ତେଲକୋଇ, ୨୨/୯ : କେନ୍ଦୁଝର ବନଖଣ୍ଡ ତେଲକୋଇ ରେଞ୍ଜରେ ହାତୀ ଅସୁରକ୍ଷିତ। ବିମଳା ଫରେଷ୍ଟ ସେକ୍ସନ ଅଧିନ ରାଣିବଡ଼ା ସଂରକ୍ଷିତ ଜଙ୍ଗଲର କୁଡବିଲ ଗ୍ରାମ କାଉବସା ନଦୀ ନିକଟରୁ ମାଈ ହାତୀର ଗଳିତ ମୃତଦେହ ଉଦ୍ଧାର। ମୃତ ହାତୀଟିର ବୟସ ୮ ରୁ ୧୦ ବର୍ଷ ଭିତରେ ହୋଇଥିବ ବୋଲି ବନ ବିଭାଗ ଅନୁମାନ କରୁଛି। ହାତୀଟିର ୪ ରୁ ୫ ଦିନ ତଳେ ମୃତ୍ୟୁ ହୋଇଥାଇପାରେ ବୋଲି କୁହାଯାଉଛି।
ଏତେ ଦିନ ହେଲା ବନ ବିଭାଗ ପାଖରେ ହାତୀ ମୃତ୍ୟୁକୁ ନେଇ କୌଣସି ଖବର ନଥିବା ବିମଳା ସେକ୍ସନ ବନ କର୍ମଚାରୀଙ୍କ ଦାୟିତ୍ଵହୀନତାକୁ ପଦାରେ ପକାଇଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳର ପଶୁ ପ୍ରେମୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଅନ୍ୟପଟେ ତେଲକୋଇ ରେଞ୍ଜରେ ଗଜରାଜ ଅସୁରକ୍ଷିତ ହୋଇ ପଡିଥିବା ଅଭିଯୋଗ ହୋଇଛି। ହାତୀଙ୍କୁ ନିରୀକ୍ଷଣ ପାଇଁ ପାଦ ଚଲା ଟ୍ରାକିଂ ନିୟମ ରହିଥିବା ବେଳେ ବିମଳା ସେକ୍ସନରେ ଏହାର ବ୍ୟତିକ୍ରମ ଘଟିଥିବା ଏହି ଘଟଣାରୁ ସ୍ପଷ୍ଟ ହୋଇଛି। ଖବର ପାଇ ତେଲକୋଇ ବନାଞ୍ଚଳ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛି।