ନଦୀ ପାର ହୋଇ ଗାଁ ପାଖରେ ଡେରା ପକାଇଲେ ହାତୀ ପଲ, ଘଣ୍ଟ ବଜାଇ ଘଉଡାଇଲେ ଗ୍ରାମବାସୀ

ଭଂଜନଗର,୪/୧୨(ଆପ୍ର) ସକାଳୁ ସକାଳୁ ଗାଁ ନିକଟରେ ଚକ୍କର ମାରିଲେ ୧୮ ଟି ବଣୁଆ ହାତୀ । ସ୍ଥାନୀୟ ଲୋକେ ଭୟଭୀତ ହେବା ସହ ଘଣ୍ଟ ବଜାଇ ହାତୀପଲକୁ ଘଉଡାଉଥିବାର ଦେଖିବାକୁ ମିଳିଥିଲା । ଗଂଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡର ମୁଜାଗଡ ବନାଞ୍ଚଳ ଅନ୍ତର୍ଗତ କୁଲାଡ – ତାରାସିଙ୍ଗି ରାସ୍ତାରେ ଏହା ଦେଖିବାକୁ ମିଳିଥିଲା ।
ଉଲୁଦନ ଗାଁ ନିକଟ ସ୍ଥାନୀୟ ବଡ ନଦୀ ପାର ହୋଇ ଗାଁ ନିକଟ ଜଙ୍ଗଲରେ ଡେରା ପକାଇଥିଲେ ହାତୀପଲ । ଦଳରେ ରହିଥିବା ଛୁଆ ହାତୀ କୁ ସୁରକ୍ଷା ଦେବା ପାଇଁ ହାତୀପଲ ସହ ଦନ୍ତା ହାତୀ ଉଗ୍ର ହୋଇପଡ଼ିଥିବା ଦେଖିବାକୁ ମିଳିଥିଲା । ଘଟଣା ସ୍ଥଳରେ ସ୍ଥାନୀୟ ବନବିଭାଗ କର୍ମଚାରୀ ମାନେ ପହଞ୍ଚି ଲୋକଙ୍କୁ ସତର୍କ କରାଇବା ସହ ହାତୀଙ୍କ ସୁରକ୍ଷା ପାଇଁ ସତର୍କ ନଜର ରଖିଥିବା ଜଣାପଡିଛି ।

ଗତ ଦୁଇମାସ ଧରି ଉତ୍ତର ଘୁମୁସର ବନଖଣ୍ଡ ର ତାରାସିଙ୍ଗି ବନାଞ୍ଚଳରେ ୬୦ ହାତୀ ଭାଗ ଭାଗ ହୋଇ ବିଭିନ୍ନ ଜଙ୍ଗଲ ତଥା ଜଙ୍ଗଲ ପାଖ ଗ୍ରାମାଞ୍ଚଳରେ ଚକ୍କର ମାରୁଛନ୍ତି । ପୂର୍ବରୁ ସଞ୍ଜ ନଇଁଲେ ହାତୀ ପଲ ଜଙ୍ଗଲ ରୁ ବାହାରି ଗାଁ ମୁହାଁ ହେଉଥିଲେ। ହେଲେ ଏବେ ଅଧିକାଂଶ ସମୟରେ ସକାଳେ ଏବଂ ସନ୍ଧ୍ୟାରେ ହାତୀପଲ ଧାନ କ୍ଷେତ ଏବଂ ଗାଁ ଆଖପାଖ ଅଞ୍ଚଳରେ ଘୁରି ବୁଲୁଛନ୍ତି । ଚାଷୀଙ୍କ ଧାନଫସଲ ଖାଉଛନ୍ତି ଏବଂ ପାଦରେ ଦଳି ନଷ୍ଟ କରୁଛନ୍ତି । ଏହାସହ ସଂପୃକ୍ତ ହାତୀପଲ ତାରାସିଙ୍ଗି ବନ୍ୟାଞ୍ଚଳ ସହ ମୁଜାଗଡ , ଗାଲେରୀ ଏବଂ ଜଗନ୍ନାଥପ୍ରସାଦ ବନାଞ୍ଚଳକୁ ଘୁରି ବୁଲୁଛନ୍ତି । ଏନେଇ ସ୍ଥାନୀୟ ଲୋକେ ପ୍ରତିଦିନ ଭୟ ଓ ଆଶଙ୍କା ଭିତରେ ଦିନ ବିତାଉଛନ୍ତି । ଏନେଇ ବନବିଭାଗ ପକ୍ଷରୁ ମଧ୍ୟ ହାତୀଙ୍କ ଗତିବିଧି ଉପରେ ନଜର ରଖାଯିବା ସହ ବାଣ ଫୁଟାଇ ଏବଂ ନିଆଁ ଜାଳି ହାତୀଙ୍କୁ ଘଉଡାଇବା ପାଇଁ ଦିନରାତି ଜଙ୍ଗଲ ଆଖପାଖ ଅଂଚଳରେ ପହଁରା ଦେଉଛନ୍ତି ବନ କର୍ମଚାରୀ ।
ଶନିବାର ଦିନ ବେଳେ ହାତୀ ପଲ ବଡନଦୀ ପାର ହୋଇ ଉଲଦନ – ଟାଙ୍ଗଣ ରାସ୍ତାରେ ବହୁ ସମୟ ଡେରା ପକାଇ ଥିଲେ। ପରେ ଗ୍ରାମବାସୀମାନେ ସଂଗଠିତ ହୋଇ ଘଣ୍ଟ ଘଣ୍ଟା ବଜାଇ ହାତୀ ପଲ ଘଉଡାଉଥିବା ଦେଖିବାକୁ ମିଳିଥିଲା। ଦୀର୍ଘ ସମୟ ଧରି ଏଭଳି କସରତ ପରେ ହାତୀ ପଲ ପୋଚାଲୁଣ୍ଡି ସଂରକ୍ଷିତ ଜଙ୍ଗଲ ଇଲାକାକୁ ଚାଲିଯାଇଥିବା ଜଣାପଡିଛି। ବନ ବିଭାଗର କର୍ମଚାରୀମାନେ ହାତୀ ପଲ ଉପରେ ତୀକ୍ଷ୍ମ ନଜର ରଖିଥିବା ବନଖଣ୍ଡ ଅଧିକାରୀ ସୁଦର୍ଶନ ବେହେରା ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ ଏବେ ଧାନର ପାଚିବା ସମୟ। ଏହି ସମୟରେ ପାଚିଲା ଧାନ ଖାଇବାକୁ ହାତୀପଲ ଚାଷଜମି ମୁହାଁ ହେଉଛନ୍ତି।