଖୋଲ, ସିନ୍ଧେକେଳା ଆଦି ଥାନା ଗୁଡ଼ିକରେ ୧୦ଟି ମାମଲା ରହିଛି । ବିଦ୍ୟୁତ ତାର ଚୋରି ନେଇ ଜଣେ ଚାଷୀ ଚଳିତ ମାସ ୪ତାରିଖରେ ଖପ୍ରାଖୋଲ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ଖପ୍ରାଖୋଲ ପୁଲିସ କେଶ ନଂ ୨୭୭ରେ ଏକ ମାମଲା ରୁଜୁ କରିଥିଲା । ଏହାପରେ ବଲାଙ୍ଗିର ଏସପି ଅଭିଳାଷଜିଙ୍କ ନିର୍ଦ୍ଦେଶକ୍ରମେ ଏସଡ଼ିପିଓ ସଦାନନ୍ଦ ପୁଝାରୀଙ୍କ ତତ୍ତ୍ବାବଧାନରେ ଖପ୍ରାଖୋଲ ଥାନାଧିକାରୀ ନରେନ୍ଦ୍ର ଛତରଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇ ଏହାର ତଦନ୍ତ ପରେ ବିଭିନ୍ନ ସ୍ଥାନରୁ ଉକ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି ।