ହରଭଙ୍ଗା, ୨୩।୩ : ବୌଦ୍ଧ ଜିଲ୍ଲାରେ ଦନ୍ତା ହାତୀର ଆତଙ୍କ ଜାରି ରହିଛି। ଏ ନେଇ ବନ ବିଭାଗ ପକ୍ଷରୁ ସଚେତନତା ଅଭିଯାନ ଜୋରଦାର କରାଯାଇଛି। ରବିବାର ବିଳମ୍ବିତ ରାତିରେ ବୌଦ୍ଧ ବନଖଣ୍ଡର ସୁବଳୟା ଓ ଭରତାପୁର ଗ୍ରାମରେ ଦନ୍ତା ହାତୀ ପ୍ରବେଶ କରି ଉତ୍ପାତ ସୃଷ୍ଟି କରିଥିଲା।  ଗାଁଲୋକେ ଭୟଭୀତ ଅବସ୍ଥାରେ ରହିଥିଲେ। ପରେ ରାମ୍ଭିକଟା ଗ୍ରାମରେ ମଧ୍ୟ ହାତୀ ଉପଦ୍ରବ କରିଥିଲେ। ହାତୀଟି ଗାଁକୁ ପ୍ରବେଶ କରି କିଛି ବାଇକ ଓ ସାଇକେଲ ଭାଙ୍ଗିଦେବା ସହ ଚାଷୀମାନଙ୍କ କଦଳୀ ବାଡ଼ି ଓ ଅନ୍ୟାନ୍ୟ ଫସଲକୁ ନଷ୍ଟ କରିଛି। ଏହା ସହିତ ଅଞ୍ଚଳରେ ଭୟର ପରିବେଶ ଜାରି ରହିଛି।

ବର୍ତ୍ତମାନ ହାତୀଟି ନିକଟସ୍ଥ ଜଙ୍ଗଲ ଅଞ୍ଚଳରେ ରହିଥିବା ସତ୍ୱେ ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଘଟଣାସ୍ଥଳରେ ବନ ବିଭାଗର ଏକ ବିଶେଷ ଟିମ ପହଁଚି ହାତୀର ଚଳଚଳନ ଉପରେ କଡା ନଜର ରଖିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି କିଛି ସ୍ଥାନରେ ବିଦ୍ୟୁତ ସେବା ମଧ୍ୟ ବନ୍ଦ ରଖାଯାଇଛି। ଏହା ସହ ବନ ବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଉଛି ଏବଂ ହାତୀ ସହ ସମ୍ପର୍କ ନକରିବାକୁ ପରାମର୍ଶ ଦିଆଯାଉଛି। ହାତୀଟିକୁ ସୁରକ୍ଷିତ ଭାବେ ପୁଣିଥରେ ଜଙ୍ଗଲକୁ ଫେରାଇବା ପାଇଁ ବନ ବିଭାଗ ପକ୍ଷରୁ ପ୍ରୟାସ ଜାରି ରହିଛି ବୋଲି ବୌଦ୍ଧ ଡିଏଫଓ ରାଜେନ୍ଦ୍ର ଗୋଛାୟତ ସୂଚନା ଦେଇଛନ୍ତି।