ରାଜଗାଙ୍ଗପୁର, ୪/୯ : ଟ୍ରେନ୍ ଧକ୍କାରେ ଗଜରାଜ ଗୁରୁତର। ରାଜଗାଙ୍ଗପୁର ନିକଟସ୍ଥ ସୋନାଖାନ ଓ ସାଗରା ରେଳ ଷ୍ଟେସନ ମଝିରେ ଗୁରୁବାର ଭୋର୍ ସମୟରେ ଟ୍ରେନ୍ ଧକ୍କାରେ ଏକ ହାତୀ ଗୁରୁତର ଆହତ ହୋଇଛି। ହାତୀଟି ଟ୍ରେନ୍ ଟ୍ରାକ୍‌ରେ ପଡ଼ିରହିଥିବାରୁ ରାଉରକେଲା ଓ ଝାରସୁଗୁଡ଼ା ମଧ୍ୟରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। 

ସୂଚନାନୁଯାୟୀ, ଗୁରୁବାର ଭୋର୍ ସମୟରେ ଡାଉନ ଟ୍ରାକରେ ଗରିବ ରଥ ଟ୍ରେନ୍ ଝାରସୁଗୁଡାରୁ ରାଉରକେଲା ପଟକୁ ଯାଉଥିଲା। ପ୍ରାୟ ସାଢେ ୫ଟାରେ ରାଜଗାଙ୍ଗପୁର ନିକଟସ୍ଥ ସୋନାଖାନ ଓ ସାଗରା ରେଳ ଷ୍ଟେସନ ମଝିରେ ଏକ ହାତୀ ରେଳ ଧାରଣା ପାର୍ କରୁଥିବା ବେଳେ ଟ୍ରେନ୍‌ଟି ହାତୀଟିକୁ ଧକ୍କା ଦେଇଥିଲା। ଫଳରେ ହାତୀଟି ଗୁରୁତର ଅବସ୍ଥାରେ ରେଳ ଧାରଣାରେ ପଡ଼ି ରହିଥିଲା। ଖବର ପାଇ ରେଳବାଇ ସୁରକ୍ଷା ଅଧିକାରୀଙ୍କ ସହ ରାଉରକେଲା DFO, ରାଜଗାଙ୍ଗପୁର ରେଞ୍ଜ ଅଧିକାରୀ ସହ ଏକ ଡାକ୍ତରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ହାତୀର ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ କରି ଚିକିତ୍ସା ଜାରି ରଖିଛନ୍ତି । ଘଟଣା ଯୋଗୁ ଟ୍ରେନ୍ ଟ୍ରାକରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି।